ପୁଣି ବଳ ଦେଖାଇଲା ଟଙ୍କା, ଜାଣନ୍ତୁ ଡଲାର ତୁଳନାରେ ଏବେ କେତେ ମଜଭୁତ

Published By : Prameya-News7 Bureau | February 19, 2025 IST

ମୁମ୍ବାଇ ୧୯।୨: ଭାରତର ଫୋରେକ୍ସ ବୁଧବାର ବନ୍ଦ ରହିଛି। ତେବେ ଇଣ୍ଟରବ୍ୟାଙ୍କ ଏକ୍ସଚେଞ୍ଜ ରେଟ୍ ଅନୁସାରେ ମଙ୍ଗଳବାର କ୍ଲୋଜିଂ ତୁଳନାରେ ଟଙ୍କା ଏବେ ବେଶ୍ ମଜଭୁତ ଭାବେ କାରବାର କରୁଛି। ଅପରପଟେ ଡଲାର ଇଣ୍ଡେକ୍ସରେ ହ୍ରାସ ଦେଖାଯାଇଛି। ଡଲାର ଏବେ ୧୦୭ ସ୍ତରରୁ ତଳକୁ ଓହ୍ଲାଇଛି। ଫେବୃଆରୀ ୧୨ ତାରିଖ ପରଠାରୁ ଡଲାର ତୁଳନାରେ ଟଙ୍କା ପାଖାପାଖି ଦେଢ ପ୍ରତିଶତ ମଜଭୁତ ହୋଇଛି। ଗତ ଦିନମାନଙ୍କରେ ଟଙ୍କାର ମୂଲ୍ୟ ହ୍ରାସ ହୋଇ ଚାଲିଥିଲା, ହେଲେ ଏଥିରେ ଏବେ ପରିବର୍ତ୍ତନ ଆସିଛି। 

ଆଇଭିଆର ଲାଇଭ ଡଟ୍ କମ ଅନୁସାରେ ଡଲାର ତୁଳନାରେ ଟଙ୍କା ଏବେ ବଢିବା ଆରମ୍ଭ କରିଛି। ବୁଧବାର ମଧ୍ୟାହ୍ନ ପରଠାରୁ ଟଙ୍କା ମଙ୍ଗଳବାର ତୁଳନାରେ ପାଖାପାଖି ୧୩ ପଇସା ବୃଦ୍ଧିର ସହ କାରବାର କରି  ଡଲାର ପିଛା ୮୬.୮୫ ସ୍ତରରେ  ପହଞ୍ଚିଛି। ବଜାର ଖୋଲିବା ବେଳେ ଟଙ୍କା ୯୬.୮୯ ଲେବୁଲରେ ଖୋଲିଥିଲା ଓ ୮୬.୮୩ ସ୍ତର ସହିତ ଦିନର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଥିଲା। ବିଶେଷଜ୍ଞଙ୍କ ଅନୁସାରେ ଡଲାର ତୁଳନାରେ ଟଙ୍କା ଏବେ ଭଲ ସ୍ଥିତିକୁ ଫେରୁଛି। ଏଥିରେ ଯଦି ଗତ ଦୁଇ ଦିନର ତଥ୍ୟ ଉପରେ ନଜର ପକାଯାଏ ତେବେ ଡଲାର ତୁଳନାରେ ଟଙ୍କା ପାଖାପାଖି ଦେଢ ପଇସା ମଜଭୁତ ହୋଇଛି। 

ଇଣ୍ଟରବ୍ୟାଙ୍କ ଫରେନ କରେନ୍ସୀ ଏକ୍ସଚେଞ୍ଜ ମାର୍କେଟରେ ମଙ୍ଗଳବାର ଟଙ୍କା ଆମେରିକୀୟ ଡଲାର ତୁଳନାରେ ୧୦ ପଇସା ହ୍ରାସ ସହ ୮୬.୯୮ ଟଙ୍କା ପ୍ରତି ଡଲାରରେ ବନ୍ଦ ହୋଇଥିଲା। ଆମେରିକା ଡଲାର ଇଣ୍ଡେକ୍ସରେ ବୃଦ୍ଧି ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁ ଟଙ୍କା ମୂଲ୍ୟ ହ୍ରାସ ହୋଇଥିଲା। ତେବେ ବୁଧବାର ଆଇବିଆର ଏକ୍ସଚେଞ୍ଜରେ ଡଲାର ତୁଳନାରେ ଟଙ୍କାର ଅଭିବୃଦ୍ଧି ଟ୍ରମ୍ପଙ୍କ ଟାରିଫର ପ୍ରଭାବ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ପରାମର୍ଶଦାତା ତଥା ବିଶ୍ୱର ୧ ନମ୍ବର ଧନୀ ଏଲନ ମସ୍କ ଭାରତରେ ଟେସ୍ଲା ସୋରୁମ ଖୋଲିବା ପାଇଁ କର୍ମଚାରୀ ନିଯୁକ୍ତି ଘୋଷଣା କରିଛନ୍ତି। 

ଦିଲ୍ଲୀ ଓ ମୁମ୍ବାଇରେ ଟେସ୍ଲା ସୋ ରୁମ ଖୋଲିବ। ଏଣୁ ଅନୁମାନ କରାଯାଉଛି ଟ୍ରମ୍ପଙ୍କ ଟାରିଫର ପ୍ରଭାବ ଭାରତ ଉପରେ ଢେର କମ୍‌ ଅଥବା ନ ପଡିବି ପାରେ। ଏହି କାରଣରୁ ଟଙ୍କାକୁ ସପୋର୍ଟ ମିଳୁଥିବାର ଦେଖାଯାଉଛି, ଯାହା ଆଗକୁ ବି ଜାରି ରହିପାରେ। ଅନ୍ୟପଟେ ଡଲାର ଇଣ୍ଡେକ୍ସରେ ହ୍ରାସ ଦେଖାଯାଇଛି। ଏହି ହ୍ରାସ ମଧ୍ୟ ଟଙ୍କାକୁ ସମର୍ଥନ କରୁଛି। ତଥ୍ୟ ଅନୁସାରେ ଡଲାର ଇଣ୍ଡେକ୍ସ ୦.୧୫ପ୍ରତିଶତ ହ୍ରାସ ସହିତ ୧୦୬.୮୯ସ୍ତରରେ କାରବାର କରୁଛି। ଯାହା ଦିନର ଲୋଅର ଲେବୁଲ ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.