ଦିଲ୍ଲୀକୁ ପହଞ୍ଚିବା ପରେ ମୌସୁମୀ ଦୁର୍ବଳ, ବର୍ଷା ପୂର୍ବାନୁମାନ ବଦଳାଇଲେ IMD

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ ୨।୭: ରାଜଧାନୀ ଦିଲ୍ଲୀରେ ଗତ ୩ ଦିନ ହେଲା ବାଦଲ ଲୋକଙ୍କୁ ନିରାଶ କରୁଛି। ପାଣି ପାଗ ବିଭାଗ ମଧ୍ୟମରୁ ଭୀଷଣ ବର୍ଷା ପୂର୍ବାନୁମାନ କରୁଛନ୍ତି। ହେଲେ ଅନେକ ଅଞ୍ଚଳରେ ଏହା ହାଲୁକା ବର୍ଷାରେ ସୀମିତ ରହୁଛି। ଏବେ ପାଣିପାଗ ବିଭାଗ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରୁଛନ୍ତି। ଚଳିତ ବର୍ଷ ଦିଲ୍ଲୀକୁ ମୌସୁମୀର ଧମାକାଦାର ଏଣ୍ଟ୍ରି ହୋଇଥିଲା। ଜୁନ ୨୮ ତାରିଖର ବର୍ଷା ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଥିଲା। ତେବେ ତା ପରଠାରୁ ବର୍ଷା ଗାୟବ ହୋଇଯାଇଛି। 

ପାଣିପାଗ ବିଭାଗ ଗତ ୩ ଦିନ ହେଲା ଜାତୀୟ ରାଜଧାନୀରେ ମଧ୍ୟମରୁ ଭୀଷଣ ବର୍ଷାର ପୂର୍ବାନୁମାନ କରୁଛନ୍ତି। ହେଲେ ଏହି ୩ ଦିନରେ କେବଳ ଝିପ ଝିପ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ହେଲେ ମୌସୁମୀ ରେଖା ନିକଟକୁ ପହଞ୍ଚୁ ନଥିବାରୁ  ଭଲ ରକମ ବର୍ଷା ହେଉ ନାହିଁ । ଏଣୁ ପାଣିପାଗ ବିଭାଗ ତାଙ୍କ ପୂର୍ବାନୁମାନ ବଦଳାଇଛନ୍ତି। ବୁଧବାର ରାଜଧାନୀ ଦିଲ୍ଲୀର ଅଲଗା ଅଲଗା ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। 

ବର୍ଷା ଅଚାନକ ବନ୍ଦ ହୋଇଯିବା ଯୋଗୁ ଦିଲ୍ଲୀରେ ଏବେ ଗୁଳଗୁଳି ପାଗ ଲୋକଙ୍କୁ ଅତିଷ୍ଠ କରୁଛି। ମଙ୍ଗଳବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଖୋଲା ସୂର୍ଯ୍ୟାଲୋକ ଦେଖାଯାଇଛି। ତେବେ ଆକାଶରେ ବାଦଲ ମଧ୍ୟ ରହିଛି। ଏଣୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଯାହା ଦ୍ୱାରା ଗୁଳଗୁଳି ଆହୁରି ବଢି ଯାଇଛି। ସଫଦରଜଙ୍ଗ ପାଣିପାଗ କେନ୍ଦ୍ରରେ ଦିନର ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଯାହା ସ୍ୱଭାବିକରୁ ୧ ଡିଗ୍ରି ସେଲସିୟସ କମ୍। ସେହିପରି ସର୍ବନିମ୍ନ ତାପମାତ୍ରା ୩୦.୭ ଡିଗ୍ରି ସେଲସିୟସ ରହିଛି, ଯାହା ସ୍ୱଭାବିକଠାରୁ ୩ ଡିଗ୍ରି ଅଧିକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.