ନୂଆଦିଲ୍ଲୀ ୨୯।୦୧: କ୍ରିକେଟ୍ ଜଗତରେ ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ପ୍ଲେୟର ଦବ୍ଦବା । ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍ ଦ ଇୟର ୨୦୨୪ର ଆଓ୍ବାର୍ଡ । ଏହି ଆଓ୍ବାର୍ଡ ଜିତି ସେ ରଚିଛନ୍ତି ଇତିହାସ । ଏପରି କରିବାରେ ସେ ହୋଇଛନ୍ତି ଦୁନିଆର ୪ର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମହିଳା କ୍ରିକେଟର । ICC ଦ୍ୱାରା ତାଙ୍କୁ ମିଳିଛି ଏହି ବଡ଼ ଉପାଧି । ଗତବର୍ଷ ୨୪ ବର୍ଷିୟ ଆମେଲିଆଙ୍କ ପ୍ରଦର୍ଶନ ରହିଥିଲା ଦମ୍ଦାର୍ ।
ଷ୍ଟାର ଅଲରାଉଣ୍ଡର ଗତବର୍ଷ ଜିତିଥିଲେ ୧୪ଟି ମ୍ୟାଚ୍ । ଏଥିରେ ସେ ୪୩ଟି ୱିକେଟ ନେଇଥିଲେ । ଆଉ ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା । ସେ ମୋଟ କରିଥିଲେ ୬୫୧ ରନ । ଆମେଲିଆଙ୍କ ଷ୍ଟାର ପ୍ରଦର୍ଶନ ପରେ ICC ତାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଚୟନ କରିଛି । ସେ ଏହି ଟାଇଟଲ ଜିତିବାରେ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଖେଳାଳି ।
ଆମେଲିଆ କେର ୨୦୨୪ରେ ୯ଟି ଦିନିକିଆ ମ୍ୟାଚ୍ରେ ଖେଳି ୩୩ ଆଭରେଜ୍ରେ କରିଥିଲେ ୨୬୪ ରନ୍ । ଏହି ସମୟରେ ସେ ୧୪ ୱିକେଟ୍ ମଧ୍ୟ ନେଇଥିଲେ । ୨୦୨୪ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଟି-୨୦ରେ ସେ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି। ଆମେଲିଆ ୧୮ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮୭ ରନ କରିଥିଲେ । ଏହି ସମୟରେ ତାଙ୍କର ଆଭରେଜ୍ ରହିଥିଲା ୨୪ । ଆମେଲିଆ ନେଇଥିଲେ ମୋଟ ୨୯ ୱିକେଟ୍ ।
ICC ମହିଳା T20 ବିଶ୍ୱକପରେ ଆମେଲିଆ କେର ନେଇଥିଲେ କେବଳ ୧୫ଟି ୱିକେଟ୍ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର ହୋଇଥିଲେ । ୨୪ ବର୍ଷୀୟା ଆମେଲିଆ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ବ୍ୟାଟିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ମ୍ୟାଚ୍ରେ ସେ କରିଥିଲେ ୪୩ ରନ୍ । ଯାହା ଉଭୟ ଦଳ ପକ୍ଷରୁ ଫାଇନାଲରେ କୌଣସି ଖେଳାଳିଙ୍କ ଦ୍ୱାରା କରାଯାଇଥିବା ସର୍ବାଧିକ ସ୍କୋର ।
ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟରଙ୍କୁ ରାଚେଲ ହେହୋ ଫ୍ଲିଣ୍ଟ ଟ୍ରଫି ଆଇସିସି ପ୍ରଥମଥର ପାଇଁ ୨୦୧୭ ମସିହାରେ ପ୍ରଦାନ କରିଥିଲା । ଆମେଲିଆ କେରଙ୍କ ପୂର୍ବରୁ ଏହି ପୁରସ୍କାର ୩ ଜଣ ମହିଳା କ୍ରିକେଟର ଜିତିଥିଲେ । ସେମାନେ ହେଉଛନ୍ତି ଅଷ୍ଟ୍ରେଲିଆର ଆଲିସ୍ ପେରି, ଭାରତର ସ୍ମୃତି ମନ୍ଧାନା ଏବଂ ଇଂଲଣ୍ଡର ନାଟ୍ ସାଇଭର ।
'ଆଇସିସି ମହିଳା କ୍ରିକେଟର ଅଫ୍ ଦି ଇୟର' ଟାଇଟଲ୍ ଜିତିବା ପରେ ଆମେଲିଆ କହିଛନ୍ତି, 'ଆଇସିସି ମହିଳା କ୍ରିକେଟର ଅଫ୍ ଦି ଇୟର ପାଇଁ ରାଚେଲ୍ ହେହୋ ଫ୍ଲିଣ୍ଟ ଟ୍ରଫି ଜିତିବା ଏକ ବଡ଼ ସମ୍ମାନ।' ମୁଁ ଭାବୁଛି ମୋ ପାଇଁ ବ୍ୟକ୍ତିଗତ ପୁରସ୍କାର ଏପରି କିଛି ନୁହେଁ, ଯାହା ବିଷୟରେ ବହୁତ ଚିନ୍ତା କରବି, କିନ୍ତୁ ଏହା ଏକ ବହୁତ ସ୍ୱତନ୍ତ୍ର ପୁରସ୍କାର।
ଅଲରାଉଣ୍ଡର ଆହୁରି କହିଛନ୍ତି କି 'ନ୍ୟୁଜିଲ୍ୟାଣ୍ଡ ପାଇଁ ଯୋଗଦାନ ଦେଇପାରିବା ଭଲ, ମୁଁ ଭାବୁଛି କୌଣସି ବି କ୍ରିକେଟର ତାଙ୍କ ସାଥୀ ଖେଳାଳିଙ୍କ ପାଇଁ କଠିନ ଏବଂ ଭଲ ପ୍ରଦର୍ଶନ କରିବାକୁ ଚାହେଁ।' ମୋ ପାଖରେ ଏପରି ବହୁତ ଲୋକ ଅଛନ୍ତି ଯିଏକି ମତେ ଏହା ହାସଲ କରିବାରେ ସାହାଯ୍ୟ କରିଛନ୍ତି ଏବଂ ମୋ ଚାରିପାଖରେ ଥିବା ସମର୍ଥନ ନେଟୱାର୍କ ପାଇଁ ମୁଁ ବହୁତ କୃତଜ୍ଞ।