ନୂଆଦିଲ୍ଲୀ ୦୪/୧୦: ମୈଦାନରେ ଦୁଇ ବନ୍ଧୁ ଏବେ ଶତ୍ରୁ । ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ । କେହି କାହାକୁ ଛାଡିବାକୁ ନାରାଜ । ଇରାନର ଆକାଶରୁ ଝଲସୁଛି ନିଆଁ । ଇସ୍ରାଏଲ ବି ପଛଘୁଞ୍ଚା ଦେଉନି । କାରମ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ନେଇଛି ତୀବ୍ର ରୂପ ।ହେଲେ କାହିଁକି ହେଲେ ଶତ୍ରୁ । ଏହା ପଛର କାରଣ କଣ? ଜାଣିବା ଏହି ରିପୋର୍ଟରେ ।
୧୯୪୮ ପୂର୍ବରୁ ଇସ୍ରାଏଲର ସତ୍ତା ନଥିଲା । ପାଲେଷ୍ଟାଇନ ଥିଲା, ଯାହା ଏକଦା ଅସ୍ମାନୀ ସାମ୍ରାଜ୍ୟ ଦ୍ୱାରା ଶାସିତ ଥିଲା । ପରେ ୧୪ ମେ ୧୯୪୮ରେ ହୋଇଥିଲା ଇସ୍ରାଏଲର ସୃଷ୍ଟି । ୧୯୪୭ରେ ପାଲେଷ୍ଟାଇନ ବିଭାଜନ ପାଇଁ ମିଳିତ ଜାତିସଂଘ ଦେଇଥିଲା ପ୍ରସ୍ତାବ । ୟେହୁଦୀ ନେତାମାନେ ଏହି ପ୍ରସ୍ତାବ ଗ୍ରହଣ କଲେ, କିନ୍ତୁ ଆରବ ନେତାମାନେ ଏହାକୁ ଗ୍ରହଣ କଲେନି । ଏହା ବିରୋଧରେ ଭୋଟ୍ ଦେଇଥିବା ୧୩ଟି ଦେଶ ମଧ୍ୟରେ ଥିଲା ଇରାନ ।
୧୯୪୯ରେ ଇରାନ ନିଜର ଆଭିମୁଖ୍ୟକୁ ଦୋହରାଇଥିଲା, ଯେତେବେଳେ ଇରାନ ମିଳିତ ଜାତିସଂଘର ସଦସ୍ୟ ଭାବରେ ଇସ୍ରାଏଲର ଗ୍ରହଣକୁ କରିଥିଲା ବିରୋଧ । ୧୯୫୦ ପର୍ଯ୍ୟନ୍ତ, ଇରାନ ଇସ୍ରାଏଲକୁ ସାର୍ବଭୌମ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେବା ପରେ ତୁର୍କୀ, ଦ୍ୱିତୀୟ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହେଲା । ୧୯୫୩ ରେ ସତ୍ତା ପରିବର୍ତ୍ତନ ପରେ ଶାହଙ୍କ ଶାସନରେ ଇରାନ-ଇସ୍ରାଏଲ ସଂପର୍କ ନେଇଥିଲା ନୂଆ ମୋଡ । ସେହିବର୍ଷ ଇରାନ ଆନୁଷ୍ଠାନିକ ଭାବରେ ଇସ୍ରାଏଲକୁ ଦେଇଥିଲା ସ୍ୱୀକୃତି ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବନ୍ଧୁତା ଅର୍ଥନୈତିକ, ସାମରିକ ଏବଂ ଭୌତିକ ସହଯୋଗକୁ କରିଥିଲା ପ୍ରୋତ୍ସାହିତ । ୧୯୬୮ରେ ସ୍ଥାପିତ ଇଲାଇଟ-ଆସ୍କେଲନ୍ ପାଇପଲାଇନ କମ୍ପାନୀ କରିଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଯାହା ମିସର ଅଧିନରେ ଥିବା ସୁଏଜ୍ କେନାଲ ଅତିକ୍ରମ କରି ଇରାନର ତୈଳ ଇସ୍ରାଏଲକୁ କରୁଥିଲା ପରିବହନ । ପ୍ରତିବଦଳରେ ଇରାକ ବିରୋଧରେ ଯୁଦ୍ଧ କରିବାକୁ ଇସ୍ରାଏଲ ଇରାନକୁ ଯୋଗଉଥିଲା ଆଧୁନିକ ସାମରିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ।
୧୯୭୯ରେ ଇରାନ ବିପ୍ଳବ ଇସ୍ରାଏଲ-ଇରାନ ସମ୍ପର୍କରେ ଆଣିଥିଲା ବଡ ପରିବର୍ତ୍ତନ । ପହଲଭି ରାଜବଂଶର ପତନ ଓ ଆୟତୋଲ୍ଲା ଖାମେନେଙ୍କ ନେତୃତ୍ୱରେ ଇସଲାମିକ୍ ରିପବ୍ଲିକ୍ ପ୍ରତିଷ୍ଠା ଇରାନର ବୈଦେଶିକ ନୀତି, ବିଶ୍ୱ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଇସ୍ରାଏଲ ଏବଂ ଇରାନ ଉଭୟ ଦେଶ ସଦ୍ଦାମ୍ ହୁସେନର ଇରାକୀ ସରକାରଙ୍କ ବିରୋଧରେ ମୁକାବିଲା କରିବା ହିତରେ ଥିଲେ ।
ରିପୋର୍ଟ କୁହେ ଯେ, ୧୯୮୦ରୁ ୮୮ ମଧ୍ୟରେ ଇରାକ-ଇରାନ ଯୁଦ୍ଧ ସମୟରେ ଇସ୍ରାଏଲ ବର୍ଷକୁ ୫୦୦ ମିଲିୟନ ଡଲାର ଯୁଦ୍ଧାସ୍ତ୍ର ଇରାନକୁ ବିକ୍ରି କରିଥିଲା । ଏଥିରେ ପାଇଁ ଇସ୍ରାଏଲ ସ୍ବିସ୍ ବ୍ୟାଙ୍କରେ ମଧ୍ୟ ଖାତା ଖୋଲିଥିଲା । ଜେରୁଜେଲମରେ ଇସ୍ରାଏଲ ଅଧିକାରୀଙ୍କ ବିଶ୍ବାସ ଥିଲା ଅସ୍ତ୍ରଶସ୍ତ୍ର ରପ୍ତାନୀ ପରେ ଇରାନୀ ସେନା ଖୁସି ହେବ ଏବଂ ଅୟାତୁଲ୍ଲା ଶାସନକୁ ଓପାଡିକୁ ଫିଙ୍ଗି ଦେବେ । ମାତ୍ର ଇରାକ-ଇରାନ ଯୁଦ୍ଧ ପରେ କିଠି ଦିନ ଧରି ଦେଶରେ ସିକ୍ରେଟ୍ ମିଶନ ଜାରି ରହିଲା । ଏହା ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେଲା ।
ଗଣତାନ୍ତ୍ରିକ ଦେଶ ଇରାନ, ଇସ୍ରାଏଲକୁ ପାଲେଷ୍ଟାଇନ ଜମିର ଦଖଲକାରୀ ବୋଲି ବିବେଚନା କରେ । ଯେତେବେଳେ ଇସ୍ରାଏଲ ସହିତ ସମ୍ପର୍କ ଖରାପ ହେଲା ସେତେବେଳେ ଇରାନ ଇସ୍ରାଏଲକୁ “ଛୋଟା ସୈତାନର” ଓ ଆମେରିକାକୁ “ବଡ ସୈତାନର” ଆଖ୍ୟା ଦେଇଥିଲା । ଧୀରେ ଧୀରେ ଇରାନ ସରକାର ଇସ୍ରାଏଲ ସହିତ ତୁଟାଇଥିଲେ ସମସ୍ତ କୂଟନୈତିକ ସମ୍ପର୍କ । ତୀବ୍ର ରୂପ ନେଇଥିଲା ୧୯୯୧ ରେ ଗଲ୍ଫ ଓ୍ୱାର । ଯୁଦ୍ଧର ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିଲା ଶତ୍ରୁତାର ଯୁଗ । ସେବେଠୁ ଜାରି ରହିଛି ପରସ୍ପର ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ।