ଜ୍ଞାନେଶ କୁମାର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର, ଚୟନ କମିଟି ବୈଠକରେ ହେଲା ନିଷ୍ପତ୍ତି

Published By : Prameya-News7 Bureau | February 17, 2025 IST

ନୂଆଦିଲ୍ଲୀ: ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଛି। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର। 

ଏହା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା, କେନ୍ଦ୍ର ସରକାର ନିର୍ବାଚନ ଆୟୋଗ ଉପରେ ନିୟନ୍ତ୍ରଣ ଚାହୁଁଛି।  ସିଇସି ଚୟନ କମିଟିରେ ଭାରତର ପ୍ରଧାନ ବିଚାରପତିଙ୍କୁ ହଟାଇ କେନ୍ଦ୍ର ସରକାର ସ୍ପଷ୍ଟ କରି ଦେଇଛି ଯେ, ନିର୍ବାଚନ ଆୟୋଗରେ ନିରପେକ୍ଷତା ଚାହୁଁ ନାହାନ୍ତି ବରଂ ତା ଉପରେ ନିୟନ୍ତ୍ରଣ ଚାହୁଁଛନ୍ତି। 

ରାଜୀବ କୁମାର ଅବସର ନେବା ପରେ ଜ୍ଞାନେଶ କୁମାର ବରିଷ୍ଠତା ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୬ ପର୍ଯ୍ୟନ୍ତ ରହିଛି। ଚୟନ କମିଟିରେ ପାରଦର୍ଶିତା ପାଇଁ କେନ୍ଦ୍ର ସରକାର ନିକଟରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିକୁ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୋଗର ନିଯୁକ୍ତି ପାଇଁ ଦାୟିତ୍ଵ ଦିଆଯାଇଥିଲା। 

ଜ୍ଞାନେଶ କୁମାର ନୂଆ ଆଇନ ଆଧାରରେ ହେବାକୁ ଥିବା ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର। ଏହି ଆଇନରେ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଗୃହ ମନ୍ତ୍ରୀଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି। ପୂର୍ବରୁ ଏହି ଚୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଥିଲେ। ଆଜି ଅନୁଷ୍ଠିତ ବୈଠକରେ ଜ୍ଞାନେଶ କୁମାରଙ୍କ ଉପରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ମୋହର ମାରିଛି ଚୟନ କମିଟି। 

ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ‘ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ (୨୦୨୩ର ଆଇନ ସଂଖ୍ୟା ୪୯)ର ଧାରା ୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି  ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରିଛନ୍ତି ।’ ନୂତନ ସିଇସି ଆସନ୍ତା ବର୍ଷ ବିହାର ବିଧାନସଭା ନିର୍ବାଚନ ବେଙ୍ଗଲ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ନିର୍ବାଚନ ପରିଚାଳନା ତଦାରଖ କରିବେ। ସେହିଭଳି ୧୯୮୯ ବ୍ୟାଚର IAS ଡକ୍ଟର ବିବେକ ଯୋଶୀଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.