ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ: ପ୍ରିନ୍ସିପାଲ ସସପେଣ୍ଡ ଓ ଗିରଫ ହେଲେ HOD

Published By : Prameya-News7 Bureau | July 12, 2025 IST

ଭୁବନେଶ୍ବର ୧୨।୭: ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଦେହରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ଫକୀରମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି । ଉଭୟଙ୍କୁ ସସ୍‌ପେଣ୍ଡ କଲେ ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସଦ୍ୟତମ ଖବର ଅନୁଯାୟୀ, ଏଜୁକେସନ ବିଭାଗର ଏଚଓଡି ଗିରଫ ହୋଇଛନ୍ତି। 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡ଼ି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ଯାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ହୋଇଥିଲେ । ପରେ ତାଙ୍କୁ ଏଚ୍‌ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ । 

ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । କିଏ ଜାଣିଥିଲା ନ୍ୟାୟ ମିଳିବା ବିଳମ୍ବ ହେଲେ ସେ ଆତ୍ମହତ୍ୟା କରିବେ ବୋଲି । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଛି ।

ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବାପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ପରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପ୍ରିନ୍ସିପାଲଙ୍କୁ ଘେରିଥିଲେ ଛାତ୍ରଛାତ୍ରୀ । ତେବେ ଆଇନ ଶୃଙ୍ଖଳା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଏସ୍‌ପି ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରୁଛନ୍ତି । ବାଲେଶ୍ବର ସାଂସଦ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ନ୍ୟାୟ ପାଇଁ ସହପାଠୀ ଓ ପରିବାର ଲୋକେ ଦାବି କରିଥିବା ବେଳେ ପ୍ରିନ୍ସିପାଲ ଅଭିଯୋଗ ପାଇ ତଦନ୍ତ କମିଟି ଗଠନ କରିଥିଲେ ବୋଲି କରିଥିଲେ । ସାଂସଦ ଓ ଏସ୍‌ପି ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେବା ସହ ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।

You Can Read:

ନିର୍ଯାତନା ଅଭିଯୋଗରେ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ, ଅଧ୍ୟାପକଙ୍କୁ ହେପାଜତକୁ ନେଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.