ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର, ୨୦୨୯ ଜାନୁୟାରୀରେ ସରିବ କାର୍ଯ୍ୟକାଳ

Published By : Prameya-News7 Bureau | February 19, 2025 IST

ନୂଆଦିଲ୍ଲୀ ୧୯/୦୨: ଦାୟିତ୍ୱ ନେଲେ ଦେଶର ନବ ନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଗୁପ୍ତା । ବିଦ୍ଧିବଧ ଭାବେ ସେ ଆଜି ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶର ୨୬ତମ ସିଇସି ଭାବେ ପଦ ସମ୍ଭାଳିଛନ୍ତି ଜ୍ଞାନେଶ କୁମାର । ସେ ପୂର୍ବତନ ସିଇସି ରାଜୀବ କୁମାରଙ୍କ ସ୍ଥାନ ନେଇଛନ୍ତି । 

୨୦୨୯ ଜାନୁଆରୀ ୨୯ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ତେବେ ଦାୟିତ୍ନ ନେବା ପରେ ସେ ରଖିଛନ୍ତି ତାଙ୍କର ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ । ଭୋଟରଙ୍କ ସହ ଇସିଆଇ ସବୁବେଳେ ରହିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ୧୯୮୮ ବ୍ୟାଚ୍‌ ଅବସରପ୍ରାପ୍ତ IAS ଅଧିକାରୀ ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି । 

କେରଳ କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚୟନ ବୈଠକରେ ଜ୍ଞାନେଶ କୁମାରଙ୍କ ନାମରେ ମୋହର ବାଜିଥିଲା । ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଜ୍ଞାନେଶ କୁମାରଙ୍କ ଜନ୍ମ । ପିଲାଟି ଦିନରୁ ପ୍ରତିଭାବାନ ଥିଲେ ସେ । ବାରାଣସୀର କ୍ୱିନ୍ସ କଲେଜରେ ଟପର୍ ରହିଥିଲେ । 

also read...

କେରଳ କ୍ୟାଡର IAS, ରାମ ମନ୍ଦିର ଟ୍ରଷ୍ଟରେ କେନ୍ଦ୍ରର ପ୍ରତିନିଧୀ ରହିସାରିଛନ୍ତି ନୂଆ ସିଇସି

୧୯୮୮ରେ ସିଭିଲ୍ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେରଳ କ୍ୟାଡ୍‌ରର ଆଇଏଏସ୍‌ ଅଧିକାରୀ ହୋଇଥିଲେ । ପ୍ରଥମେ ଥିରୁଅନନ୍ତପୁରମରେ ଡିଏମ୍ ଭାବେ ନିଯୁକ୍ତ ହୋଇଥିଲା । ୟୁପିଏ ସରକାର ସମୟରେ ୨୦୦୭ରୁ ୨୦୧୨ ଯାଏ ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ସେ କେରଳ ସରକାରଙ୍କ ଦିଲ୍ଲୀ ରେସିଡେଣ୍ଟ କମିଶନର ଥିଲେ । 

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ରୁ ନେଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପ୍ରତିଷ୍ଠା ଯାଏ ଜ୍ଞାନେଶ କୁମାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ଭିତରେ ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ, ୨୦୨୬ରେ କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.