ମା’କୁ ମାରି ଟାଙ୍ଗିଦେଲା ବାପା, ଜେଜେମା’ଙ୍କୁ ଭିଡିଓ କଲ୍‌ କରି ଏପରି କହିଲା ୪ ବର୍ଷର ନାତୁଣୀ...

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୦୭।୦୨: ମା’କୁ ମାରି ଟାଙ୍ଗିଦେଲେ ବାପା । ଯେତେ ଡାକିଲେ ବି ଶୁଣୁନି ମା’ । ଜେଜେମା’ଙ୍କୁ ଭିଡିଓ କଲ୍‌ କରି କିଛି ଏମିତି କହୁଛି ୪ ବର୍ଷର ନାତୁଣୀ । ଏ ଘଟଣା ସାମ୍ନାକୁ ଆସିବା ପରେ ଖେଳିଯାଇଛି ଆଲୋଡନ । ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ସ୍ବାମୀ ତାଙ୍କ ପତ୍ନୀକୁ ହତ୍ୟା କରି ଟାଙ୍ଗି ଦେଇଥିବା ଘଟଣା ବୁଧବାର ସାମ୍ନାକୁ ଆସିଛି । 

ବୁଧବାର ରାତିରେ ୪ ବର୍ଷର ଝିଅ ଜେଜେମା’କୁ ଭିଡିଓକଲ୍‌ କରିଲା । ଏହାପରେ ଫୋନ୍‌କୁ ଉପରକୁ ଉଠାଇ କ୍ୟାମେରାରେ ଦେଖାଇଲା ମା ଟଙ୍ଗା ହୋଇଥିବା । ଆଉ ଏହାପରେ କୁନି ଝିଅ କହିବାକୁ ଲାଗିଲା ଯେ ପାପା ମମିକୁ ଟାଙ୍ଗି ଦେଇଛନ୍ତି । ସେ କିଛି କହୁନି । ଏହାପରେ ଜେଜେମା’ ପୋଲିସ ଏବଂ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସ ଛାନଭିନ୍‌ କରିବା ପରେ ହତ୍ୟା ନେଇ ଖୁଲାସା ହୋଇଥିଲା । ଏହାପରେ ଝିଅର ବାପା ରୋହିତ କୁମାରଙ୍କୁ ଗୁରୁବାର ପୋଲିସ ହେପାଜତକୁ ନେଇଛି ।  

ଖବର ଅନୁଯାୟୀ ରୋହିତ ଗାଜିଆବାଦର ମୋଦିନଗରର ଜଣେ ସଫ୍ଟଓୟେରା ଇଞ୍ଜିନିୟର । ଆଉ ମୃତ ମହିଳା ଜଣକ ହେଉଛନ୍ତି ରୁବିରାଣୀ । ମୁରଦାବାଦର କୁଣ୍ଡାରକି ବ୍ଲକର ବିକମପୁର କୁଲୱାଡାର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ । ରୁବି ମୂଳତଃ ଗାଜିଆବାଦର ମୁରାଦାନଗରର ଜଲାଲପୁରର ବାସିନ୍ଦା । ୨୦୧୯ରେ ସେ ରୋହିତଙ୍କୁ ବିବାହ କରିଥିଲେ । ତାଙ୍କ ଝିଅ ସହିତ ମୁରାଦାବାଦର ବୁଦ୍ଧି ବିହାର କଲୋନୀରେ ଏକ ଭଡା ଘରେ ରହୁଥିଲେ।

ତେବେ ସେହି କଲ୍ ପୂର୍ବରୁ କ’ଣ ଘଟିଥିଲା ସେ ବିଷୟରେ ପୋଲିସ ତଦନ୍ତ କରୁଛି । ରୋହିତଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିବ। ପରିବାର ଲୋକ ଦାବି କରିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ । ଏହା ହତ୍ୟା, ଯାହାକୁ ଆତ୍ମହତ୍ୟା ଭଳି ଦେଖାଯିବା ପାଇଁ ଚେଷ୍ଟା କରାଯାଇଥିଲା । 

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ରୋହିତ ଟଙ୍କା ପାଇଁ ରୁବି ଉପରେ ଚାପ ପକାଉଥିଲେ । ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଆର୍ଥିକ ବିବାଦ ରହୁଥିଲା । ସେ କହିଛନ୍ତି ଯେ ବୁଧବାର ସନ୍ଧ୍ୟାରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ  UPI ମାଧ୍ୟମରେ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ।

ଦମ୍ପତିଙ୍କର ମୋଦି ନଗରରେ ଏକ ଘର ଥିଲା, ଯାହାର କିସ୍ତି ରୋହିତ ଦେବା ବନ୍ଦ କରିବା ପରେ ରୁବି ଏକାକି ଦେଉଥିଲେ । ତାଙ୍କ ବାପାମାଆ ପୋଲିସକୁ କହିଥିଲେ ଯେ ରୋହିତ ଘର ବିକ୍ରି କରିବାକୁ ଚାହୁଁଥିଲା । ସେ ମନା କଲେ । ଯେଉଁ କାରଣରୁ ଅନେକ ନିର୍ଯାତନା ଦେଉଥିଲେ ରୁବିକୁ ।

ଖବର ଅନୁଯାୟୀ,  ଘଟଣା ପୂର୍ବରୁ ରୁବି ରୋହିତଙ୍କୁ ଫୋନ୍ କରି ଆତ୍ମହତ୍ୟା କରିବେ ବୋଲି କହିଥିଲେ । ତେବେ ରୋହିତଙ୍କ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣ ଜବତ କରିଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.