ହାଇ ରିଟର୍ଣ୍ଣ ଆଶା ଦେଖାଇ ଇନଭେଷ୍ଟରଙ୍କୁ ଠକେଇ : ୨୪ ସାଇବର ଫ୍ରଡ଼ଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | October 30, 2024 IST

କଟକ ୩୦।୧୦: ହ୍ବାଟ୍‌ସଆପ୍ ଗ୍ରୁପ ଜରିଆରେ ବଡ଼ ଠକେଇର ପର୍ଦ୍ଦାଫାଶ । ହାଇ ରିଟର୍ଣ୍ଣ ଆଶା ଦେଖାଇ, ଇନଭେଷ୍ଟରଙ୍କୁ ଠକିଥିବା ସାଇବର ଠକ ଦଳକୁ ରାଜ୍ୟ ବାହାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏଭଳି ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର । ତାଙ୍କ ଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ସାଇବର ଫ୍ରଡ଼ମାନେ ଠକି ନେଇଛନ୍ତି । ଏଥିରେ ସମ୍ପୃକ୍ତ ଥିବା ୧୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଗୁରୁବାର ସୁଦ୍ଧା ଆଉ ଗିରଫ ୭ ଜଣଙ୍କୁ ଓଡିଶା ଆଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟାତୋଷ ମିଶ୍ର କହିଛନ୍ତି । କୁନ୍ତଳା ମଜୁମଦାର ଗତ ଜୁଲାଇ ମାସରେ କୋଟାକ ଇନଭେଷ୍ଟମେଣ୍ଟ କ୍ଲବ୍ ହ୍ଵାଟ୍ସଆପ୍ ଗ୍ରୁପରେ ଆଡ଼ ହୋଇଥିଲେ । ଗ୍ରୁପରେ ପୁଞ୍ଜି ନିବେଶ ପାଇଁ ଜାଣିବା ପରେ ୬ କୋଟି ୨୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ସେୟାରର ମୂଳ ମୂଲ୍ୟ ହଠାତ ୧୧୦ ଟଙ୍କାରେ ପହଞ୍ଚି ୨୫ କୋଟି ହୋଇଥିଲା । ସେଥିରୁ ୨୩ କୋଟି ଉଠାଇବାର ଅନୁମତି ମିଳିଥିଲା । ଅଗଷ୍ଟ ୨୧ରେ ଟଙ୍କା ଉଠାଇବାକୁ ଉଦ୍ୟମ କରିବା ପରେ ଗ୍ରୁପ ଆଡ଼ମିନ ତାଙ୍କୁ ଗ୍ରୁପରୁ ହଟାଇ ଦେଇଥିଲେ । କାରବାର ପାଇଁ ବ୍ୟବହୃତ ଆପ୍ ନିଷ୍କ୍ରିୟ ହୋଇ ଯାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍ ତଦନ୍ତ ପରେ ଜାଣିଥିଲେ ଯେ, ୧୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟରେ ୬ କୋଟି ୮ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୮୫ ହଜାର ଟଙ୍କା ଫ୍ରିଜ୍ ହୋଇଛି । ଅଭିଯୋଗକାରୀ ୬ ଲକ୍ଷ ୮୦ ହଜାର ଟଙ୍କା ଫେରସ୍ତ ପାଇଛନ୍ତି । ଏବେ ସୁଦ୍ଧା ତାମିଲନାଡୁରୁ ୯ ଜଣ, ଗୁଜରାଟରୁ ୮ ଜଣ ଓ ରାଜସ୍ଥାନରୁ ୭ ଜଣଙ୍କୁ ଗିରଫ କରାଯାଇଛି । 

You Can Read:

ଜେଲ୍ ଯିବେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ! ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.