NEETକୁ ନେଇ ସଂସଦର ଉଭୟ ସଦନରେ ହଙ୍ଗାମା, ୧ ଜୁଲାଇ ପର୍ଯ୍ୟନ୍ତ ଲୋକସଭା ମୁଲତବୀ

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ ୨୮।୬: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ବେଶ୍ ହଙ୍ଗାମାଦାର ହୋଇଛି। ନିଟ୍‌ ପରୀକ୍ଷାକୁ ନେଇ ୨୮ ଜୁନ ଶୁକ୍ରବାର ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି। ଏଥିରେ କଂଗ୍ରେସ ସାଂସଦ ଫୁଲୋଦେବୀ ନେତାମଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ଏଣୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯିବାରୁ ବିରୋଧୀ ଦଳ ସାଂସଦମାନେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ ନେଇ ଯାଇଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରି ଦିଆଯାଇଛି। ସେପଟେ ହଙ୍ଗାମା ଯୋଗୁ ବାଚସ୍ପତି ଲୋକସଭାକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି। 

ଶୁକ୍ରବାର ବିରୋଧୀ ଦଳ ନିଟ୍‌ ପରୀକ୍ଷା ଅନିୟମିତତା ଚର୍ଚ୍ଚା ନିମନ୍ତେ ମୁଲତବୀ ପ୍ରସ୍ତାବ ଦେଇଥିଲେ। ଏଥିରେ ଲୋକସଭା ବାଚସ୍ପତି କହିଥିଲେ ଯେ ନିୟମାନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କାଳରେ ମୁଲତବୀ ପ୍ରସ୍ତାବ ଆସେ ନାହିଁ। ସେପଟେ ରାଜ୍ୟସଭାରେ ବିପକ୍ଷ ଯେତେବେଳେ ନିଟ୍ ଉପରେ ଚର୍ଚ୍ଚା ଦାବି କଲେ ଅଧ୍ୟକ୍ଷ ଜଗଦୀପ ଧନଖଡ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ବିବଦୀୟ ସ୍ଥିତି ଉପୁଜିଥିଲା। ଏଣୁ ଧନଖଡ ଗୃହର କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରୋକି ଦେଇଥିଲେ। 

ଲୋକସଭାରେ ବିରୋଧୀ ଦଳ ସାଂସଦମାନେ ଅଭିଯୋଗ କରିଥିଲେ ଯେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ମାଇକ୍ ବନ୍ଦ କରିଦେଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଟ୍‌ ଉପରେ ହେବାକୁ ଥିବା ଚର୍ଚ୍ଚାରେ ସାମିଲ ହେବାକୁ ଅପିଲ କରିଥିଲେ, ତେବେ ହଟ୍ଟଗୋଳ ଯୋଗୁ ଲୋକସଭା କାର୍ଯ୍ୟକ୍ରମକୁ କିଛି ସମୟ ଲାଗି ରୋକିବାକୁ ପଡିଥିଲା। ବିରୋଧୀ ଦଳ ସାଂସଦମାନେ ରାହୁଲ ଗାନ୍ଧିଙ୍କ ମାଇକ୍ ବନ୍ଦ କରାଯିବାର ଅଭିଯୋଗ କରିବାରୁ ବାଚସ୍ପତି ଓମ ବିରଳା ତାଙ୍କ ପାଖରେ ମାଇକର ବଟନ ନାହିଁ ବୋଲି କହିଥିଲେ। ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ। ଏଣୁ ବାଚସ୍ପତି ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.