ଜୁନ ୨୯ରୁ ଅମରନାଥ ଯାତ୍ରା, ଆରମ୍ଭ ହେଲା ହେଲିକପ୍ଟର ବୁକିଂ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ ୧୬।୬: ଅମର ନାଥ ସ୍ରାଇନବୋର୍ଡ ଜୁନ ୨୯ରୁ ଆରମ୍ଭ ହେବାକୁ ଥିବା ୫୨ ଦିବସୀୟ ଶ୍ରୀ ଅମରନାଥ ଯାତ୍ରା ଲାଗି ବାଲଟାଲ ଓ ପହଲଗାଁବ ମାର୍ଗ ନିମନ୍ତେ ହେଲିକପ୍ଟର ବୁକିଂ ସେବା ଆରମ୍ଭ କରିଛନ୍ତି। ବାବା ଅମରନାଥ ଯାତ୍ରା ଜୁନ ୨୯ରୁ ଆରମ୍ଭ ହୋଇ ୧୯ ଅଗଷ୍ଟ ରକ୍ଷାବନ୍ଧନରେ ଶେଷ ହେବ। ଅଧିକାରୀକ ସୂତ୍ର ଅନୁସାରେ ବାଲଟାଲ ମାର୍ଗ ଲାଗି ନିଲଗ୍ରଥ-ପଞ୍ଜତରଣୀ-ନିଲଗ୍ରଥ ଲାଗି ହେଲିକପ୍ଟର ସେବା ପ୍ରଦାନ କରାଯାଉଛି। 

ସେହିପରି ଏହି ହେଲିକପ୍ଟର ସେବା ପହଲଗାଁବ-ପଞ୍ଜତରଣୀ-ପହଲଗାଁବ ମାର୍ଗରେ ଉପଲବ୍ଧ ହେବ। ସୂତ୍ର ଅନୁସାରେ ଅଧିକାରୀକ ୱେବସାଇଟରେ ହେଲିକପ୍ଟର ସେବାର ଅଲାଇନ ବୁକିଂ କରାଯାଇ ପାରିବ। ଅଫଲାଇନ ଟିକେଟ୍ ଅଥବା ପ୍ରାଥମିକତା ଉପଲବ୍ଧ ହେବ ନାହିଁ। ବୁକିଂ ଫାଷ୍ଟକମ ଫାଷ୍ଟ ସର୍ଭିସ ଆଧାରରେ ହେବ। ପହଲଗାଁବରୁ ପଞ୍ଜତରଣୀ ପର୍ଯ୍ୟନ୍ତ ହେଲିକପ୍ଟର ଭଡା ପ୍ରତି ବ୍ୟକ୍ତି ୪,୯୦୦ ଟଙ୍କା ପୈଠ କରିବାକୁ ପଡିବ। ସେହିପରି ଦୁଇପଟ ଯିବାଆସିବା ପାଇଁ ୯୮୦୦ ଟଙ୍କା ଦେବାକୁ ପଡିବ। 

ସେହିପରି ନିଲଗ୍ରଥରୁ ପଞ୍ଜତରଣୀ ଗୋଟିଏ ପାଖିଆ ହେଲିକପ୍ଟର ଭଡ଼ା ୩ହଜାର ୨୫୦ ଟଙ୍କା ଓ ଦୁଇପଟ ଯିବା ଆସିବା ପାଇଁ ୬୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲିକପ୍ଟର ବୁକିଂ ପାଇଁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଜରୁରି। ପଞ୍ଜତରଣୀ ହେଲିପ୍ୟାଡରୁ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା ଓ ଫେରସ୍ତ ପାଇଁ ସମୟ ଲାଗିଥାଏ। ଏଣୁ ତୀର୍ଥ ଯାତ୍ରୀଙ୍କ ଲାଗି ଉପଲବ୍ଧ ସ୍ଲଟ ପ୍ରଦର୍ଶିତ କରାଯିବ। ଉଭୟ ଯାତ୍ରା ମଧ୍ୟରେ ୫-୬ ଘଣ୍ଟା ଅନ୍ତର ରହିବ। ତେବେ ଯାତ୍ରୀଙ୍କୁ ଯିବା ଓ ଆସିବା ପାଇଁ ୩୦ ମିନିଟ୍ ପୂର୍ବରୁ ହେଲିପ୍ୟାଡରେ ଉପସ୍ଥିତ ରହିବାକୁ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.