ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର: ମାତ୍ର ୫୦ ଦିନରେ ୧୦ ହଜାର ଟଙ୍କାରୁ ଅଧିକ ବଢ଼ିଲାଣି, ସେପଟେ ବେଲଗାମ ରୁପା

Published By : Prameya-News7 Bureau | February 19, 2025 IST

internet

ଭୁବନେଶ୍ୱର: ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର। ଗୋଟିଏ ଦିନରେ ବଢ଼ିଲା ହଜାରେ ୪୩ ଟଙ୍କା। ସେପଟେ ଦର ବୃଦ୍ଧିରେ ରୁପା ବି ମାରୁଛି ଲମ୍ଭ ଡିଆଁ। ରୁପା ଦର କେଜି ପ୍ରତି ୧୫୦୦ ଟଙ୍କାରୁ ଅଧିକ ବଢ଼ିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଫେବ୍ରୁଆରୀ ୧୯ ତାରିଖ ଯାଏ ମାତ୍ର ୫୦ ଦିନରେ ସୁନା ୧୦ ହଜାର ଟଙ୍କାରୁ ଅଧିକ ବଢ଼ିଲାଣି। କୁହାଯାଉଛି ଏବଂ ଭରି ଲକ୍ଷେ ଛୁଇଁବ। 

ବେଲଗାମ ସୁନା ଦର। ରାତିଏରେ ହାତିଏ ବଢୁଛି ଏହି ମୂଲ୍ୟବାନ ହଳଦିଆ ଧାତୁର ଦାମ। ବୁଧବାର ରେକର୍ଡ ଭାଙ୍ଗିଛି ସୁନା। ଦର ବୃଦ୍ଧିରେ ସର୍ବୋଚ୍ଚ ସ୍ତର ଛୁଇଁଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁସାରେ ଫେବ୍ରୁଆରୀ ୧୯ ତାରିଖରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୦୪୩ ଟଙ୍କା ବୃଦ୍ଧି ହୋଇ ୮୬,୭୩୩ ଟଙ୍କା ହୋଇଛି। ୧୯ ଫେବ୍ରୁରଆରୀ ସୁଦ୍ଧା ଭୁବନେଶ୍ୱରରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୮୭,୬୫୦ ଟଙ୍କା ହୋଇଛି। ଯଦି ଆପଣ ଗହଣା କିଣିବାକୁ ଯାଉଛନ୍ତି ତେବେ ଏଥିରେ ମେକିଂ ଚାର୍ଜ ଓ ଜିଏସ୍‌ଟି ବି ଲାଗିବ। ତେଣୁ ସୁନା ଦାମ ଆହୁରି ବଢ଼ି ଯିବ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଚଳିତ ବର୍ଷ ଅର୍ଥାତ୍ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧୦,୫୭୧ ଟଙ୍କା ବୃଦ୍ଧି ପାଇଲାଣି। ଜାନୁଆରୀ ୧ରେ ସୁନା ୭୬,୧୬୨ଟଙ୍କା ଥିଲା ହେଲେ  ଫେବ୍ରୁଆରୀ ୧୯ରେ ଏହା ୮୬,୭୩୩ ଟଙ୍କା ହୋଇଛି। 

କେବଳ ସୁନା ନୁହେଁ ରୁପା ବି ତା’ଠାରୁ ଦ୍ରୁତ ଗତିରେ ବଢ଼ୁଛି। ଗୋଟିଏ ଦିନରେ ୧୦୦୦ରୁ ଅଧିକ ଟଙ୍କା ବଢ଼ୁଛି ରୁପା। ଫେବ୍ରୁଆରୀ ୧୯ ତାରିଖରେ ରୁପା କେଜି ପ୍ରତି ୧,୫୪୩ ଟଙ୍କା ବୃଦ୍ଧି ପାଇ ୯୭,୫୬୬ ଟଙ୍କା ହୋଇଛି। ଚଳିତ ବର୍ଷ ମାତ୍ର ୫୦ଟି ଦିନରେ ରୂପା ମୂଲ୍ୟ ଆଶ୍ଚର୍ଯ୍ୟଜନକ ଭାବେ ୧୧,୫୪୯ ଟଙ୍କା ବୃଦ୍ଧି ପାଇଲାଣି। ଜାନୁଆରୀ ୧ ତାରିଖରେ ରୁପା କେଜି ୮୬,୦୧୭ ଟଙ୍କା ଥିଲା। ହେଲେ ଫେବ୍ରୁଆରୀ ୧୯ ତାରିଖରେ ଏହା ୯୭,୫୬୬ ଟଙ୍କାକୁ ବୃଦ୍ଧି ପାଇଛି।

ସେପଟେ ଟ୍ରମ୍ପଙ୍କ ନୀତି ଯୋଗୁ ସୁନା ମୂଲ୍ୟରେ ହୁହୁ ହୋଇ ବଢ଼ୁଛି। ବର୍ତ୍ତମାନ ସମସ୍ତ ଦେଶ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ସୁନା ଭଣ୍ଡାର କରିବାର ଏକପ୍ରକାର ପ୍ରତିଯୋଗିତା ଦେଖା ଯାଉଛି। କୁହାଯାଉଛି ସୁନା ଚଳିତ ବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମକୁ ୧ ଲକ୍ଷ ଟଙ୍କା ଟପିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.