ରାଜକୋଟ୍: ବୃଥା ହେଲା ବରୁଣ ଚକ୍ରବର୍ତ୍ତୀଙ୍କ ୫ ଓ୍ଵିକେଟ୍ ସଫଳତା। ଆଉ ପ୍ରଥମ ଦୁଇଟି ଟି-୨୦ ଜିତିବା ପରେ ସିରିଜ୍ର ତୃତୀୟ ମ୍ୟାଚ୍ରେ ପରାଜୟର ସ୍ଵାଦ ଚାଖିଛି ଭାରତୀୟ ଦଳ। ଇଂଲଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଘରୋଇ ଭାରତକୁ ତୃତୀୟ ଟି-୨୦ରେ ୨୬ ରନରେ ହରାଇଛି। ଏହି ବିଜୟ ସହ ଭ୍ରମଣକାରୀ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି। ସିରିଜ୍ ୨-୧କୁ ଆସିବା ସହ ରୋମାଞ୍ଚ ଭରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ ଡକେଟ୍ଙ୍କ ବିସ୍ଫୋରକ ୫୧ ରନ ଓ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ୪୩ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୭୧ ରନର ପ୍ରଭାବଶାଳୀ ସ୍କୋର କରିଥିଲା। ଜବାବରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତ ୯ ଓ୍ଵିକେଟ୍ ବିନିମୟରେ ୧୪୫ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪୦ ରନ କରିଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଜେମି ଓଭରଟନ ୨୪ ରନ ଦେଇ ୩ ଓ ବ୍ରିଡନ କାର୍ସେ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସଞ୍ଜୁ ସାମସନ ୩ ରନ କରି ଆଉଟ୍ ହୋଇଥିଲେ। ଭଲ ବ୍ୟାଟିଂ କରିଥିବା ଅଭିଷେକ ୫ ଚୌକା ସହ ୨୪ ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ନିରାଶ କରି ୧୪ ରନ କରି ଆଉଟ୍ ହୋଇଥିଲେ। ଗତ ଦୁଇଟି ମ୍ୟାଚ୍ର ହିରୋ ତିଳକ ବର୍ମା(୧୮ ରନ) ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଓ୍ଵାଶିଂଟନ ସୁନ୍ଦର(୬ ରନ) କ୍ରିଜରେ ତିଷ୍ଠି ପାରି ନ ଥିଲେ।
ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ ଷଷ୍ଠ ଓ୍ଵିକେଟ୍ ପାଇଁ ୩୮ ରନ ଯୋଡ଼ି ଭାରତର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଅକ୍ଷର ପଟେଲ୍ ୧୫ ରନ କରି ପାଭିଲିୟନ ଫେରିଥିଲେ। ଭାରତ ଇନିଂସ ସମ୍ଭାଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହେବା ଭାରତର ବିଜୟ ଆଶା ମଉଳିଥିଲା। ପାଣ୍ଡ୍ୟା ୪୦ ରନ କରି ଆଉଟ୍ ହୋଇଥିଲେ। ଜୁରେଲ ୨ ରନ ଓ ମହମ୍ମଦ ଶାମି ୭ ରନ କରି ଆଉଟ୍ ହେବା ସହ ଭାରତ ୯ ଓ୍ଵିକେଟ୍ ହରାଇ ୧୪୫ ରନରେ ସୀମିତ ରହିଥିଲା।