ଭୁବନେଶ୍ୱର ୦୯।୦୪: ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ମେ ଓ ଜୁନ୍ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ଜୁନ୍ ମାସରେ ଠିକ୍ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ବର୍ଷାର ସମ୍ଭାବ୍ୟ ସ୍ଥିତି ଓ ମୌସୁମୀ ଆଗମନକୁ ନେଇ ଏଭଳି ପ୍ରାଥମିକ ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ । ଡ. ପଶୁପାଳକ ଆକଳନ କରି କହିଛନ୍ତି, ଏପ୍ରିଲ ଆରମ୍ଭରେ ନିନୋର ସମୁଦ୍ର ପତ୍ତନ ତାପମାତ୍ରା ୦.୧ଡିଗ୍ରୀ ସେଲସିୟସ୍ ରହିଥିଲା। ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଏହା ୦.୫ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବ ।
ସେପ୍ଟେମ୍ବର ଯାଏ ୦.୮ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ୪୦%ରୁ କମ୍ । ଏପ୍ରିଲ ଓ ମେ ମାସରେ ଇଏନ୍ଏସଓ ନିଉଟ୍ରାଲ ଅବସ୍ଥାରେ ରହିବାର ଶତ ପ୍ରତିଶତ ସମ୍ଭାବନା ଅଛି । ଜୁନ୍ ମାସରେ ୯୫% ରହିବ । ଏହା କ୍ରମଶଃ କମି ସେପ୍ଟେମ୍ବର ସୁଦ୍ଧା ନିଉଟ୍ରାଲ ଅବସ୍ଥାକୁ ଖସିପାରେ । ଏବର୍ଷ ମୌସୁମୀ ଯାଏ ଏଲ୍ନିନୋ ଆସିବନି । ସାଧାରଣତଃ ଏଲ୍ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ ବୋଲି ଡ. ପଶୁପାଳକ କହିଛନ୍ତି । ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ୱିତୀୟ କାରକ ହେଲା ଆଇଓଡି(ଇଣ୍ଡିଆନ ଓସେନ୍ ଡାଏପୋଲ୍) । ଏପ୍ରିଲ ଆରମ୍ଭରେ ଆଇଓଡି ସୂଚକାଙ୍କ ତ୍କ୦.୪ ଡିଗ୍ରୀ ଥିଲା। ମେ ମାସ ପରେ କ୍ରମଶଃ କମିବ । ଅଗଷ୍ଟ ଓ ସେପ୍ଟେମ୍ବର ବେଳକୁ ଏହା ବିଯୁକ୍ତ - ୦.୪ ଡିଗ୍ରୀରେ ପହଞ୍ଚିପାରେ । ଆଇଓଡି ପଜିଟିଭ୍ ରହିଲେ ମୌସୁମୀ ବର୍ଷା ଭଲ ହୁଏ । କିନ୍ତୁ ଏହାର ସମ୍ଭାବନା ମୌସୁମୀ ବେଳେ କମ୍ ରହିଛି ବୋଲି ସେ କହିଛନ୍ତି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଆସନ୍ତା ୨୪ ଘଣ୍ଟାରେ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।