ନୂଆଦିଲ୍ଲୀ: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତୀୟ ଦଳ କ୍ଲିନ ସୁଇପ୍ ପରାଜୟ ଭୋଗିଥିଲା। ଯାହା ପରେ କେବଳ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମ ଉପରେ ପ୍ରଶ୍ ଉଠି ନାହିଁ ବରଂ ଭାରତୀୟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ କୋଚିଂ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଭାରତୀୟ ଦଳ ନଭେମ୍ବର ୨୨ରୁ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ ପୂର୍ବରୁ ପୁଣି ଥରେ ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ପ୍ରଶ୍ନ ଉଠିଛି। ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଟିମ୍ ପେନ ଗୌତମ ଗମ୍ଭୀରଙ୍କ କୋଚିଂର ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ ଭାରତୀୟ ଦଳ ପାଇଁ ମଙ୍ଗଳ ନୁହେଁ। ଯଦି ଭାରତୀୟ ଦଳ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ପର୍ଥ ଟେଷ୍ଟରେ ମଜବୁତ ଆରମ୍ଭ କରିବାରେ ବିଫଳ ହୁଏ ତେବେ ଆଗକୁ ସିରିଜ୍ରେ ଦଳ ପାଇଁ ବହୁତ ମୁସ୍କିଲ ହୋଇପାରେ। ପେନ ଏସଇଏନ ରେଡିଓରେ କହିଛନ୍ତି, ଗତ ଦୁଇଟି ସିରିଜରେ ଭାରତୀୟ ଦଳର ବିଜୟ ସମୟରେ କୋଚ୍ ରବି ଶାସ୍ତ୍ରୀ ଥିଲେ। ସେ ଦଳରେ ସର୍ବଦା ସରକାରତ୍ମକ ମାହୋଲ ତିଆରି କରି ରଖୁଥିଲେ। ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ। ଫଳରେ ଖେଳାଳି ମାନେ ଆତ୍ମ ବିଶ୍ଵାସର ସହ ଖେଳୁଥିଲେ। ଖେଳାଳିଙ୍କୁ ସ୍ଵପ୍ନ ଦେଖାଇବା ସହ ଖୁସି ମଜାକ ପ୍ରକ୍ରିୟାରେ ଖେଳାଳିଙ୍କୁ ପ୍ରେରିତ କରୁଥିଲେ।
ଟିମ୍ ପେନ କହିଛନ୍ତି, ଏବେ ଭାରତ ନିକଟରେ ନୂଆ କୋଚ୍ ଅଛନ୍ତି ଯିଏ କ୍ରୋଧୀ ସ୍ଵଭାବର। କିନ୍ତୁ ସେ ବହୁତ ପ୍ରତିଯୋଗିତାମୂଳକ ବ୍ୟକ୍ତି। କିନ୍ତୁ ତାଙ୍କର କୋଚିଂ ଶୈଳୀ ଠିକ୍ ନୁହେଁ। ମୋର ଚିନ୍ତା ଏହା ଯେ, ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳ ପାଇଁ ଉପଯୁକ୍ତ ନୁହନ୍ତି।
ପେନ୍ କହିଛନ୍ତି, ଯଦି ଆପଣଙ୍କ କୋଚ୍ ସାମ୍ବାଦିକ ସମ୍ମିଳନୀରେ ଏକ ସାଧାରଣ ପ୍ରଶ୍ନରେ କ୍ଷୁବ୍ଧ ହୋଇ ଯାଉଛନ୍ତି, ତେବେ ଏହାକୁ କଣ କୁହାଯିବ। ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀରଙ୍କ ପ୍ରତିକ୍ରିୟା ଅନୁଚିତ୍। ପଣ୍ଟିଂ ଏବେ ଭାଷ୍ୟକାର ଏବଂ ତାଙ୍କୁ ନିଜର ରାୟ ରଖିବା ପାଇଁ ଟଙ୍କା ମିଳୁଛି। ବିରାଟଙ୍କ ଫର୍ମ ଉପରେ ତାଙ୍କର ବିଶ୍ଳେଷଣ ଠିକ୍ ଥିଲା। ମାତ୍ର ଭାରତ ପାଇଁ ସଂପ୍ରତି ସବୁଠୁ ବଡ଼ ସମସ୍ୟା ବିରାଟ କୋହଲିଙ୍କ ଫର୍ମ ନୁହେଁ ବରଂ କୋଚ୍ ଚାପରେ ଶାନ୍ତ ରହିବା ବଡ଼ ପ୍ରସଙ୍ଗ ରହିବ।