ଧୋନୀଙ୍କୁ ପରାମର୍ଶ ଦେବାର ନାହିଁ ସାହାସ, CSK ମ୍ୟାନେଜମେଣ୍ଟକୁ ଖୁବ୍ ଶୁଣାଇଲେ ପୂର୍ବତନ ଖେଳାଳି

Published By : Prameya-News7 Bureau | March 29, 2025 IST

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶୁକ୍ରବାର ଚେପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୩୦ ରନରେ ପରାସ୍ତ କରି ଚଳିତ ଆଇପିଏଲ୍ ସଂସ୍କରଣରେ ଲଗାତାର ଦ୍ଵିତୀୟ ବିଜୟ  ହାସଲ କରିଛି। ୧୭ ବର୍ଷ ପରେ ଆରସିବି ଚେପକରେ ସିଏସକେକୁ ହରାଇବାରେ ସମର୍ଥ ହୋଇଛି। ଏହା ପୂର୍ବରୁ ୨୦୦୮ରେ ହିଁ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଚେପକରେ ହରାଇବାରେ ସଫଳ ହୋଇଥିଲା। ଏହି ମ୍ୟାଚ୍ ସରିବା ପରେ ଏମଏସ ଧୋନୀଙ୍କ ବ୍ୟାଟିଂ କ୍ରମକୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଛି। 

Also read: ଏମଏସ ଧୋନିଙ୍କୁ ମଜାକ ଉଡ଼ାଇଲେ ବୀରେନ୍ଦ୍ର ସେହୱାଗ, ଭିଡିଓ ଭାଇରାଲ୍....

ପୂର୍ବତନ କ୍ରିକେଟରଙ୍କ କହିବା କଥା ଧୋନୀଙ୍କ ପରି ଅନୁଭବୀ ଖେଳାଳିଙ୍କୁ ଉପର କ୍ରମରେ ବ୍ୟାଟିଂ କରିବାର ଥିଲା। ଭାରତର ପୂର୍ବତନ କ୍ରିକେଟର ମନୋଜ ତିଓ୍ଵାରୀଙ୍କ ମତରେ ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାଫଙ୍କ ଏତେ ସାହାସ ନାହିଁ ଯେ, ସେମାନେ ଧୋନୀଙ୍କୁ ଉପର ଅର୍ଡରରେ ବ୍ୟାଟିଂ କରିବାକୁ ପଠାଇ ପାରିବେ। ଆରସିବି ବିପକ୍ଷ ମ୍ୟାଚ୍‌ରେ ଏମଏସ ଧୋନୀ ନବମ କ୍ରମରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ତାଙ୍କର ଏମିତି ନିଷ୍ପତ୍ତିକୁ କେବଳ ପୂର୍ବତନ ଖେଳାଳି ସମାଲୋଚନା କରି ନାହାନ୍ତି ବରଂ ସିଏସକେର ପ୍ରଶଂସକ ମଧ୍ୟ ଖୁବ୍ ସମାଲୋଚନା କରିଛନ୍ତି। 

କ୍ରିକବଜ ସହ ଆଲୋଚନା କରି ତିଓ୍ଵାରୀ ସିଏସକେ ମ୍ୟାନେଜମେଣ୍ଟର ନିନ୍ଦା କରିଛନ୍ତି। ସେ କହିଛନ୍ତି ଧୋନୀଙ୍କୁ ଉପର ଅର୍ଡରରେ ବ୍ୟାଟିଂ ପାଇଁ ପଠାଇବାର ସାହାସ ବୋଧେ ଦଳ ପ୍ରବନ୍ଧକଙ୍କ ନାହିଁ। ଏମିତି ସ୍ଥିତିରେ କେମିତି ଖେଳାଯାଏ ଧୋନୀ ବେଶ ଅଭିଜ୍ଞ। କିନ୍ତୁ ଅଶ୍ଵିନଙ୍କ ପରେ ସେ ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିବା କଦାପି ଗ୍ରହଣୀୟ ନୁହେଁ। 

ସେ ଏହା ମଧ୍ୟ କହିଛନ୍ତି, ଏହା ମୁଁ ବୁଝି ପାରୁନି ଯେ, ଧୋନୀଙ୍କ ପରି ବ୍ୟାଟର ଯିଏ ୧୬ ବଲରୁ ୩୦ ରନ କରି ଅପରାଜିତ ରହୁଛନ୍ତି, ତାଙ୍କୁ କାହିଁକି ଉପର କ୍ରମରେ ବ୍ୟାଟିଂ ପାଇଁ ପଠା ଯାଉ ନାହିଁ। ଲାଗୁଛି ଧୋନୀଙ୍କୁ ବ୍ୟାଟିଂ କ୍ରମରେ ଉପରେ ଖେଳିବା ପାଇଁ ଏତିକି କହିବାର ସାହାସ ଦଳ  ପ୍ରବନ୍ଧକଙ୍କ ପାଖରେ ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.