ନୂଆଦିଲ୍ଲୀ ୦୭।୦୨: ବିଶ୍ବରେ ଦୃତଗତିରେ ବୃଦ୍ଧି ପାଉଛି ବିମାନରେ ଯାତ୍ରୀଙ୍କ ସଂଖ୍ୟା । ଦୀର୍ଘ ଦିନର ଯାତ୍ରା ମାତ୍ର କିଛି ଘଣ୍ଟାରେ ଶେଷ ହୋଇଥାଏ । ଏଥିପାଇଁ ସମସ୍ତେ ବିମାନରେ ଯାତ୍ରା କରିବାକୁ ଚାହାନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ସାମ୍ନାକୁ ଆସୁଛି ଅନେକ ବିମାନ ଦୁର୍ଘଟଣା । ଯାହାପରେ ସାଧାରଣ ଲୋକଙ୍କ ମନରେ ବିମାନ ଯାତ୍ରାକୁ ନେଇ ଅନେକ ପ୍ରଶ୍ନ । ନିଶ୍ଚୟ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ କି ବିମାନରେ ରହିଥାଏ କେତେ ହେଡଲାଇଟ୍ ? ଯଦି ହେଡଲାଇଟ୍ ଖରାପ ହୁଏ ତେବେ କ'ଣ ହେବ ? କଣ ହେଡଲାଇଟ୍ ନଥିବାରୁ ରାସ୍ତା ଭୁଲିଯାଆନ୍ତି କି ପାଇଲଟ୍ ?
ହଁ ଆଜ୍ଞା ଫ୍ଲାଇଟ୍ରେ ଅନେକ ପ୍ରକାରର ହେଡଲାଇଟ୍ ରହିଥାଏ । ବିମାନ ସାମ୍ନାରେ ଦେଖାଯାଉଥିବା ହେଡଲାଇଟରେ ଆହୁରି ଅନେକ ଲାଇଟ୍ ମଧ୍ୟ ଲାଗିଥାଏ । ଏଥିରେ ଏକ ଟ୍ୟାକ୍ସି ଲାଇଟ୍ ରହିଥାଏ । ବିମାନଟି ଟ୍ୟାକ୍ସି ମୋଡ୍ରେ ଥିବା ସମୟରେ, ଅର୍ଥାତ୍ ଭୂମିରେ ଚାଲୁଥିବା ସମୟରେ ଏହି ଲାଇଟ୍ ବ୍ୟବହାର କରାଯାଏ । ୧୫୦ ଭୋଲ୍ଟର ଲାଇଟ୍ ବିମାନକୁ ରନୱେ ଦେଖିବାରେ ସାହାଯ୍ୟ କରେ। ପାଇଲଟ୍ ଟ୍ୟାକ୍ସି ଲାଇଟ୍ ଜଳାଇବା ମାତ୍ରେ ରନୱେରେ ଥିବା ଲାଇଟ୍ ଜଳିବା ଆରମ୍ଭ କରିଥାଏ ।
ସେହିପରି ଫ୍ଲାଇଟ୍ରେ ରହିଥାଏ ଟେକ୍ଅପ୍ ଲାଇଟ୍ । ଏଗୁଡ଼ିକ ଟ୍ୟାକ୍ସି ଲାଇଟ୍ ଅପେକ୍ଷା ଅଧିକ ଉଜ୍ଜ୍ୱଳ । ଏଗୁଡିକ ଫ୍ଲାଇଟ୍ ଟେକଅପ୍ ସମୟରେ ଜଳିଥାଏ । ଟେକ୍ ଅଫ୍ ଲାଇଟ୍ ଟ୍ୟାକ୍ସି ଲାଇଟ୍ ଅପେକ୍ଷା ଅଧିକ ଦୂରତା ଯାଏଁ ଫୋକସ୍ କରିଥାଏ । ସେହିପରି ଫ୍ଲାଇଟ୍ରେ ରନଓ୍ବେ ଟର୍ଣ୍ଣ ଅଫ୍ ଲାଇଟ୍ ରହିଥାଏ । ଏହି ଲାଇଟ୍ର କୋଣ ଆହୁରି ବିସ୍ତୃତ ହୋଇଥାଏ । ଏହି ଆଲୋକଗୁଡ଼ିକ ପାଇଲଟଙ୍କୁ ରନୱେରେ ପୁରା ରାସ୍ତାକୁ ସ୍ପଷ୍ଟ ଭାବରେ ଦେଖିବାରେ ସାହାଯ୍ୟ କରେ।
ୱିଙ୍ଗ ସ୍କାନ୍ ଲାଇଟ୍ । ଫ୍ଲାଇଟ୍ର ଓ୍ବିଙ୍ଗ୍ ଅର୍ଥାତ୍ ଯାହାକୁ ବିମାନ ଡେଣା କୁହାଯାଏ ତାକୁ ସୁରକ୍ଷା ଦେବା ବହୁତ ଜରୁରୀ ହୋଇଥାଏ । ସେଥିପାଇଁ ୱିଙ୍ଗ ସ୍କାନ୍ ଲାଇଟ୍ ଗୁଡ଼ିକ ଲଗାଯାଇଛି । ଯାହା ଦ୍ୱାରା ଟେକଅପ୍ ସମୟରେ ଅନ୍ଧାରରେ ମଧ୍ୟ ବିମାନର ସମ୍ପୂର୍ଣ୍ଣ ଆକୃତି ସ୍ପଷ୍ଟ ଭାବରେ ଦେଖାଯାଇ ପାରିବ । ଫ୍ଲାଇଟ୍ ବାଦଲରେ ଯିବା ସମୟରେ ଏହି ଲାଇଟ୍ ସାହାଯ୍ୟରେ ଓ୍ବିଙ୍ଗ୍ରେ ବରଫ ଜମା ହୋଇଛି କି ନାହିଁ ଦେଖିଥାନ୍ତି ପାଇଲଟ୍ ।
ବିମାନଟି ଭୂମିରେ ଥିବା ସମୟରେ ସଫେଇ କର୍ମଚାରୀଙ୍କ ପାଇଁ ଲଗାଯାଇଥାଏ ଆଣ୍ଟି କ୍ଲିଜନ ବିକନ ଲାଇଟ୍ । ବିମାନର ପ୍ରଥମ ଇଞ୍ଜିନ ଆରମ୍ଭ ହେଲେ ଏହି ଲାଇଟ୍ ଜଳେ ଏବଂ ଶେଷ ଇଞ୍ଜିନ ବନ୍ଦ ହେଲେ ବନ୍ଦ ହୋଇଯାଏ ଏହି ଲାଇଟ୍। ଯାହା ଦ୍ଵାରା ଗ୍ରାଉଣ୍ଡ କ୍ରୁ ଜାଣିପାରିବେ ଯେ ଏବେ ବିମାନଟି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି।
ଫ୍ଲାଇଟ୍ରେ ରହିଥାଏ ଲ୍ୟାଣ୍ଡିଂ ଲାଇଟ୍ । ଏଗୁଡ଼ିକ ବହୁତ ଉଜ୍ଜ୍ୱଳ ଧଳା ଆଲୋକ । ଏଗୁଡ଼ିକ ଲ୍ୟାଣ୍ଡି କରିବା ସମୟରେ ଆକାଶ ଏବଂ ରନୱେକୁ ସ୍ପଷ୍ଟ ଭାବରେ ଦେଖିବାରେ ସାହାଯ୍ୟ କରେ । ଏହି ଲାଇଟ୍ ଗୁଡ଼ିକ ରନୱେ ପାଇଁ ମଧ୍ୟ ବ୍ୟବହାର ହୁଏ ଯେଉଁଠାରେ କମ୍ ଆଲୋକ ଥାଏ। ଏବେ ପ୍ରଶ୍ନ ଆସୁଛି ଜଣେ ପାଇଲଟ୍ କେମିତି ରାସ୍ତା ଜାଣନ୍ତି ? ବାସ୍ତବରେ ପାଇଲଟଙ୍କୁ ରାସ୍ତା ଦେଖାଇବା ପାଇଁ HSI ଅର୍ଥାତ୍ ହୋରିଜେଣ୍ଟାଲ ସିଚୁଏସନ୍ ଇଣ୍ଡିକେଟର ବ୍ୟବହାର କରାଯାଏ।
ଏହାକୁ ଦେଖି ପାଇଲଟ୍ ସହଜରେ ଜାଣିପାରନ୍ତି ଯେ କେଉଁ ରାସ୍ତାରେ ଯିବା ଉଚିତ ଏବଂ କେଉଁଠାକୁ ଯିବା ଉଚିତ୍ ନୁହେଁ । ଏହାବ୍ୟତୀତ ଏହି ଟେକନିକ୍ ପାଇଲଟ ପାଖରେ ଲଗାଯାଇଥିବା ସ୍କ୍ରିନରେ ଏକ ରେଖା ପରି ପଥ ଦେଖାଇବାର କାମ କରିଥାଏ । ପାଇଲଟମାନେ ସବୁବେଳେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଡି ହୋଇଥାନ୍ତି । ଯେଉଁଠାରୁ ସେମାନଙ୍କୁ ରାସ୍ତା ବିଷୟରେ ଜଣାପଡିଥାଏ ।