ସମ୍ବଲପୁର ୦୭।୧୧ : ସମ୍ପତ୍ତି ଲୋଭରୁ ସର୍ବନାଶ । ସମ୍ବଲପୁର ମାନେଶ୍ୱର ହାଟପଦା ରେ ମା ଏବଂ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ । ମାଆ-ଝିଅଙ୍କୁ ସମ୍ପତ୍ତି ପାଇଁ ବାପା-ପୁଅ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏନେଇ ସଦର ଥାନା ପୋଲିସ ଉଭୟ ବାପା ଜଗନ୍ନାଥ ଦୀକ୍ଷିତ ଏବଂ ତାଙ୍କ ପୁଅ ସଙ୍କେତ ଦୀକ୍ଷିତଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ, ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଥିବା ଏକ ଘରେ ମାଆ-ଝିଅ ମଙ୍ଗଳବାର ରାତିରେ ଖାଇ ସାରି ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଶୋଇଥିବା ଅବସ୍ଥାରେ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ମାଆଙ୍କ ବୟସ ୯୦ ବର୍ଷ ହୋଇଥିବା ବେଳେ ଝିଅର ବୟସ ୬୨ ବର୍ଷ ହେବ ବୋଲି ଜଣାପଡିଥିଲା l ମୃତ ମାଆ ହେଲେ ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ l ତେବେ ହତ୍ୟା ଘଟଣାରେ ତଦନ୍ତ କରି ପୋଲିସ ବାପା ଏବଂ ପୁଅକୁ ଗିରଫ କରିଛି । ଗିରଫ ପରେ ବାପା-ପୁଅକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ସମ୍ପତ୍ତି ପାଇଁ ମାଆ-ଝିଅକୁ ବାପା ଏବଂ ପୁଅ ହତ୍ୟା କରିଥିବା କହିଛନ୍ତି ସମ୍ବଲପୁର ଅତିରିକ୍ତ ଏସ୍ପି।