ନୂଆଦିଲ୍ଲୀ ୧୧।୧୧: ସାରା ବିଶ୍ୱରେ ଏବେ ସୁନା ଦର ତଳ ଉପର ହେଉଛି। ଡଲାର ମଜଭୁତ ହେବା ଯୋଗୁ ସୋମବାର ସନ୍ଧ୍ୟାରେ ନ୍ୟୁୟର୍କ କମଡିଟି ଏକ୍ସଚେଞ୍ଜ (କମେକ୍ସ)ରେ ସୁନା ଦର ପୁଣି ଥରେ ହ୍ରାସ ହୋଇଛି। ସୋମବାର ସନ୍ଧ୍ୟାରେ ସୁନା ୨.୧୪ ପ୍ରତିଶତ ଶସ୍ତା ହେବା ସହ ପ୍ରତି ଆଉନସ୍ ପିଛା ୨,୬୩୭ ଡଲାରରେ କାରବାର ହେଉଛି। ସେହିପରି ରୂପା ଦରରେ ମଧ୍ୟ ୨.୨୪ ପ୍ରତିଶତ ହ୍ରାସ ହୋଇଛି। ଏଣୁ ଆଉନ୍ସ ପିଛା ୩୦.୪ ଡଲାରରେ କିଣାବିକା ହେଉଛି।
କମେକ୍ସରେ ମୂଲ୍ୟବାନ ଧାତୁ ଦର ହ୍ରାସର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଗତ ଶୁକ୍ରବାର ଭାରତର ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ୧,୫୦୦ ଟଙ୍କାରୁ ଅଧିକ ହ୍ରାସ ହୋଇ ପ୍ରତି ୧୦ ଗ୍ରାମ ୭୫,୭୧୦ ଟଙ୍କାରେ କାରବାର ବନ୍ଦ ହୋଇଥିଲା। ତେବେ ସୁନା ମୂଲ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲାଣି। ସୁନାର ସର୍ବକାଳୀନ ଉଚ୍ଚାଦର ୭୯, ୭୭୫ ଟଙ୍କା ଥିଲା, ଯାହା ଏବେ ୪ ହଜାର ଟଙ୍କା ହ୍ରାସ ହୋଇ ୭୫,୭୧୦ ଟଙ୍କା ହୋଇଯାଇଛି।
ସେହିପରି ଭାରତରେ ରୂପା ଦର ମଧ୍ୟ ହ୍ରାସ ହୋଇଛି। ରୂପା କେଜି ପିଛା ଦରରେ ପାଖାପାଖି ୧,୬୧୩ ଟଙ୍କା କମିଛି। ସୋମବାର ରୂପା କେଜି ପିଛା ଦର ୮୯,୨୫୦ ଟଙ୍କାକୁ ପହଞ୍ଚି ଯାଇଛି। କିଛିଦିନ ପୂର୍ବରୁ ରୂପା କେଜି ପିଛା ଦର ୧,୦୦,୨୮୯ ଟଙ୍କାର ଉଚ୍ଚତମ ସ୍ତରକୁ ଛୁଇଁଥିଲା। ଏବେ ରୂପା ସର୍ବକାଳୀନ ଉଚ୍ଚତମ ସ୍ତରରୁ ୧୧ହଜାର ଟଙ୍କା ଶସ୍ତାରେ କାରବାର ହେଉଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରଠାରୁ ମୂଲ୍ୟବାନ ଧାତୁ ଦର କ୍ରମାଗତ ହ୍ରାସ ହେବାରେ ଲାଗିଛି।
ଡଲାର ଏବେ ମଜଭୁତ ହେଉଥିବାରୁ ନିବେଶକଙ୍କ ନଜର ଏବେ ଡଲାର ସହ ସରକାରୀ ବଣ୍ଡ ଉପରେ ପଡିଛି। ନିକଟରେ ଡଲାର ଇଣ୍ଡେକ୍ସରେ ୦.୩ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏଣୁ ନିବେଶକ ସେମାନଙ୍କ ନିବେଶକୁ ଏବେ ଡଲାର ଓ ସରକାରୀ ବଣ୍ଡ ଆଡକୁ ସ୍ଥାନାନ୍ତରିତ କରିଛନ୍ତି। ଏଣୁ ବଜାରରେ ସୁନା ଓ ରୂପା ଚାହିଦା ହ୍ରାସ ଧାତୁ ଦରରେ ହ୍ରାସର କାରଣ ପାଲଟିଛି।