ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ୍ ଇଣ୍ଡିଆ ନିଜ ଅଭିଯାନ ଆରମ୍ଭ କରିଛି । ଭାରତୀୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତର ଅଧିନାୟକ ରୋହିତ୍ ଶର୍ମାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଚାମ୍ପିଅନ୍ସ ଟ୍ରଫି ଆରମ୍ଭରୁ ହିଁ ସେ ଏକ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲିଙ୍କୁ ପଛରେ ପକାଇ ରୋହିତ୍ ଶର୍ମା ଏକ ଖାସ୍ ସୂଚୀରେ ଉପରେ ପହଞ୍ଚିଛନ୍ତି । ଅନ୍ୟପଟେ ବିରାଟ କୋହିଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ସହ ଧୋନୀଙ୍କ ବରାବାର କରିଛନ୍ତି ।
ରୋହିତ୍ ଶର୍ମା ୨୦୦୭ରେ ନିଜର ଇଣ୍ଟରନ୍ୟାସନାଲ୍ କ୍ୟାରିୟର ଆରମ୍ଭ କରିଥିଲେ । ସେ ନିଜର ପ୍ରଥମ ମ୍ୟାଚ୍ ଆଇସିସି ଇଭେଣ୍ଟ ୨୦୦୭ ଟି-୨୦ ବିଶ୍ୱକପରେ ଖେଳିଥିଲେ । ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ନିଜ କ୍ୟାରିୟରରେ ୧୫ତମ ଆଇସିସି ଲିମିଟେଡ୍ ଓଭର ଇଭେଣ୍ଟ ଖେଳୁଛନ୍ତି । ଏହାସହ ସେ ଭାରତ ପାଇଁ ସବୁଠୁ ଅଧିକ ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଏହି ରେକର୍ଡ ଏମ୍ଏସ୍ ଧୋନୀଙ୍କ ନାଁରେ ଥିଲା । ସେ ଭାରତ ପାଇଁ ୧୪ଟି ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିଥିଲେ ।
ଅନ୍ୟପଟେ ବିରାଟ କୋହଲିଙ୍କ ଏହା ୧୪ତମ ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ । ଅର୍ଥାତ୍ ସେ ଏହି ଲିଷ୍ଟରେ ଏମ୍ଏସ୍ ଧୋନୀଙ୍କ ସମକକ୍ଷ ହୋଇଛନ୍ତି । ଯୁବରାଜ ସିଂହ ବି ନିଜ କ୍ୟାରିୟରରେ ୧୪ଟି ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିଥିଲେ । ଅନ୍ୟପଟେ ସବୁଠୁ ଅଧିକ ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିବାର ରେକର୍ଡ କ୍ରିସ୍ ଗେଲ୍, ମହେଲା ଜୟବର୍ଦ୍ଧନେ, ଶାହିଦ ଆଫ୍ରିଦି ଏବଂ ସାକିବ ଅଲ୍ ହସନଙ୍କ ନାଁରେ ରହିଛି । ଏହି ଖେଳାଳିମାନେ ୧୬-୧୬ ଲିମିଟେଡ୍ ଓଭର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି ।
ଭାରତ ପାଇଁ ସବୁଠୁ ଅଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିବା ଖେଳାଳି (ଲିମିଟେଡ୍ ଓଭର)
ରୋହିତ୍ ଶର୍ମା-୧୫
ବିରାଟ କୋହଲି-୧୪
ଏମଏସ୍ ଧୋନୀ-୧୪
ଯୁବରାଜ ସିଂହ-୧୪
ରବିନ୍ଦ୍ର ଜାଡେଜା-୧୨
ସଚିନ ତେନ୍ଦୁଲକର-୧୧
ହରଭଜନ ସିଂହ-୧୧
ଅନ୍ୟପଟେ ରବିନ୍ଦ୍ର ଜାଡେଜା ଆଜି ନିଜ ଦିନିକିଆ କ୍ୟାରିୟରର ୨୦୦ତମ ମ୍ୟାଚ୍ ଖେଳୁଛନ୍ତି । ଭାରତ ପାଇଁ ୨୦୦ ଦିନିକିଆ ମ୍ୟାଚ୍ ଖେଳିବାରେ ସେ ୧୬ତମ ଖେଳାଳି ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଭାରତ ପାଇଁ ସବୁଠୁ ଅଧିକ ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ (୪୬୩) ନାଁରେ ରହିଛି । ଅନ୍ୟପଟେ ଧୋନୀ ୩୫୦ ମ୍ୟାଚ୍ ଖେଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।