ଉତ୍ତରପ୍ରଦେଶ ୨୬/୧: ଗୁଗଲ ମ୍ୟାପକୁ ଭରସା ନାହିଁ । ପୁଣି ଧୋକା ଦେଇଛି ଗୁଗଲ ମ୍ୟାପ । ଗୁଗଲ ମ୍ୟାପକୁ ଭରସା କରି ନେପାଳ ଯାଉଥିବା ୨ ଫ୍ରାନ୍ସ ଟୁରିଷ୍ଟ ବରେଲିରେ ବାଟବଣା ହୋଇଛନ୍ତି । ଶେଷରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଠିକଣା ସ୍ଥାନରେ ପହଞ୍ଚିଛନ୍ତି । ଦିଲ୍ଲୀରୁ କାଠମାଣ୍ଡୁ ପାଇଁ ସାଇକେଲରେ ବାହାରିଥିଲେ ୨ ଫ୍ରାନ୍ସ ଟୁରିଷ୍ଟ । କିନ୍ତୁ ଅଧା ରାସ୍ତାରେ ଧୋକା ଦେଇଦେଲା ଗୁଗଲ । ଅନ୍ଧାର ରାତିରେ ଉଭୟ ଆଗକୁ ଆଗକୁ ମାଡି ଚାଲିଥିଲେ । ହେଲେ ଭୁଲ ନିର୍ଦ୍ଦେଶ ଯୋଗୁ ଅଲଗା ବାଟରେ ଯାଇ ଚୁରୈଲି ଡ୍ୟାମ ପାଖରେ ପହଞ୍ଚିଯାଇଥିଲେ ୨ ଟୁରିଷ୍ଟ ।
ରାତିରେ ବାଟବଣା ହୋଇ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ପହଞ୍ଚିଥିଲେ । ଆଉ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପରେ ୨ ଜଣ ଟୁରିଷ୍ଟ ଗାଁର ମୁଖିଆଙ୍କ ଘରେ ରହିଥିଲେ । ସକାଳୁ ସେମାନଙ୍କୁ ଠିକ ରାସ୍ତାରେ ଯାଇଥିଲେ । ଗଲାବେଳକୁ ୨ ପର୍ଯ୍ୟଟକ ପୋଲିସ ଓ ଗାଁ ଲୋକଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇବାକୁ ଭୁଲିନଥିଲେ ।
ପୁରା ଘଟଣା ସଂପର୍କରେ ବରେଲି ପୋଲିସ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ସୂଚନା ଦେଇଛି । ଗୁଗଲ ମ୍ୟାପ ବାଟବଣା କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଛି । ଆଜିକାଲି ଯେକୌଣସି ସ୍ଥାନକୁ ଯିବାକୁ ଗୁଗଲ ମ୍ୟାପର ସାହାରା ନେଉଛନ୍ତି ଲୋକେ । କିନ୍ତୁ ଗୁଗଲ ମ୍ୟାପ କେବେ ସାଥ୍ ଦେଇ ଠିକଣା ସ୍ଥାନରେ ପହଞ୍ଚାଇ ଦେଉଛି ତ ଆଉ କେତେବେଳେ ଭୁଲ ସ୍ଥାନରେ ନେଇ ଲୋକଙ୍କୁ ହଟହଟା କରୁଛି । ତଥାପି ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଗୁଗଲ ।