ଜ୍ଞାନେଶ କୁମାରଙ୍କ ନିଯୁକ୍ତିରେ ପରିବାର ଖୁସି, ବଡ଼ ଝିଅ ଡିଏମ୍-ସାନ ଝିଅ IRS; ଦୁଇ ଜ୍ୱାଇଁ IAS

Published By : Prameya-News7 Bureau | February 18, 2025 IST

ନୂଆଦିଲ୍ଲୀ: ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ । ସିଇସି ଚୟନ ସମ୍ପର୍କିତ କମିଟିର ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇସାରିଛି । 

୧୯୮୮ ବ୍ୟାଚ୍‌ର କେରଳ କ୍ୟାଡ୍‌ର ଆଇଏଏସ୍ ଅଫିସର ଜ୍ଞାନେଶ କୁମାର ଗୁପ୍ତାଙ୍କ ଜନ୍ମ ସ୍ଥାନ ହେଉଛି ଆଗ୍ରା । ତାଙ୍କ ବାପା ଡ.ସୁବୋଧ କୁମାର ଗୁପ୍ତା ଏବଂ ମାଆ ସତ୍ୟବତୀ ଗୁପ୍ତା ବିଜୟ ନଗର କଲୋନୀରେ ବାସ କରୁଛନ୍ତି । ବାପା ମୁଖ୍ୟ ଚିକିତ୍ସା ଅଧିକାରୀ ପଦରୁ ଅବସର ନେଇଥିଲେ । ଜ୍ଞାନେଶ କୁମାରଙ୍କ ପରିବାରରେ ଅଧିକାଂଶ ମେଡିକାଲରେ ନିଜ କ୍ୟାରିୟର କରିଥିବା ବେଳେ ସେ ଏଥିରୁ ଅଲଗା ରାସ୍ତା ବାଛିଥିଲେ । 

ଜ୍ଞାନେଶ କୁମାର ଗୁପ୍ତା ପିଲାଟି ଦିନରୁ ପ୍ରତିଭାବାନ ଥିଲେ । ବାରାଣସୀର କ୍ୱିନ୍ସ କଲେଜରେ ସେ ଟପର୍ ରହିଥିଲେ । ଲୌକ୍ଷ୍ନର କାଲୱିନ୍ ତାଲୁକେଦାର କଲେଜରେ ଦ୍ୱାଦଶ ସେ ଟପ୍ କରିଥିଲେ । ଏହାପରେ ସେ ଆଇଆଇଟି କାନପୁରରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ । ପରେ ସେ ସିଭିଲ୍ ସେବା ପରୀକ୍ଷା ପ୍ରସ୍ତୁତି କରିବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ଗୋଟିଏ ବର୍ଷ ପାଇଁ ହୁଡକୋରେ କାମ କରିଥିଲେ । ୧୯୮୮ରେ ସେ ସିଭିଲ୍ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କେରଳ କ୍ୟାଡ୍‌ରର ଆଇଏଏସ୍‌ ଅଧିକାରୀ ହୋଇଥିଲେ । ପ୍ରଥମ ନିଯୁକ୍ତି ଥିରୁଅନନ୍ତପୁରମରେ ଡିଏମ୍ ଭାବେ ହୋଇଥିଲା । ସେ ହାଭର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରୀରେ ସ୍ନାତକତ୍ତୋର କରିଥିଲେ । ୟୁପିଏ ସରକାର ସମୟରେ ୨୦୦୭ରୁ ୨୦୧୨ ଯାଏ ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ସେ କେରଳ ସରକାରଙ୍କ ଦିଲ୍ଲୀ ରେସିଡେଣ୍ଟ କମିଶନର ଥିଲେ । 

ଜ୍ଞାନେଶ କୁମାରଙ୍କ ପରିବାରର ୨୮ ଜଣ ଡାକ୍ତର ଅଛନ୍ତି । ମାଆ ସତ୍ୟବତୀ ଯୋଗ ପ୍ରଶିକ୍ଷକ ଅଛନ୍ତି । ଜ୍ଞାନେଶ କୁମାରଙ୍କ ବଡ଼ ଝିଅ ମେଘା ରୁପମ ବର୍ତ୍ତମାନ କାସଗଞ୍ଜ ଜିଲ୍ଲାର ଜିଲ୍ଲାଧିକାରୀ ଅଛନ୍ତି । ତାଙ୍କ ସ୍ୱାମୀ ମନୀଷ ବଂଶଲ ମଧ୍ୟ ଆଇଏଏସ୍ ଏବଂ ଦୁହେଁ ୨୦୧୪ ବ୍ୟାଚ୍‌ର ଆଇଏଏସ୍ । ଜ୍ଞାନେଶଙ୍କ ଦ୍ୱିତୀୟ ଝିଅ ଅଭିଶ୍ରୀ ଆଇଆରଏସ୍ ଅଧିକାରୀ ଏବଂ ତାଙ୍କ ସ୍ୱାମୀ ଅକ୍ଷୟ ଲାରୁ ଆଇଏଏସ୍ ଅଫିସର । ପୁଅ ଅରନବଙ୍କ ପାଠ ପଢା ଚାଲିଛି । ନୂଆ ସିଇସିଙ୍କ ଭାଇ ମନୀଷକୁମାର ଆଇଆରଏସ୍ ଅଧିକାରୀ ଏବଂ ତାଙ୍କ ଭଉଣୀ ରୋଲି ଇନ୍ଦୋରରେ ସ୍କୁଲ ଚଲାଉଥିବା ବେଳେ ଭିଣୋଇ ଉପେନ୍ଦ୍ର ଜୈନ ଜଣେ ଆଇପିଏସ୍ ଅଧିକାରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.