ଦ୍ରାବିଡ଼ଙ୍କୁ ଓ୍ୱାର୍ଲ୍ଡ କପ୍‌ ଫେରଓ୍ୱେଲ, ବିରାଟ-ବୁମରା-ହାର୍ଦ୍ଦିକ ଜିତାଇ ଦେଲେ ବିଶ୍ୱକପ୍

Published By : Prameya-News7 Bureau | June 29, 2024 IST

ବାରବାଡୋସ: ଚାମ୍ପିଅନ... ଚାମ୍ପିଅନ... ଚାମ୍ପିଅନ୍‌ । ଟିମ୍‌ ଇଣ୍ଡିଆ ଚାମ୍ପିଅନ୍‌ । ୧୩ ବର୍ଷ ପରେ ଫେରିଲା ଖୁସି । ଭରାତୀୟ କ୍ରିକେଟ୍ ପ୍ରେମୀଙ୍କ ମୁହଁରେ ହସ ଯେତିକି ଥିଲା, ଆଖିରେ ଲୁହ ବି ଥିଲା ସେତିକି । ଜବରଦସ୍ତ ପାଣ୍ଡ୍ୟା, ମହାନ ବିରାଟ । ସବୁଠାରୁ ବେଷ୍ଟ କ୍ୟାପଟେନ୍‌ ରୋହିତ । ସୂର୍ଯ୍ୟଙ୍କ ଚମତ୍କାର କ୍ୟାଚ୍‌... ବୁମରାହଙ୍କ ବୋଲିଂ, ଯେତେ ପ୍ରଶଂସା କଲେବି କମ୍‌ । ଶୁକ୍ରବାର ବାରବାଡୋସ ଷ୍ଟାଡିୟମରେ ରୋମାଞ୍ଚକର ବିଶ୍ୱକପ୍ ଫାଇନାଲ ମ୍ୟାଚରେ ଜିତି କ୍ରିକେଟ୍ ପ୍ରେମୀଙ୍କୁ ଅଗଣତି ଖୁସି ଦେଇଛନ୍ତି ରୋହିତ୍ ଆଣ୍ଡ କୋ । ଫାଇନାଲର ରୋମାଞ୍ଚକର ମୁକାବିଲାରେ ୭ ରନ୍‌ରେ ସାଉଥ୍‌ ଆଫ୍ରିକାକୁ ହରାଇ ବିଶ୍ୱ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ । 

୩୦ ବଲ୍‌ରେ ୩୦ ରନ୍‌ । ଦକ୍ଷିଣ ଆଫ୍ରିକା ଜିତିବା ଅଭିମୁଖେ । ଭାରତୀୟ ଫ୍ୟାନ୍ସ ନିରାଶ ହୋଇ ଆସୁଥିଲେ । ତଥାପି ଥିଲା ଆମ ଖେଳାଳିଙ୍କ ଉପରେ ଭରସା । ଆଉ ଚମତ୍କାର କରି ଦେଖାଇଲେ । ବାଉଣ୍ଡ୍ରି ପାଖରେ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର କ୍ୟାଚ୍ ଥିଲା ମ୍ୟାଚର ଶେଷ ଟର୍ଣ୍ଣିଂ ପଏଣ୍ଟ । ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ପୂରା କରିଥିଲା । ୧୩ ବର୍ଷ ପରେ ଆଇସିସି ବିଶ୍ୱକପ ଜିତିଛି ଭାରତ ।

ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲାରେ ଭାରତୀୟ ଟିମର କ୍ୟାପ୍ଟେନ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଟିମର ଆରମ୍ଭ ମଧ୍ୟ ଧୁଆଁଧାର ଥିଲା । ଟିମ୍ ୧.୩ ଓଭର ସୁଦ୍ଧା ୨୩ ରନ ବୋର୍ଡରେ ଲଗାଇଥିଲା । କିନ୍ତୁ ଏହାପରେ ଟିମ୍ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା । ପ୍ରଥମେ ୯ ରନ କରି ରୋହିତ୍ ଶର୍ମା ଏବଂ ଦ୍ୱିତୀୟ ଓଭର ଶେଷ ବଲରେ ରିଷଭ ପନ୍ତ ଡକ୍ ଆଉଟ୍ ହୋଇ ଫେରିଥିଲେ । ଏହା ପରେ ପରେ ସୂର୍ଯ୍ୟକୁମାର ଯାଦବ ବି ମାତ୍ର ୩ ରନ୍ କରି ପାଭେଲିଅନ ଫେରିଥିଲେ । ଟିମ୍ ୪.୩ ଓଭରରେ ୩୪ ରନରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା ।  

ଏହାପରେ ପଡ଼ିଆକୁ ଓହ୍ଲାଇଥିବା ଅକ୍ଷର ପଟେଲ୍ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ମଧ୍ୟରେ ୭୨ ରନର ପାର୍ଟନରଶିପ୍ ହୋଇଥିଲା । ତେବେ ଦୁର୍ଭାଗ୍ୟଜନକ ଭାବେ ଅକ୍ଷର ପଟେଲଙ୍କ ୩୧ ବଲରେ ୪୭ ରନ ଇନିଂସ ରନ୍ ଆଉଟ୍‌ରେ ଶେଷ ହୋଇଥିଲା । ଶିଭମ ଦୁବେଙ୍କ ସହ ମିଶି ବିରାଟ କୋହିଲ ଭାରତର ସ୍କୋର କାର୍ଡକୁ ବଢାଇଥିଲେ । ବିରାଟ ୫୯ ବଲରେ ୭୬ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଶିବମ ଦୁବେ ୨୭ ରନ୍ କରି ଆଉଟ୍ ହୋଇଥିଲେ । ଏହାସହ ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଟିମ୍ ଇଣ୍ଡିଆ ।

ଫାଇନାଲରେ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟକୁ ପିଛା କରିବା ପାଇଁ ଓହ୍ଲାଇଥିବା ସାଉଥ୍ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ରେଜା ହ୍ୟାଣ୍ଡ୍ରିକ୍ (୪) ଏବଂ ଏଡେନ ମର୍କରମ (୪) କରି ଶୀଘ୍ର ଆଉଟ୍ ହୋଇଥିଲେ । ତେବେ କ୍ୱିଣ୍ଟନ ଡି'କକ୍‌ଙ୍କ ୩୯ ରନ୍, ଷ୍ଟ୍ରବଙ୍କ ୩୧ ରନ୍ ଏବଂ କ୍ଲାସେନଙ୍କ ୫୨ ରନ୍ ବଳରେ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତକୁ କଡ଼ା ଟକ୍କର ଦେଇଥିଲା । କିନ୍ତୁ ଭାରତୀୟ ପେସରଙ୍କ ଆଜିର ବୋଲିଂ ବଳରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇଛି । ଫାଇନାଲରେ ଅର୍ଶଦୀପ ସିଂଙ୍କ ୪ ଓଭରରେ ୨୦ ରନ୍ ଦେଇ ଦୁଇ ୱିକେଟ୍ ଏବଂ ବୁମରାଙ୍କ ୪ ଓଭରରେ ୧୮ ରନରେ ୨ ୱିକେଟ୍ ଅବିସ୍ମରଣୀୟ ହୋଇ ରହିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.