ବର୍ଷା ହେଲେ ଦ୍ଵିତୀୟ ସେମି ପାଇଁ ନାହିଁ ରିଜର୍ଭ ଡେ, ଏମିତି କାହିଁକି ? କାରଣ କହିଲା ICC

Published By : Prameya-News7 Bureau | June 27, 2024 IST

aajtak

ଗୁଏନା: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ଵକପ୍‌ ୨୦୨୪ର ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ  ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ସହରରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି।  ତଥାପି ଦ୍ଵିତୀୟ ସେମି ଫାଇନାଲ୍ ପାଇଁ କୌଣସି ରିଜର୍ଭ ଡେର ବ୍ୟବସ୍ଥା କରାଯାଇ ନାହିଁ। ଏହା ପରିବର୍ତ୍ତେ ୨୫୦ ମିନିଟ୍‌ର ଅତିରିକ୍ତ ସମୟ ଦିଆଯାଇଛି। ଯଦି ଏହି ସମୟ ଭିତରେ ମ୍ୟାଚ୍ ନ ହୁଏ ତେବେ ଏହାକୁ ରଦ୍ଦ କରିବାକୁ ପଡ଼ିବ। 

କିନ୍ତୁ ଆଇସିସି ପ୍ରଥମ ସେମି ଫାଇନାଲ୍ ପାଇଁ ରିଜର୍ଭ ଡେ ରଖିଥିଲା। କିନ୍ତୁ ଏହାର ଆବଶ୍ୟକତା ପଡ଼ି ନ ଥିଲା। ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। ଏବେ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ଆଇସିସି ଦ୍ଵିତୀୟ ସେମି ଫାଇନାଲ୍ ପାଇଁ କାହିଁକି ରିଜର୍ଭ ଡେ ରଖି ନାହିଁ। ଆଉ ଏହାର ଉତ୍ତର ଦେଇଛି ଆଇସିସି।

Also read: ଟି-୨୦ ବିଶ୍ୱକପ ୨୦୨୪ରେ ପୁଣି ପିଚ୍‌କୁ ନେଇ ବିବାଦ, ମ୍ୟାଚ୍ ଜିତିବା ପରେ ମାରକ୍ରମ ଦେଲେ ଏପରି ବୟାନ

ଆଇସିସିର ମୁଖପାତ୍ର କହିଛନ୍ତି, ଦ୍ଵିତୀୟ ସେମି ଫାଇନାଲ୍ ପାଇଁ ରିଜର୍ଭ ଡେ ନ ରଖିବାର ନିଷ୍ପତ୍ତି ନିଆଯାଇଛି। କାରଣ ଦଳ ଗୁଡ଼ିକୁ ଲଗାତାର ଯାତ୍ରା ନ କରିବାକୁ ପଡ଼ୁ। ଦଳଗୁଡ଼ିକର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଦ୍ଵିତୀୟ ସେମି ଫାଇନାଲ୍ ପାଇଁ ଅତିରିକ୍ତ ୪ ଘଣ୍ଟା ୧୦ ମିନିଟ୍ ରଖିବାକୁ ନିଷ୍ପତ୍ତି ନେଇଛି ଆଇସିସି। କାରଣ ଏହି ମ୍ୟାଚ୍ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୩୦ରୁ ଖେଳାଯିବ। 

ଉଲ୍ଲେଖନୀୟ ପ୍ରଥମ ସେମି ଫାଇନାଲ୍‌ ତ୍ରିନିଦାଦରେ ସ୍ଥାନୀୟ ସମୟ ଅନୁସାରେ ଜୁନ ୨୬ ତାରିଖ ରାତିରେ ଅର୍ଥାତ ଭାରତୀୟ ସମୟ ଅନୁସାରେ ଜୁନ ୨୭ ତାରିଖ ସକାଳେ ଖେଳା ଯାଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମି ଫାଇନାଲ୍‌ ସ୍ଥାନୀୟ ସମୟ  ଅନୁସାରେ ଜୁନ ୨୭ ଦିନ ୧୦ଟା ୩୦ ଅର୍ଥାତ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ। 

ଏମିତିରେ ପ୍ରଥମ ସେମି ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଥିଲା, ଯଦ୍ଵାରା ଜୁନ ୨୭ ତାରିଖ ସ୍ଥାନୀୟ ସମୟ ଅନୁସାରେ ଖେଳା ଯାଇ ପାରିବ। ମାତ୍ର ଦ୍ଵିତୀୟ ସେମି ଫାଇନାଲ୍ ପାଇଁ ଏହା ସମ୍ଭବ ନୁହେଁ। ଯଦି ଦ୍ଵିତୀୟ ସେମି ପାଇଁ ରିଜର୍ଭ ଡେ ଜୁନ ୨୮ରେ ରଖାଯିବ ତେବେ ଏହି ମ୍ୟାଚ୍ ଜିତିଥିବା ଦଳକୁ ପରବର୍ତ୍ତୀ ଦିନ ଜୁନ ୨୯ ତାରିଖରେ ଫାଇନାଲ୍ ଖେଳିବା ପାଇଁ ବାର୍ବାଡୋସ୍ ଯିବାକୁ ପଡ଼ିବ। 

ଏମିତିରେ ଦ୍ଵିତୀୟ ସେମି ଫାଇନାଲ୍ ବିଜେତା ଦଳକୁ ବହୁତ ଯାତ୍ରା କରିବାକୁ ପଡ଼ିଥାନ୍ତା। ଏହା ସହିତ ଅଭ୍ୟାସ୍ କରିବାକୁ ବି ସୁଯୋଗ ମିଳି ନ ଥାନ୍ତା। ଉକ୍ତ ଦଳକୁ ସେମି ଜିତିବା ପରେ ତୁରନ୍ତ ବାର୍ବାଡୋସ୍ ଯିବାକୁ ପଡ଼ିଥାନ୍ତା। ଏମିତି ହୋଇଥିଲେ ଖେଳାଳିଙ୍କୁ ବିଶ୍ରାମ ମଧ୍ୟ ମିଳି ନ ଥାନ୍ତା  ଏହି କାରଣରୁ ଆଇସିସି ରିଜର୍ଭ ଡେ ପରିବର୍ତ୍ତେ ଅତିରିକ୍ତ ସମୟ ରଖିବାକୁ ଉଚିତ୍ ମଣିଛି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.