ହୃଦରୋଗୀଙ୍କ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା,SCBରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ

Published By : Prameya-News7 Bureau | November 16, 2024 IST

କଟକ ୧୬/୧୧: ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆଉ ହଇରାଣ ହେବେନି ଗୁରୁତର ରୋଗୀ । ବାରମ୍ବାର ବାହାର ମେଡିକାଲକୁ ଦୌଡିବାକୁ ପଡିବନି । କାହିଁକି ନା କଟକ ଏସ୍‌ସିବି ମେଡିକାଲରେ ଆରମ୍ଭ ହେବାକୁ ଯାଉଛି ହୃଦୟ ପ୍ରତିରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା। ଏହାକୁ କାର୍ଯ୍ୟକ୍ଷମ ପାଇଁ ପ୍ରାୟ ୩ ମାସ ସମୟ ଲାଗିବ । ସେ ସମ୍ବନ୍ଧୀୟ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଚେନ୍ନାଇର ଏମ୍‌ଜିଏମ୍‌ ବା ମହାତ୍ମାଗାନ୍ଧି  ହସ୍‌ପିଟାଲ ସହାୟତାରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଶନିବାର ଭିତ୍ତିଭୂମି ତଦାରଖ ପରେ ଏ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

କିଡ୍‌ନୀ, ଲିଭର ପରେ ହାର୍ଟ ଟ୍ରାନ୍ସ ପ୍ଲାଣ୍ଟ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଶନିବାର ପ୍ରଥମ ପର୍ଯ୍ୟାୟରେ ୪ ଜଣ ହୃଦ ରୋଗୀଙ୍କ ସ୍କ୍ରିନିଂ କରାଯାଇଛି । ଏଥି ସହ ଚେନ୍ନାଇ ଏମ୍‌ଜିଏମ୍‌ରୁ ଆସିଥିବା ଡାକ୍ତରୀ ଟିମ୍‌ଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ଏମ୍‌ଜିଏମ୍‌ ଚେନ୍ନାଇ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇସାରିଛି । ତେବେ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ କିଛି ମାସ ସମୟ ଲାଗିଲା । କରୋନା ସମୟରେ ଏସ୍‌ସିବି ମେଡିକାଲରେ ଏକମୋ ମେସିନ ସ୍ଥାପନ ହୋଇଥିଲା । ଯାହା ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ବରଦାନ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।

ତେବେ ଏଭଳି ଗୁରୁତ୍ବପୂର୍ଣ୍ଣ କାମ ଲାଗି ଅର୍ଗାନ ଡୋନର ମାନଙ୍କର ମଧ୍ୟ ଆବଶ୍ୟକତା ରହିଛି । ଟ୍ରାନ୍ସପ୍ଲାଣ୍ଟ ସେତେବେଳେ ସମ୍ଭବ ହେବ ଯେତେବେଳେ କୌଣସି ଡୋନର ଅଙ୍ଗଦାନ ଲାଗି ସମ୍ମତି ଦେବେ । ଏଥିସହ ବ୍ରେଡଡେଡ ଅବସ୍ଥାରେ ଥିବା କୌଣସି ରୋଗୀଙ୍କ ପରିବାର ଲୋକ ଅଙ୍ଗଦାନ କରିବାକୁ ରାଜି ହେଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇପାରିବ । ପୂର୍ବ ଅପେକ୍ଷା ଏବେ ରାଜ୍ୟରେ ଅର୍ଗାନ ଡୋନରଙ୍କ ସଂଖ୍ୟା ବଢୁଛି । ଫଳରେ ଏସ୍‌ସିବି ମେଡିକାଲରେ କିଡନୀ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିଛି । ଏହି କ୍ରମରେ ଯୋଡି ହେବାକୁ ଯାଉଛି ହୃଦରୋଗ ବିଭାଗ ।ଏହା କାର୍ଯ୍ୟକ୍ଷମ ହେଲେ ଗୁରୁତର ହୃଦରୋଗୀ ବିଶେଷ ଲାଭ ପାଇପାରିବେ । 

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.