ଢାକା: ବାଂଲାଦେଶର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକର ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାଣହାନୀ ଘଟିବା ସହିତ ଚାଷ ନଷ୍ଟ ଓ ଅନ୍ୟାନ୍ୟ କ୍ଷୟକ୍ଷତି ଘଟିଛି। ଢାକା ଟ୍ରିବ୍ୟୁନ୍ ରିପୋର୍ଟରେ କୁହାଯାଇଛି ଯେ ବନ୍ୟାରେ କୃଷି ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରିବ୍ୟୁନ ଅନୁସାରେ ଏହି ବନ୍ୟାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।
ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ବନ୍ୟାରେ ୧୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଜିଲ୍ଲା ଦେଇ ଯାଇଥିବା ୪ ନଦୀର ଜଳସ୍ତର ବୃଦ୍ଧି ହୋଇଛି। ହଠାତ୍ ବନ୍ୟା ପରିସ୍ଥିତି ଯୋଗୁ ଦେଶରେ ୬୦୦ କୋଟି ବାଂଲାଦେଶୀ ଟାକାର କ୍ଷତି ହୋଇଛି। ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ସ୍ଥାନୀୟ ସରକାରୀ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ସଡକ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ପ୍ରାୟ ୧୧୩ କୋଟି ବାଂଲାଦେଶୀ ଟାକାର କ୍ଷତି ହୋଇଛି।
ଯଦିଓ ଅକ୍ଟୋବର ୯ ତାରିଖରୁ ବନ୍ୟା ପାଣି ଧୀରେ ଧୀରେ କମିଛି। ତେବେ ବନ୍ୟା ପ୍ରଭାବିତ ଲୋକଙ୍କ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବନ୍ୟାର ମୋଟ କ୍ଷୟକ୍ଷତିକୁ ସମ୍ପୂର୍ଣ୍ଣରୂପେ ଜଣା ପଡି ନାହିଁ। ତେବେ ଉକ୍ତ ଅଞ୍ଚଳଗୁଡ଼ିକରେ ଜଳଜାତ ରୋଗ ଯଥା ଡାଇରିଆ, ଓ ଚର୍ମ ସଂକ୍ରଣ ରୋଗ ବଢିବାରେ ଲାଗିଛି। ପିଇବା ପାଣିର ଅଭାବ ବି ଦେଖା ଦେଇଛି। ଏଥିସହିତ ରାସ୍ତାଘାଟର ଅବସ୍ଥା ଶୋଚନୀୟ ଥିବାରୁ ରିଲିଫ ମଧ୍ୟ ପହଞ୍ଚିପାରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।