ରାଜ୍ୟରେ ଶୀତର ପ୍ରକୋପ ଜାରି, ଆଗକୁ ଆହୁରି ଖସିବ ପାରଦ

Published By : Prameya-News7 Bureau | December 14, 2024 IST

ଭୁବନେଶ୍ୱର ୧୪।୧୨ : ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ରାଉରକେଲାରେ ରାତି ତାପମାତ୍ରା ୮.୪  ଡିଗ୍ରୀ ସେଲସିୟସ୍‌କୁ ଖସିଛି । ୨୬ଟି  ସହରରେ ୧୫ ଡିଗ୍ରୀ ତଳେ ରହିଛି ପାରଦ । ଆଗକୁ ଶୀତ ଆହୁରି ବଢ଼ିବ । ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ଥିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

ଶୁକ୍ରବାର ରାଉରକେଲାର ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । ୧୫  ତାରିଖରେ ରାଉରକେଲାରେ ୭ ଡିଗ୍ରୀକୁ  ଖସିବ ପାରଦ। ୧୬ ତାରିଖରେ ବି  ଜାଡ଼ରେ ଥରିବ ରାଉରକେଲା ଓ  ଏହାର ଆଖପାଖ ଅଞ୍ଚଳ। ଝାରସୁଗୁଡ଼ା, ବୌଦ୍ଧ, ଫୁଲବାଣୀ ଓ କେନ୍ଦୁଝରରେ ୯  ଡିଗ୍ରୀ, ସୁନ୍ଦରଗଡ଼, ଭବାନୀପାଟଣା, କୋରାପୁଟ, ଢେଙ୍କାନାଳ ଓ ବାରିପଦାରେ ୧୦ ଡିଗ୍ରୀ, ବଲାଙ୍ଗୀରରେ ରାତି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍‌ ରହିବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ବୁଧବାର ରାଉରକେଲାରେ ରାତି  ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌ ଥିଲା । ଝାରସୁଗୁଡ଼ାରେ ତାପମାତ୍ରା ୯.୮ ଡିଗ୍ରୀ, ଫୁଲବାଣୀରେ ୧୦ ଡିଗ୍ରୀ,  ବୌଦ୍ଧରେ ୧୦.୪, ଅନୁଗୁଳ ଓ   କେନ୍ଦୁଝରରେ ୧୦.୬, ଦାରିଙ୍ଗିବାଡ଼ିରେ ୧୧ ଡିଗ୍ରୀ ଓ ଭବାନୀପାଟଣା ଓ  ସୁନ୍ଦରଗଡ଼ରେ ୧୧.୨ ଡିଗ୍ରୀ ରହିବା ଯୋଗୁ  ପ୍ରବଳ ଶୀତ ଅନୁଭୂତ ହୋଇଛି । ୨୬ଟି ସହର ୧୫ ଡିଗ୍ରୀ ତଳକୁ ଖସି ଆସିଛି । 

୧୬ ତାରିଖ ଯାଏ ରାଜ୍ୟରେ ଏଭଳି  ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ  ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅଧ ଡିଗ୍ରୀରୁ ଏକ   ଡିଗ୍ରୀ ଯାଏ କମିବ। ୧୫ ତାରିଖରୁ ଉତ୍ତର-ପଶ୍ଚିମ ଭାରତରୁ ଓଡ଼ିଶାକୁ   ପଶ୍ଚିମା ବାୟୁ ପ୍ରବାହ ହେବ। ସେହିଭଳି   ୧୬ ତାରିଖରେ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି । 

୧୭  ତାରିଖଠାରୁ ରାଜ୍ୟରେ ରାତି ତାପମାତ୍ରା  ୨ରୁ ୪ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ  କରିଛି । ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟର କିଛି ସ୍ଥାନରେ ଘନ କୁହୁଡ଼ି  ଦୃଶ୍ୟମାନ ହୋଇପାରେ । ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡିରେ ହାଲୁକାରୁ ମଧ୍ୟମ  ଧରଣର କୁହୁଡ଼ି ଦେଖା ଦେଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗୁରୁବାର ବାରିପଦାରେ  ତାପମାତ୍ରା ୧୧.୬, ଢେଙ୍କାନାଳ ଓ   କୋରାପୁଟରେ ୧୨, ତାଳଚେର ଓ  ବଲାଙ୍ଗିରରେ ୧୨.୬, ସୋନପୁରରେ ୧୩, ବାଲେଶ୍ୱରରେ ୧୩.୧, କଟକରେ  ୧୩.୪, ହୀରାକୁଦରେ ୧୩.୭,  ଟିଟିଲାଗଡ଼ରେ ୧୩.୮, କେନ୍ଦ୍ରାପଡ଼ାରେ   ୧୪.୨, ରାୟଗଡ଼ାରେ ୧୪.୬ ଓ  ଜଗତସିଂହପୁରରେ ୧୪.୮ ଡିଗ୍ରୀ ସେଲସିୟସ୍‌ ରହିଥିଲା । 

ଗତ ୨୪ ଘଣ୍ଟାରେ ଶିମିଳିପାଳରେ ତୁଷାରପାତ ହୋଇଛି । ଶିମିଳିପାଳରେ ଘନ କୁହୁଡ଼ିର ଆସ୍ତରଣ ପଡୁଛି। ତୁଷାରପାତ ଯୋଗୁ ଗଛ ଓ ଘାସଲତାରେ  ବରଫର ଚାଦର ଥିବା ଭଳି ପ୍ରତୀୟମାନ ହେଉଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଉପର ବାର୍ହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଚହଲାରେ ୪ ଡିଗ୍ରୀ, ବରେହିପାଣିରେ   ୭ ଡିଗ୍ରୀ, ଗୁଡୁଗୁଡ଼ିଆରେ ୭ ଡିଗ୍ରୀ, ରାମତୀର୍ଥରେ ୧୦ ଡିଗ୍ରୀ ଓ  କିଆଝରୀରେ ୧୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.