ଜୁଲାଇ ମାସରେ ସକ୍ରିୟ ମୌସୁମୀ, ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

Published By : Prameya-News7 Bureau | July 02, 2024 IST

ଭୁବନେଶ୍ୱର ୦୨।୦୭ :  ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଜୁଲାଇରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁଲାଇ ମାସକୁ ନେଇ ଭାରତୀୟ ପାଣିପାଗ ବିଭାଗ( ଆଇଏମ୍‌ଡି) କରିଥିବା ଆକଳନ ଅନୁସାରେ, ଦେଶରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ । ଜୁଲାଇରେ ଉତ୍ତର-ପୂର୍ବ, ଉତ୍ତର ପଶ୍ଚିମ ଓ ଦକ୍ଷିଣ ପୂର୍ବ ଭାରତରେ ବର୍ଷା ପରିମାଣ କମ୍‌ ରହିବ । ଏବେ ପ୍ରଶାନ୍ତ ମହାସାଗରର ବିଷୁବମଣ୍ଡଳ ଉପରେ ଏଲ୍‌ ନିନୋ ସାଉଥର୍ଣ୍ଣ ଓସିଲେସନ୍‌(ଇଏନଏସଓ) ନିଉଟ୍ରାଲ ସକ୍ରିୟ ରହିଛି। ମୌସୁମୀର ମଧ୍ୟ ଆଡ଼କୁ ଲା-ନିନା ସକ୍ରିୟ ହେବ । ଏବେ ଭାରତ ମହାସାଗର ଉପରେ ଭାରତ ମହାସାଗର  ଡାଏପୋଲ(ଆଇଓଡି) ସ୍ଥିତି ରହିଛି ଓ ମୌସୁମୀ ଶେଷ ଯାଏ ଏଭଳି ସ୍ଥିତି ରହିବ ।

ଜୁଲାଇରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର,  ଭଦ୍ରକ, ଯାଜପୁର, ଦେବଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ୭୫% ଅଧିକ । ବାକି ଅନ୍ୟ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି ।

ତେବେ ୨ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଜଗତ୍‌ସିଂହପୁରରେ ୨୦.୧, ସମ୍ବଲପୁର ଓ ଭୁବନେଶ୍ୱରରେ ୧୧.୨, ରାୟଗଡ଼ାରେ ୫.୨ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.