ରାଜସ୍ଥାନ୧୮/୨: ଆଧୁନିକ ଯୁଗରେ ଏବେବି ଯୌତୁକ ପରି କୁପ୍ରଥା ଚାଲିଛି । ପ୍ରତିଦିନ ଯୌତୁକ ଜୁଇରେ ନବବଧୂ ବଳିପଡିବା ଖବର ସାମ୍ନାକୁ ଆସିଛି । ଯୌତୁକ ଜନିତ ମୃତ୍ୟୁ ଏବେ ଏକ ସାଧାରଣ ଘଟଣା ହୋଇଗଲାଣି । ହେଲେ ଆଜି ବି ଯୌତୁକ ଲୋଭୀଙ୍କ ଭିଡ ଭିତରେ ଭଲ ଓ ଉଦାର ମଣିଷ ଅଛନ୍ତି । ୟାର ସଦ୍ୟ ଉଦାହରଣ ସାଜିଛନ୍ତି ରାଜସ୍ଥାନ ଜୈସାଲମିରର ପରମବୀର । ଯୌତୁକରେ ମିଳିଥିବା ୫ ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦେବା ପରେ ସବୁଠି ତାଙ୍କୁ ପ୍ରଶଂସା କରାଯାଇଛି । ସମସ୍ତେ କହୁଛନ୍ତି ବାଃ ଜ୍ବାଇଁ ହେବ ତ ଏମିତି ।
ପରମବୀର ରାଠୋର ଜଣେ ସିଭିଲ ସର୍ଭିସ ଆଶାୟୀ । ୪ ଦିନ ତଳେ ଅର୍ଥାତ ଗତ ଫେବ୍ରୁଆରୀ ୧୪ରେ ସେ ନିକିତା ଭାଟିଙ୍କୁ ବିବାହ କରିଥିଲେ । ଢୋଲ ନଗାଡା ବଜାଇ ଘୋଡା ଚଢି ବିବାହ ପାଇଁ ମଣ୍ଡପରେ ପହଞ୍ଚିଥିଲେ ପରମବୀର । ଶାଶୁ ଘର ତରଫରୁ ତାଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ସବୁଠୁ ଆକର୍ଷଣୀୟ ଥିଲା ଲାଲ କପଡାରେ ଗୁଡାଇ ହୋଇଥିବା ଟଙ୍କା ଭର୍ତ୍ତି ଥାଳି । ଥାଳିରେ ୫ ଲକ୍ଷ ୫୧ ହଜାର ନଗଦ ଉପହାର ଦିଆଯାଇଥିଲା । ଘଟଣା ସଂପର୍କରେ ପରମବୀର କହିଛନ୍ତି ଯେତେବେଳେ କନ୍ୟାଘର ମୋତେ ଟଙ୍କା ଦେଲେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା । ଏବେବି କଣ ସମାଜରେ ଯୌତୁକ ପ୍ରଥା ରହିଛି । ହେଲେ ମୁଁ ସମସ୍ତଙ୍କ ସାମ୍ନାରେ ଟଙ୍କା ନେବାକୁ ମନା କରିପାରିନଥିଲି । ଟଙ୍କା ଥଳି ଘରକୁ ସାଂଗରେ ଆଣିଥିଲି । ପରେ ସେ ଟଙ୍କାକୁ ଫେରାଇ ଦେଇଥିଲି । ମୋର ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଥିଲେ ।
ପରମବୀର କହିଛନ୍ତି ମୁଁ ଜଣେ ସିଭିଲ ସର୍ଭିସ ଆଶାୟୀ । ମୋର ଘରେ ଗୋଟିଏ ଉଭଣୀ ଅଛନ୍ତି । ଯଦି ଆମ ଭଳି ଶିକ୍ଷିତ ଲୋକ ଯୌତୁକ ପରି କୁପ୍ରଥାକୁ ବନ୍ଦ ନକରିବା ତାହାଲେ ସମାଜ ପରିବର୍ତ୍ତନ କେମିତି ହେବ । ଆମ ସମସ୍ତଙ୍କୁ ଯୌତୁକ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଡିବ । ପରମବୀରଙ୍କ ବାପା କହିଛନ୍ତି ଆମେ ଟଙ୍କା ନେବାକୁ ମନା କରିଥିଲୁ କେବଳ ନିୟମ ଅନୁସାରେ ଏକ ଟଙ୍କା ଓ ନଡିଆ ଗ୍ରହଣ କରିଥିଲୁ । ପରମବୀରଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।ସତରେ ସବୁ ପୁରୁଷଙ୍କ ଚିନ୍ତାଧାରା ଯଦି ପରମବୀରଙ୍କ ପରି ହୋଇଯିବ ତେବେ ଏ ସମାଜରୁ ଯୌତୁକ ପ୍ରଥା ଲୋପ ପାଇଯିବ ।