ମୁମ୍ବାଇର ବାନ୍ଦ୍ରା ଟର୍ମିନସରେ କିପରି ହେଲା ଦଳାଚକଟା? ଅସଲ କାରଣ ଜଣାଇଲେ ରେଳବାଇ

Published By : Prameya-News7 Bureau | October 27, 2024 IST

ବାନ୍ଦ୍ରା ୨୭।୧୦: ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ୨୭ ଅକ୍ଟୋବର ରବିବାର ସକାଳେ ଯାତ୍ରୀଙ୍କ ମଧ୍ୟରେ ଦଳଚକଟା ହୋଇଛି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଟ୍ରେନରେ ଚଢିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହେବା ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ଘଟଣାରେ ୯ ଜଣ ଲୋକ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏବେ ଏହି ଦଳାଚକଟା ଘଟଣାକୁ ନେଇ ରେଳବାଇଙ୍କ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। 

ସୂଚନା ଅନୁସାରେ ଘଟଣା ସକାଳ ୫ଟା ବାଜି ୫୬ ମିନିଟ୍ ରେ ହୋଇଛି। ଟ୍ରେନ ନମ୍ବର ୨୨୯୨୧ବାନ୍ଦ୍ରା-ଗୋରଖପୁର ଅନ୍ତ୍ୟୋଦୟ ଏକ୍ସପ୍ରେସରେ ଚଢିବା ଲାଗି ପ୍ଲାଟଫର୍ମରେ ବହୁ ସଂଖ୍ୟାରେ ଲୋକ ଜମିଥିଲେ। ଏହି ସମୟରେ ୨୨ଟି ଜେନେରାଲ ବଗିର ଖାଲି ଅନ୍ତ୍ୟୋଦୟ ଏକ୍ସପ୍ରେସ୍ କୁ ପ୍ଲାଟଫର୍ମକୁ ଅଣାଯାଉଥିଲା। ଟ୍ରେନ ପ୍ଲାଟଫର୍ମକୁ ନ ପହଞ୍ଚୁଣୁ ଏଥିରେ ଉଠିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। 

ଠାଣେ ସେଣ୍ଟ୍ରାଲ ରେଲୱେ   ଡେପୁଟି କମିଶନର ମନୋଜ ନାନା ପାଟିଲ ଦଳାଚକଟା କିପରି ହେଲା ତାର ବିବରଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଏକ ସାପ୍ତାହିକ ଟ୍ରେନ, ଯାହା ପ୍ରତି ରବିବାର ବାହାରିଥାଏ। ଏହି ଟ୍ରେନରେ ରିଜର୍ଭେସନ ବ୍ୟବସ୍ଥା ନାହିଁ। ୨୨ଟି ସାଧାରଣ ବଗି ଥିବା ଏହି ଟ୍ରେନଟି ପ୍ରାୟ ଭିଡ ଯାଇଥାଏ। ଟ୍ରେନ ପ୍ଲାଟଫର୍ମକୁ ଲାଗିବା ପୂର୍ବରୁ ରେଳବାଇ ଟିମ୍‌ ସେଠାରେ ଉପସ୍ଥିତ ଥିଲେ। ତେବେ ଲୋକେ ଅଚାନ ଟ୍ରେନରେ ସିଟ୍ ପାଇବା ପାଇଁ ଦୌଡିବା ଆରମ୍ଭ କରିଦେଇଥିଲେ। ହେଲେ ଏହି ଘଟଣାରେ କେହି ସେପରି ଗୁରୁତର ଆହତ ହୋଇ ନାହାନ୍ତି ଓ ଆମେ ଘଟଣାର ଯାଞ୍ଚ କରୁଛୁ ବୋଲି ଡେପୁଟି କମିଶନର କହିଛନ୍ତି।

ଅଧିକାରୀ କହିଛନ୍ତି ଯେ ଅନ୍ତ୍ୟୋଦୟ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧ରୁ ଛାଡିବାର ଥିଲା। ତେବେ ଟ୍ରେନ ପ୍ଲାଟଫର୍ମକୁ ନ ପହଞ୍ଚିବା ପୂର୍ବରୁ ସିଟ୍ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଥିଲା। ଟ୍ରେନକୁ ୟାର୍ଡକୁ ପ୍ଲାଟଫର୍ମକୁ ଅଣାଯିବା ବେଳେ ଏହାର ବଗି ଗୁଡିକ ଭିତରପଟୁ ବନ୍ଦ ଥିଲା। ଏଣୁ ଟ୍ରେନକୁ ଚଢିବାକୁ ଉଦ୍ୟମ କରି କିଛି ଲୋକେ ପ୍ଲାଟଫର୍ମରେ ପଡିଯାଇଥିଲେ। ଦଳାଚକଟାର ଅନ୍ୟ ଏକ କାରଣ ହେଉଛି ୧ହଜାର ଯାତ୍ରୀ କ୍ଷମତାର ପ୍ଲାଟଫର୍ମରେ ଅଢେଇ ହଜାରରୁ ଅଧିକ ଲୋକେ ଠୁଳ ହୋଇଥିଲେ। ଏଣୁ ଲୋକେ ଟ୍ରେନରେ ଚଢିବା ବେଳେ ଦଳାଚକଟା ହୋଇଥିଲା। 

ନଗରନିଗମର ଜନୈକ ଅଧିକାରୀ କହିଛନ୍ତି ଯେ ଆହତଙ୍କୁ ଶବୀର ଅବଦୁଲ ରହମାନ (୪୦), ପରମେଶ୍ୱର ସୁଖଦର ଗୁପ୍ତା (୨୮), ରବୀନ୍ଦ୍ର ହରିହର ଚୁମା (୩୦), ରାମସେବକ ରବିନ୍ଦ୍ର ପ୍ରସାଦ ପ୍ରଜାପତି (୨୯), ସଞ୍ଜୟ ତିଲକରାମ କାଙ୍ଗେ (୨୭), ଦିବ୍ୟାଂଶୁ ୟୋଗେନ୍ଦ୍ର ଯାଦବ (୧୮), ମହମ୍ମଦ ଶରିଫ ଶେଖ (୨୫), ଇନ୍ଦ୍ରଜିତ ଶାହାଣୀ (୧୯) ଓ ନୁର ମହମ୍ମଦ ଶେଖ (୧୮) ରୂପେ ଚିହ୍ନଟ କରାଯାଇଛି। ତେବେ ଶାହାଣୀ ଓ ନୁରମହମ୍ମଦ ଶେଖଙ୍କ ଅବସ୍ଥା ଗୁରୁତର ରହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.