ସେଣ୍ଟ୍ରାଲ ପଲ୍ୟୁସନ ବୋର୍ଡର ରିପୋର୍ଟ, ସଙ୍ଗମ ପାଣିରେ ରହିଛି ପ୍ରଚୁର ଅଛି ଫିକଲ ବ୍ୟାକ୍ଟେରିଆ

Published By : Prameya-News7 Bureau | February 19, 2025 IST

ମୁମ୍ୱାଇ ୧୯/୦୨: ପ୍ରୟାଗରାଜ ମହାକୁମ୍ଭରେ ଚାଲିଛି ସଙ୍ଗମ ସ୍ନାନ । ଅଦ୍ୟାବଧି ୫୪ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ଆସ୍ଥାର ବୁଡ଼ ପକାଇ ସାରିଲେଣି । ଏହି କ୍ରମରେ ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡ (ସିପିସିବି) ଆଶ୍ଚର୍ଯ୍ୟଚକିତ ରିପୋର୍ଟ ଦେଇଛି । ରିପୋର୍ଟ ଅନୁସାରେ, ମହାକୁମ୍ଭର ଉଭୟ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ନାନଯୋଗ୍ୟ ନୁହେଁ । ଗତ ୧୭ ତାରିଖ ଅର୍ଥାତ୍‌ ସୋମବାର ସିପିସିବି ନିଜର ରିପୋର୍ଟ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଦାଖଲ କରିଛି । 

ସିପିସିବି ପ୍ରୟାଗରାଜରେ ଗତ ୯ରୁ ୨୧ ଜାନୁଆରୀ ମଧ୍ୟରେ ମୋଟ୍‌ ୭୩ ଭିନ୍ନ ଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲା । ଏବେ ତା’ର ଯାଞ୍ଚ୍‌ର ଫଳ ଜାରି କରିଛି । ସିପିସିବି ଜାରି କରିଥିବା ରିପୋର୍ଟରେ ମୋଟ୍‌ ୬ଟି ପାରାମିଟର ଆଧାରରେ ଗଙ୍ଗା ଓ ଯମୁନା ନଦୀର

ପାଣିକୁ ଯାଞ୍ଚ୍‌ କରାଯାଇଛି । ଏଥିରେ ପିଏଚ୍‌ ଅର୍ଥାତ୍‌ ପାଣି କେତେ ଅମ୍ଳୀୟ ବା କ୍ଷାରୀୟ, ଫିକଲ କୋଲିଫର୍ମ, ବିଓଡି ଅର୍ଥାତ୍‌ ବାୟୋକେମିକାଲ ଅକ୍ସିଜେନ୍‌ ଡିମାଣ୍ଡ, ସିଓଡି ଅର୍ଥାତ୍‌ କେମିକାଲ ଅକ୍ସିଜେନ୍‌ ଡିମାଣ୍ଡ ଓ ଡିଜଲ୍‌ଭଡ ଅକ୍ସିଜେନ୍‌ ସାମିଲ³ ଏହି ୬ ପାରାମିଟର ଆଧାରରେ ନମୁନା ନିଆଯାଇଥିଲା । 

ଯେଉଁସବୁ ସ୍ଥାନରୁ ନମୁନା ନିଆଯାଇଥିଲା, ସେଥିରେ ଅଧିକାଂଶ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆର ମାତ୍ରା ମାନକଠୁ ଅଧିକ ରହିଛି । ଏହା ବ୍ୟତୀତ ୫ ଅନ୍ୟ ପାରାମିଟରରେ ପାଣିର ଗୁଣବତ୍ତା ମାନକର ଅନୁରୂପ ରହିଛି । ନଦୀ ଜଳରେ ଫିକଲ କୋଲିଫର୍ମ ନାମକ ବ୍ୟାକ୍ଟେରିଆ ଥାଏ । ସାଧାରଣତଃ ୧ ମିଲିଲିଟର ପାଣିରେ ୧୦୦ ବ୍ୟାକ୍ଟେରିଆ ରହିବା କଥା । କିନ୍ତୁ ଅମୃତ ସ୍ନାନର ଠିକ୍‌ ଦିନକ ପୂର୍ବରୁ ଯମୁନା ନଦୀର ଏକ ନମୁନାରେ ୨୩୦୦ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଲା । ସଙ୍ଗମରୁ ନିଆଯାଇଥିବା ନମୁନାରେ ୧ ମିଲିଲିଟର ପାଣିରେ ୨୦୦୦ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଛି ।

ଏହିଭଳି ଭାବେ ମୋଟ୍‌ ୪୫୦୦ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଛି । ଗଙ୍ଗା ନଦୀରେ ନିର୍ମିତ ଶାସ୍ତ୍ରୀ ବ୍ରିଜ୍‌ ନିକଟରୁ ନିଆଯାଇଥିବା ନମୁନାର ୧ ମିଲିଲିଟର ପାଣିରେ ୩୨୦୦ ଏବଂ ମୋଟ୍‌ ୪୭୦୦ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଛି । ସଙ୍ଗମଠୁ ଦୂରରେ ଏହି ସଂଖ୍ୟା କମ୍‌ । ଫାଫାମଊ ଛକ ନିକଟରୁ ନିଆଯାଇଥିବା ନମୁନାର ୧ ମିଲିଲିଟର ପାଣିରେ ୧୦୦ ପରିବର୍ତ୍ତେ ୭୯୦ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଲା । 

ସେହିପରି ରାଜାପୁର ମେହଦୌରୀରେ ଏହି ମାତ୍ରା ୯୩୦ ଥିଲା । ଝୂନ୍‌ସୀରେ ଛତନାଗ ଘାଟ ଓ ଏଡିଏ କଲୋନୀ ନିକଟରେ ଏହାର ମାତ୍ରା ୯୨୦ ଥିଲା । ନୈନୀରେ ଅରୈଲ ଘାଟ ନିକଟରେ ବ୍ୟାକ୍ଟେରିଆ ମାତ୍ରା ୬୮୦ ଥିଲା । ରାଜାପୁରରେ ଏହି ମାତ୍ରା ୯୪୦ ଥିଲା । ଏହି ସ୍ଥିତିରେ ସିପିସିବିର ମାନକ ଅନୁଯାୟୀ ଏହା ‘ସି’ ଶ୍ରେଣୀରେ ଆସୁଛି । ଏଥିରେ ପାଣିକୁ ବିଶୁଦ୍ଧ ଓ ସଂକ୍ରମଣ-ରହିତ ନ କରି ଗାଧୋଇବା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ । 

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଗଙ୍ଗା ନଦୀ ଉପରେ ଅଧ୍ୟୟନ କରୁଥିବା ପ୍ରଫେସର ବିଡି ତ୍ରିପାଠୀ କହିଛନ୍ତି, ଯେଉଁ ପାଣିରେ ମାନକ ସ୍ତରଠୁ ଅଧିକ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ଥିବ, ତାହା କୌଣସି କାର୍ଯ୍ୟରେ ବ୍ୟବହାରଯୋଗ୍ୟ ନୁହେଁ । ଏହି ପାଣି ଯଦି ଶରୀର ସଂସ୍ପର୍ଶରେ ଆସେ, ତେବେ ରୋଗ ସୃଷ୍ଟି କରିବ । ଏହି ପାଣିରେ ଯଦି ସ୍ନାନ କରାଯାଏ କିମ୍ବା ଏହାକୁ ପାନୀୟ ଭାବେ ଗ୍ରହଣ କରାଯାଏ, ତେବେ ତ୍ୱଚା ରୋଗ ହେବାର ବିପଦ ରହିଛି । 

ମହାକୁମ୍ଭରେ ଗଙ୍ଗା ନଦୀର ନିର୍ମଳତା ବଜାୟ ରଖିବା ପ୍ରୟାଗରାଜ ନଗର ନିଗମ ଓ ଉତ୍ତରପ୍ରଦେଶ ଜଳ ନିଗମର ଦାୟିତ୍ୱ । ନଗର ନିଗମ ଅଧିକାରୀଙ୍କ ଅନୁସାରେ, ଜିଓ-ଟ୍ୟୁବ୍‌ ଟେକ୍ନୋଲୋଜିର ଉପଯୋଗ କରି ୨୩ ଅନ୍‌ଟ୍ୟାପ୍‌ଡ ନାଳର ବର୍ଜ୍ୟଜଳକୁ ବିଶୋଧନ କରାଯାଉଛି । ସୂକ୍ଷ୍ମଜୀବମାନଙ୍କର ଏକ ବର୍ଗକୁ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ କୁହାଯାଏ । ଏହା ଉଭୟ ମାନବ ଓ ପଶୁଙ୍କ ଅନ୍ତଃନଳୀରେ ଥାଏ ।

ପାଣିରେ ଏହି ବ୍ୟାକ୍ଟେରିଆଙ୍କ ଉପସ୍ଥିତି ସଙ୍କେତ ଦିଏ ଯେ ପଶୁ କିମ୍ବା ସ୍ୱେରେଜ ବର୍ଜ୍ୟ ଦ୍ୱାରା ଏହା ପ୍ରଦୂଷିତ । ଯଦିଓ ସବୁ କୋଲିଫର୍ମ ବ୍ୟାକ୍ଟେରିଆ ବିଷାକ୍ତ ନୁହନ୍ତି, କିନ୍ତୁ ଏମାନଙ୍କର ଉପସ୍ଥିତି ପାଣିରେ ଅନ୍ୟ କ୍ଷତିକାରକ ରୋଗବାହକ ଯଥା- ଭୂତାଣୁ, ସାଲମୋନେଲ୍ଲା ଓ ଇ.କୋଲି ଆଦିଙ୍କ ସମ୍ଭାବନାକୁ ବଢ଼ାଏ । ଏ ସମସ୍ତ ରୋଗବାହକ ଗମ୍ଭୀର ରୋଗର କାରଣ ହୋଇପାରନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.