ଭୋକର ଜ୍ବାଳା ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ କରିଛି: ସରକାରଙ୍କୁ ବିଜୟଙ୍କ ଟାର୍ଗେଟ ପରେ କ’ଣ ଜବାବ ରଖିଲେ ଜୟନାରାୟଣ ?

Published By : Prameya-News7 Bureau | November 12, 2024 IST

political

ଭୁବନେଶ୍ବର ୧୨/୧୧: ୩ ମାସ ହେବ ଚାଉଳ ମିଳିନି । ଭୋକର ଜ୍ବାଳା ସହିନପାରି ଆମ୍ବଟାକୁଆ ଖାଇବାକୁ ବାଧ୍ୟ ହୋଇଛନ୍ତି । କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର । ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ କହିବା ସହ ସେଠି ଲୋକଙ୍କୁ ୩ ମାସ ହେବ ସରକାରୀ ଚାଉଳ ମିଳିନଥିବାର ଆଣିଛନ୍ତି ସଂଗୀନ ଅଭିଯୋଗ । ପ୍ରତି ମାସରେ ଚାଉଳ ବଣ୍ଟନର ବ୍ୟବସ୍ଥା ରହିଛି । କିନ୍ତୁ ମାଣ୍ଡିପଙ୍କା ଗାଁରେ କାହିଁକି ଚାଉଳ ମିଳିନଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ସେହିପରି ୪ ମାସ ଧରି ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲକୁ ଯାଇନି । କାହିଁକି ଚାଉଳ ଦେଉନଥିଲେ। ସରକାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜୟ । 

ଆମ୍ବ ଟାକୁଆ ଖାଇବା ଆଦିବାସୀଙ୍କ ପରମ୍ପରା ନୁହେଁ । ଭୋକର ଜ୍ବାଳା ସହିନପାରି ଆମ୍ବ ଟାକୁଆ ଖାଆନ୍ତି ଆଦିବାସୀ ଲୋକେ । ଆମ୍ବ ଟାକୁଆ ଖାଇବା କିଛି ନୂଆ କଥା ନୁହେଁ । କିନ୍ତୁ ଆମ୍ବ ଟାକୁଆ ଖାଇ ମରିବା ଅଭାବନୀୟ । ବହୁ ଦିନ ପରେ ଏମିତି ଘଟଣା ଘଟିଲା । ଗାଁର ଅଧିକାଂଶ ପୁରୁଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଗାଁ ଲୋକଙ୍କର ନିଜର ଚାଷ ଜମି ବି ନାହିଁ । ଯେଉଁମାନେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ରିଲିଫ ଫଣ୍ଡରୁ ସହାୟତା ଦିଆଯାଇପାରିବ । କିନ୍ତୁ ସରକାର ଆଜି ଯାଏ ଦେଇନାହାନ୍ତି । ସରକାର ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ କରିବା ଦରକାର । ସରକାରୀ ଅଫିସର ମାନେ ଭୁବନେଶ୍ବରରୁ ବିବୃତ୍ତି ନଦେଇ ଗାଁକୁ ଯିବା ଦରକାର । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ । ସେଠାରେ ଲୋକଙ୍କୁ ରାସନ ଆଣିବା ପାଇଁ ୧୦ କିମି ଚାଲି ଚାଲି ଯିବାକୁ ପଡୁଛି । ସେଠାରେ ସ୍ବଚ୍ଛ ପିଇବା ପାଣି ନାହିଁ । ସରକାର ଗାଁରେ କେମିତି ରାସନ ଓ ସ୍ବଚ୍ଛ ପାନୀୟ ଜଳ ମିଳିବ ସେ ନେଇ ବ୍ୟବସ୍ଥା କରନ୍ତୁ । ନିକଟସ୍ଥ ମେଡିକାଲରେ ଡାକ୍ତର ନାହାନ୍ତି । 


ସେପଟେ ବିଜୟ ମହାପାତ୍ରଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କହିଛନ୍ତି ବିଜୟ ମହାପାତ୍ର କାହା ପାଇଁ ବ୍ୟାଟିଂ କରୁଛନ୍ତି କହିପାରିବିନି। କିନ୍ତୁ ତାଙ୍କ ପୁଅ ବିଜେଡ଼ିରେ ଅଛନ୍ତି। ବିଜେଡ଼ିର ଆୟୁଷ ବହୁତ କମ୍। ଆମ୍ବ ଟାକୁଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖିଆଯାଏ। ଏ ସରକାର ୪ ମାସରେ ଲୋକ ଆମ୍ବ ଟାକୁଆ ଖାଇ ଭୋକରେ ମରିଗଲେ !  ଆଜିର ଦିନରେ ଯିଏ ଭୋକରେ ମଲା ବୋଲି କହୁଛି ତାଠୁ ଭୁଲ୍ କଥା ଆଉ କିଛି ନାହିଁ। ରାସନ କଣ ଲୋକ ଖାଉଛନ୍ତି? ରାସନ ନେଇକି ଲୋକେ କଣ କରୁଛନ୍ତି ଆପଣ ଅନୁସନ୍ଧାନ କରନ୍ତୁ ଗ୍ରାମାଞ୍ଚଳରେ। ବିଜେଡ଼ି ସମୟରେ ଲୋକେ ପଥର ଓ ମାଟି ଖାଉଥିଲେ। ସେକଥା ଆଜି ବିଜେଡ଼ି କଣ ଉତ୍ତର ରଖିବ। ସପ୍ଲାଇ ଇନ୍ସପେକ୍ଟର କି ସରପଞ୍ଚ ଚାଉଳ ଦେଇନଥିବ। ଏଥିରେ ସରକାର କେଉଁଠୁ ଆସିଲେ ?  ଅଭିଯୋଗ ଆସିଲା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯାଇଛି। 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.