ଇସ୍ରାଏଲର ଟ୍ରିପଲ-B’ କ'ଣ ? ଫର୍ମୁଲା-Bରେ ନସ୍‌ରଲ୍ଲାହ ମୃତ; ୩୦ ମିଟର କଂକ୍ରିଟ୍ ସୁଡ଼ଙ୍ଗକୁ ଭେଦ କଲା ‘ବଙ୍କର-ବଷ୍ଟର-ବମ୍‌’

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ: ହିଜବୁଲ୍ଲା ମୁଖ୍ୟକୁ ମାରିବାକୁ ଇସ୍ରାଏଲ୍ ପ୍ଲାନ-B । ୩୦ ମିଟର ବଙ୍କରରେ ଫାଟିଲା ଟ୍ରିପଲ-B’ । ହିଜବୁଲ୍ଲା ହେଡ୍ କ୍ବାର୍ଟରରେ ୮୦ ଟନ୍ ବୋମା ବର୍ଷା । ବଙ୍କର-ବଷ୍ଟର-ବମ୍‌ରେ ନିହତ ନସ୍‌ରଲ୍ଲାହ । ଲେବାନନରେ ଆତଙ୍କୀ ସଂଗଠନକୁ ସମୂଳେ ଧ୍ବଂସ ପାଇଁ ସାଂଘାତିକ୍ ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ରାଜଧାନୀ ବିରୁଟର ଦହିୟାରେ ଥିବା ହିଜବୁଲ୍ଲା ହେଡ୍ କ୍ବାର୍ଟରରେ ଆଇଡିଏଫ୍ ଏତେ ମାତ୍ରାରେ ବୋମା ବର୍ଷା କରିଛି ଯେ ପୂରା ଲେବାନନ ଦୋହଲି ଯାଇଛି । ଟନ୍ ଟନ୍ ବାରୁଦ ନିଆଁରେ ଚମକି ଉଠିଛି ମଧ୍ୟପ୍ରାଚ୍ୟ । ଆଉ ଖଣ୍ଡ ବିଖଣ୍ଡିତ ହୋଇଯାଇଛି ଆତଙ୍କୀ ସଂଗଠନ ହିଜବୁଲ୍ଲା । ଇସ୍ରାଏଲର ଏହି ‘ନ୍ୟୁ ଅର୍ଡର’ ଅପରେସନରେ ହିଜବୁଲ୍ଲା ହେଡ୍ ହସନ ନସ୍‌ରଲ୍ଲାହର ମୃତ୍ୟୁ ହୋଇଛି । 

ଆଇଡିଏଫର ପ୍ଲାନ୍-B କ’ଣ ? ହସନ୍ ନସ୍‌ରଲ୍ଲାହକୁ କେମିତି ମାରିଲା ଆଇଡିଏଫ୍ ? ଟ୍ରିପଲ୍-B ଫର୍ମୁଲାରେ ହିଜବୁଲ୍ଲା ମହାସଚିବ ନିହତ ।  ଟ୍ରିପଲ୍-B ଅର୍ଥାତ୍ ବଙ୍କର-ବଷ୍ଟର-ବମ୍‌ । ମାଟିରେ ତଳେ ବା ୩୦ ମିଟର ଅଣ୍ଡରଗ୍ରାଉଣ୍ଡରେ ସୁରକ୍ଷିତ ଭାବେ ରହୁଥିଲା ହିଜବୁଲ୍ଲା ମୁଖ୍ୟ । ୨୦୦୬ରୁ ଦହିୟାର ଏହି ସ୍ଥାନ ନସ୍‌ରଲ୍ଲାହର ଘର ଥିଲା । ଏହା କୌଣସି ଦେଶର ସନ୍ଧାନୀ ଡ୍ରୋନ୍ କିମ୍ବା ଫାଇଟର ଜେଟ୍ ଏହାକୁ ଭେଦ କରି ନସ୍‌ରଲ୍ଲାହ ଉପସ୍ଥିତିରେ ମୋହର ମାରିପାରୁନଥିଲା । ମାତ୍ର ଇସ୍ରାଏଲ୍ ଡିଫେନ୍ସ ଫୋର୍ସର ବଙ୍କର-ବଷ୍ଟର-ବମ୍‌ ସଠିକ୍ ଆକଳନ କରି ପାତାଳରେ ଥିବା ହିଜବୁଲ୍ଲାର ସେଭ୍ ଜୋନକୁ ଭେଦ କରିଛି । ଆତଙ୍କୀ ହେଡ୍ କ୍ବାର୍ଟର ୬ଟି ବିଲ୍ଡିଂ ସହ ଅଣ୍ଡରଗ୍ରାଉଣ୍ଡ୍ ବଙ୍କର ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଛି । ଆଉ ଏହି ପ୍ରଚଣ୍ଡ ପ୍ରହାରରେ ସବୁଦିନ ପାଇଁ ଶୋଇଯାଇଛି ହସନ୍ ନସ୍‌ରଲ୍ଲାହ ।

ବଙ୍କର-ବଷ୍ଟର-ବମ୍‌ କ’ଣ ? ଇସ୍ରାଏଲ ନିକଟରେ ଏବେ ତିନି ପ୍ରକାର ଘାତକ ବଙ୍କର-ବଷ୍ଟର ବମ୍ ରହିଛି । ପ୍ରଥମଟି ହେଲା GBU-28, ଦ୍ବିତୀୟଟି GBU-72 ଏବଂ GBU-57 । ହସନ୍ ନସ୍‌ରଲ୍ଲାହର ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଯେଉଁ କଂକ୍ରିଟ୍ କାନ୍ଥ ଥିଲା ତାକୁ ଭେଦ କରିଛି ଏହି ଘାତକ ବମ୍ । ଏହି ୩ ପ୍ରକାର ବମ୍ ବଙ୍କରକୁ ଭେଦ କରି ଫାଟିଥାଏ । ଅଣ୍ଡରଗ୍ରାଣ୍ଡର ସେଭ୍ ଜୋନକୁ ଟାର୍ଗେଟ୍ କରି ଶତ୍ରୁକୁ ମାରିଥାଏ । ଏହି ଭରସା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହିଜବୁଲ୍ଲା ମୁଖ୍ୟକୁ ମାରିବାକୁ ଲେବାନନ ରାଜଧାନୀ ବିରୁଟରେ ଫର୍ମୁଲା ଟ୍ରପିଲ୍-B ବା ବଙ୍କର-ବଷ୍ଟର-ବମ୍‌ ବ୍ୟବହାର କରିଥିଲେ । 


ଇସ୍ରାଏଲର ଟ୍ରପିଲ୍-B କିପରି କାମ କରେ ?  GBU-28 ଘାତକ ବଙ୍କର-ବଷ୍ଟର-ବମ୍‌ ମାଡ଼ କଲେ ଏହା ୬ ମିଟର ମୋଟା କଂକ୍ରିଟ୍‌କୁ କ୍ଷଣିକରେ ଭେଦ କରି ସେଠାରେ ବିସ୍ଫୋରଣ କରିଥାଏ । ଯଦି ଏହାଠାରୁ ଗଭୀରତାରେ ସୁଡ଼ଙ୍ଗ ହୋଇଥାଏ ଏବଂ ଏହି ବମ୍ ଫେଲ୍ ମାରେ ତେବେ GBU-72 ଘାତକ ବମ୍ ବ୍ୟବହାର କରିଥାଏ ଆଇଡିଏଫ । ଏହି ବଙ୍କର-ବଷ୍ଟର-ବମ୍‌, ମାଟି ତଳେ ନିର୍ମାଣ ହୋଇଥିବା ୩୦ ମିଟର ମୋଟା କଂକ୍ରିଟକୁ ଭେଦ କରି ବ୍ଲାଷ୍ଟ ହୋଇଥାଏ । କୁହାଯାଉଛି, ଇସ୍ରାଏଲ ସେନା ଏହି ବମ୍‌କୁ ନସ୍‌ରଲ୍ଲାହକୁ ମାରବାକୁ ବ୍ୟବହାର କରିଥିଲା । ଏହାଛଡ଼ା ଅତି ଘାତକପୂର୍ଣ୍ଣ ବଙ୍କର-ବଷ୍ଟର-ବମ୍‌ ହେଉଛି GBU-57 ବମ୍ । ଏହି ବମ୍ ମାଟି ତଳେ ୬୦ ମିଟର ପର୍ଯ୍ୟନ୍ତ କଂକ୍ରିଟକୁ ଭେଦ କରିପାରିବ । 

ଇସ୍ରାଏଲ୍ ଏୟାର ଫୋର୍ସ ଗାଜାରୁ ନେଇ ଲେବାନନ ପର୍ଯ୍ୟନ୍ତ ଏବଂ ଖାନୟୁନିସରୁ ନେଇ ବିରୁଟ୍ ପର୍ଯ୍ୟନ୍ତ ଯେଉଁ ସବୁ ହମଲା କରିଛି, ସେଥିରେ ବଙ୍କର-ବଷ୍ଟର-ବମ୍‌ ବ୍ୟବହାର କରିଥିବା କୁହାଯାଉଛି । ଏହି ବମ୍ ଦ୍ବାରା ହମାସ୍‌ ମୁଖ୍ୟ ଇସ୍ମାଇ ହାନେୟ ସମେତ ଆତଙ୍କୀ ସଂଗଠନର ଅଧିକାଂଶ କମାଣ୍ଡରକୁ ମାରିବା ପରେ ଏବେ ହିଜବୁଲ୍ଲା ମୁଖ୍ୟ ହସନ୍ ନସ୍‌ରଲ୍ଲାହକୁ ଠିକଣାରେ ଲଗାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.