୭ ଦିନରେ ୪,୭୦୦ ଟଙ୍କା ଶସ୍ତା ହେଲାଣି ସୁନା, ଜାଣନ୍ତୁ ଏବେ ୨୨ ଓ ୨୪ କ୍ୟାରେଟ ଦର କେତେ?

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ ୧୪।୧୧: ସୁନା ଦରରେ ହ୍ରାସ ଲଗାତାର ଜାରି ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏପର୍ଯ୍ୟନ୍ତ ସୁନା ଦର ପାଖାପାଖି ୬ ପ୍ରତିଶତରୁ ଅଧିକ ହ୍ରାସ ଦେଖା ଗଲାଣି। ସୁନା ମୂଲ୍ୟ ଏବେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୭୪ ହଜାର ଟଙ୍କାରୁ ବି ତଳକୁ ଖସି ଆସିଛି। ଡଲାର ଇଣ୍ଡେକ୍ସରେ ବୃଦ୍ଧି ଓ ସୁନା ଚାହିଦା ହ୍ରାସ ଏପରି ମୂଲ୍ୟ ହ୍ରାସର କାରଣ ବୋଲି ଏବେ କୁହାଯାଉଛି। 

ଗୁରୁବାର ଏମସିଏକ୍ସରେ ସୁନା ଦାମ ୬୮୩ ଟଙ୍କା ହ୍ରାସ ଦେଖାଯାଇଛି, ଫଳରେ ପ୍ରତି ୧୦ ଗ୍ରାମ ପିଛା ଦର ୭୩,୭୯୯ ଟଙ୍କାକୁ ପହଞ୍ଚି ଯାଇଛି। ଦିନରେ କାରବାର କାଳରେ ଏହି ଦରରେ ଆହୁରି ୩୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ଏବେ ୭୩,୭୬୦ ଟଙ୍କାରେ କାରବାର ହେଉଛି। ଗତ ବ୍ୟବସାୟୀକ ଅଧିବେସନରେ ୧୦ଗ୍ରାମ ପିଛା ଦର ୭୪,୪୮୨ ଟଙ୍କାରେ ବନ୍ଦ ହୋଇଥିଲା। ଏହି ହ୍ରାସ ପରେ ନଭେମ୍ବର ୫ ତାରିଖ ପରେ ସୁନା ମୂଲ୍ୟରେ ପାଖାପାଖି ୬ ପ୍ରତିଶତ ହ୍ରାସ ହୋଇଛି। ଏହାର ଅର୍ଥ ହେଉଛି ୭ ଦିନରେ ସୁନା ଦରରେ ୪,୭୭୪ ଟଙ୍କା ହ୍ରାସ ହେଲାଣି। 

କେବଳ ଭାରତରେ ନୁହେଁ ନ୍ୟୁୟର୍କରେ କମେକ୍ସରେ ମଧ୍ୟ ସୁନା ଦରରେ ହ୍ରାସ ଦେଖାଯାଇଛି। ୫ ନଭେମ୍ବରରୁ ଏ ପର୍ଯ୍ୟନ୍ତ ସୁନା ଦରରେ ପାଖାପାଖି ୭ ପ୍ରତିଶତ ହ୍ରାସ ହେଲାଣି। ଏବେ କମେକ୍ସରେ ଗୋଲ୍ଟ ଫ୍ୟୁଚର୍ସ ୨୫ ଡଲାର ହ୍ରାସ ସହ ପ୍ରତି ଆଉନ୍ସ ୨,୫୬୧.୬୦ ଡଲାରରେ କାରବାର ହେଉଛି। ସେହିପରି ସ୍ପଟ ଗୋଲ୍ଡ ମୂଲ୍ୟ ଆଉନ୍ସ ପିଛା ୧୫ ଡଲାର ହ୍ରାସ ହୋଇ ୨,୫୫୮.୧୪ଡଲାରରେ କାରବାର ହେଉଛି। ଏଥିରେ ଏବେ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୦,୫୯୦ ଟଙ୍କାରେ କାରବାର ହେଉଥିବା ବେଳେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୭୬,୯୯୦ ଟଙ୍କାରେ କାରବାର ହେଉଛି। 

ଚେନ୍ନାଇରେ ୧୦ ଗ୍ରାମପିଛା ୨୨ କ୍ୟାରେଟ୍ ଗୋଲ୍ଡ ୭୦,୪୪୦ରେ କାରବାର ହେଉଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୬,୮୪୦ ଟଙ୍କାରେ କାରବାର ହେଉଛି। କୋଲକାତା ଓ ମୁମ୍ବାଇରେ ଏହି ଦର ଯଥାକ୍ରମେ ୭୦,୪୪୦ ଓ ୭୬,୮୪୦ ଟଙ୍କାରେ କାରବାର ହେଉଛି। ଏଚଡିଏଫସି ସିକ୍ୟୁରିଟିଜ ର ଗୋଲ୍ଡ ଓ କମଡିଟି ହେଡ ଅନୁଜ ଗୁପ୍ତାଙ୍କ ଅନୁସାରେ ଡଲାର ଇଣ୍ଡେକ୍ସରେ ବୃଦ୍ଧି କାରଣରୁ ସୁନା ଦରରେ ହ୍ରାସ ଦେଖା ଦେଇଛି। 

ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଫେଡେରାଲ ରିଜର୍ଭ ବୈଠକରେ ସୁଧହାର ହ୍ରାସର କୌଣସି ସମ୍ଭାବନା ନାହିଁ। ଏଣୁ ଡଲାର ଇଣ୍ଡେକ୍ସରେ ପୁଣି ବୃଦ୍ଧି ହେବ। ଭାରତରେ ଆଗକୁ ବିବାହ ଋତୁ ଏଣୁ ସର୍ଟ ଟର୍ମରେ ସୁନା ମୂଲ୍ୟ ମାମୁଲି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.