ଦିଲ୍ଲୀ ରଙ୍ଗପୁରୀରେ ଗୋଟିଏ ପରିବାରର ସମୂହ ଆତ୍ମହତ୍ୟା; ୪ ଝିଅ ସମେତ ଜୀବନ ହାରିଲେ ବାପା

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ରଙ୍ଗପୁରୀ ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୫ଜଣ ଆତ୍ମହତ୍ୟା କରିଥିବା ସୂଚନା । ମୃତକଙ୍କ ମଧ୍ୟରେ ୪ ଝିଅଙ୍କ ସହିତ ସେମାନଙ୍କ ବାପା ରହିଛନ୍ତି । ସମସ୍ତ ୪ ଝିଅ ଦିବ୍ୟାଙ୍ଗ ବୋଲି କୁହାଯାଉଛି । ସ୍ଥାନୀୟ ପୋଲିସ ଶୁକ୍ରବାର ସମସ୍ତ ମୃତଦେହକୁ ଜବତ୍ କରି ତଦନ୍ତ କରୁଛି । 

ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ହରିଲାଲଙ୍କ ପରିବାର ରଙ୍ଗପୁରୀ ଗାଁରେ ଭଡ଼ାରେ ରହୁଥିଲେ । ମୃତ ହରିଲାଲ୍ ହେଉଛନ୍ତି ବିହାରର ମୂଳବାସିନ୍ଦା । ପୋଲିସର କହିବା ଆନୁସାରେ, ହରିଲାଲ୍ କର୍ପୋରେଟର କାମ କରୁଥିଲେ । ତାଙ୍କ ପତ୍ନୀଙ୍କର ମୃତ୍ୟୁ ଗୋଟିଏ ବର୍ଷ ପୂର୍ବରୁ କ୍ୟାନସର ଯୋଗୁଁ ହୋଇଥିଲା । ଏବେ ପରିବାରରେ ହରିଲାଲଙ୍କ ସମେତ ୧୮ ବର୍ଷୀୟା ଝିଅ ନିତୁ, ୧୫ ବର୍ଷୀୟା ନିଶି, ୧୦ ବର୍ଷୀୟା ନିରୁ ଏବଂ ୮ ବର୍ଷର ନାବାଳିକା ନିଧି ଆତ୍ମହତ୍ୟା କରିଛନ୍ତି ।  

୪ଝିଅ ଦିବ୍ୟାଙ୍ଗ ହୋଇଥିବାରୁ ଚଳାବୁଲା କରିବାରେ ଅସମର୍ଥ ଥିଲେ । ଯାହାକୁ ନେଇ ହରିଲାଲ୍ ବ୍ୟସ୍ତ ବିବ୍ରତ ଥିଲେ । ସ୍ଥାନୀୟ ଲୋକଙ୍କ କହିବା କଥା ବର୍ଷେ ପୂର୍ବରୁ ପତ୍ନୀଙ୍କ ମୃତ୍ୟୁ ପରେ ପୂରା ପରିବାର ଟେନସନରେ ରହୁଥିଲେ । ଘର ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଛି । ସେପ୍ଟେମ୍ବର ୨୪ ତାରିଖରେ ସମସ୍ତେ ଘର ଭିତରକୁ ଯାଉଥିବାର ଦେଖିବାରୁ ମିଳିଛି । ଏହା ପରେ ଘର କବାଟ ଭିତରପଟୁ ବନ୍ଦ ହୋଇ ରହିଥିଲା । ପୋଲିସ କବାଟ ଭାଙ୍ଗି ସମସ୍ତ ମୃତଦେହକୁ ଜବତ୍ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।        

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.