ମୁମ୍ୱାଇ ୧୯/୦୨: ଦୀର୍ଘ ୮ ବର୍ଷ ପରେ ଫେରିଛି ଆଇସିସି ଚାମ୍ପିଅନ୍ସ ଟ୍ରଫି । ପାକିସ୍ତାନ ଆୟୋଜନ କରୁଛି ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣ । କରାଚୀରେ ଖେଳାଯିବ ଉଦ୍ଘାଟନୀ ମୁକାବିଲା । ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଭାରତୀୟ ସମୟ ଅନୁଯାୟୀ ଅପରାହ୍ଣ ୨.୩୦ ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବ । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।
୪ଦିନ ତଳେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ପରସ୍ପରକୁ ଭେଟିଥିଲେ । ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳାଯାଇଥିଲା ଓ ଫାଇନାଲ୍ରେ ପାକିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା । ପାକିସ୍ତାନ ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ଚାମ୍ପିଅନ୍ସ ଟ୍ରଫିରେ ଉଭୟ ପରସ୍ପରକୁ ୩ଥର ଭେଟିଛନ୍ତି । ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ୍ ଜିତିଛି । ଗତ ତ୍ରି-ରାଷ୍ଟ୍ରୀୟ ସିରିଜରେ ମଧ୍ୟ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍ ଜିତିଥିଲା ।
ପାକିସ୍ତାନ (୨୦୧୭) ଓ ନ୍ୟୁଜିଲାଣ୍ଡ (୨୦୦୦) ପୂର୍ବରୁ ଥରେ ଲେଖାଏଁ ଚାମ୍ପିଅନ୍ସ ଟ୍ରଫି ଜିତି ସାରିଛନ୍ତି । ଉଭୟ ଫାଇନାଲ୍ରେ ଭାରତକୁ
ହରାଇଥିଲେ । ଗତ ୨ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ପାକିସ୍ତାନର ପ୍ରଦର୍ଶନ ଉନ୍ନତ ଥିବା ଦେଖିବାକୁ ମିଳିବ । ୨୦୨୩ ଆରମ୍ଭରୁ ଇତିମଧ୍ୟରେ ଉଭୟ ଦଳ ଦିନିକିଆରେ ପରସ୍ପରକୁ ୧୧ଥର ଭେଟି ସାରିଛନ୍ତି । ପାକିସ୍ତାନ ଏଥିରୁ ୬ଟି ମ୍ୟାଚ୍ ଜିତିଛି । ନ୍ୟୁଜିଲାଣ୍ଡର ଦୁଇ ପ୍ରମୁଖ ପେସ୍ ବୋଲର ଲୋକି ଫର୍ଗୁସନ ଓ ବେନ ସିୟର୍ସ ଆହତ ହୋଇ ବାଦ ପଡ଼ିଛନ୍ତି । ମାତ୍ର ଗତ ତ୍ରି-ରାଷ୍ଟ୍ରୀୟ ସିରିଜରେ ଆହତ ହୋଇଥିବା ରଚିନ ରବିନ୍ଦ୍ର ଫିଟ୍ ଘୋଷିତ ହୋଇଥିବାରୁ ଦଳ ଆଶ୍ୱସ୍ତ ହୋଇଛି ।
ଠିକ୍ ସେହିପରି ପାକିସ୍ତାନର ପ୍ରମୁଖ ପେସ୍ ବୋଲର
ହ୍ୟାରିସ ରୌଫ ମଧ୍ୟ ଫିଟ୍ ଘୋଷିତ ହୋଇଛନ୍ତି । ଉଭୟ ଏକାଦଶକୁ ଫେରିବାର ସମ୍ଭାବନା ରହିଛି । କରାଚୀ ଜାତୀୟ ଷ୍ଟାଡ଼ିୟମ୍ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଗତ ୧୨ ଓ ୧୪ ତାରିଖରେ ଏହି ଗ୍ରାଉଣ୍ଡ୍ରେ ୨ଟି ମ୍ୟାଚ୍ ଖେଳାଯାଇଥିଲା । ଉଭୟ ମ୍ୟାଚ୍ର ପିଚ୍ ଭିନ୍ନ ଥିଲା । ଗୋଟିଏ ପିଚ୍ରେ ୩୫୨ ରନ ସଂଗୃହୀତ ହୋଇଥିଲା ଓ ପ୍ରତିପକ୍ଷ ଦଳ ଗୋଟିଏ ଓଭର ବାକି ଥାଇ ୩୫୪ ରନ୍ କରି ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨୪୨ ରନ୍ କରିଥିଲା ଓ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଥିଲା । ମୋଟ୍ ଉପରେ କହିବାକୁ ଗଲେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ଓ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
-: ସମ୍ଭାବ୍ୟ ଦଳ :-
ପାକିସ୍ତାନ: ଫଖାର ଜମାନ, ବାବର ଆଜମ,
ସାଉଦ ସକିଲ, ମହମ୍ମଦ ରିଜୱାନ (ଅଧିନାୟକ),
ସଲମାନ ଆଘା, ତୟାବ ତାହିର, ଖୁସଦିଲ ଶାହ,
ସହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ ରୌଫ,
ଅବରାର ଅହମ୍ମଦ ।
ନ୍ୟୁଜିଲାଣ୍ଡ:
ରଚିନ ରବିନ୍ଦ୍ର/ୱିଲ ୟଙ୍ଗ,
ଡେଭନ କନୱେ, କେନ ୱିଲିୟମସନ, ଡାରିଲ
ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ
ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ),
ମାଟ ହେନରୀ, ଜାକବ ଡଫି, ୱିଲ ଓ’ରୁର୍କ ।