ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଧୁମଧାମରେ ଚାଲିଛି ଦୁର୍ଗା ପୂଜା। ଏନେଇ ଦୁର୍ଗାପୂଜା ଛୁଟି ଘୋଷଣା କରିଛନ୍ତି ୟୁନୁସ ସରକାର। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷାକର୍ମୀ ମୁତହନ ହୋଇଛନ୍ତି। ହିନ୍ଦୁ ସମ୍ପ୍ରଦାୟର ଏହି ଦୁର୍ଗାପୂଜାରେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଦେଇଛନ୍ତି। ଧାର୍ମିକ ଭାବନାକୁ ଆଘାତ କରାଯାଇଛି। ମୌଳିକବାଦୀ ଚିତ୍ରକୋଣ୍ଡା ସହରର ଦୁର୍ଗା ପୂଜା ମଞ୍ଚରେ ଜବରଦସ୍ତ ପ୍ରବେଶ କରି ଇସଲାମିକ ଗୀତ ଗାଇଥିଲେ।
ଏହା ପରେ ସେଠାରେ ଉପସ୍ଥିତ ହିନ୍ଦୁମାନେ ଏହାକୁ ବିରୋଧ କରିଥିଲେ। ଗତ ଗୁରୁବାର ରାତି ପ୍ରାୟ ୭ଟା ସମୟରେ ଚିତ୍ରକୋଣ୍ଡାର ରହମାଟଗଞ୍ଜ ଅଞ୍ଚଳର ଜେଏମ ସେନ ହଲରେ ପୂଜା ସମାରୋହରେ ଏହି ଘଟଣା ଘଟିଛି। ତେବେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି।
ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ଅନୁଯାୟୀ ପୂଜା କମିଟିର ସଭାପତି ଆସିସ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି, "ଆମେ ଅତିଥିମାନଙ୍କୁ ସ୍ୱାଗତ କରିବାରେ ବ୍ୟସ୍ତ ଥିଲୁ, କିଛି ଲୋକ ଇସଲାମିକ ଗୀତ ଗାଇବା ଆରମ୍ଭ କରିଥିଲେ। କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।" ଘଟଣାରେ ପୋଲିସ ତଦନ୍ତ କରୁଛି। ଦୋଷୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହାପୂର୍ବରୁ ଅକ୍ଟୋବର ୧୦ରେ ଶ୍ୟାମନଗରର ଯୋଗେଶ୍ୱରୀ ମନ୍ଦିରରୁ ଦେବୀ କାଳୀ ମାତାଙ୍କ ମୁକୁଟ ଚୋରି ହୋଇଥିଲା। ମାର୍ଚ୍ଚ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମୁକୁଟକୁ ମନ୍ଦିରକୁ ଉପହାର ଦେଇଥିଲେ। ମନ୍ଦିରର ପୁରୋହିତ ଦିଲୀପ ମୁଖାର୍ଜୀ ଦିନର ପୂଜା ପରେ ଚାଲି ଯାଇଥିଲେ।
ହାଇକମିଶନ କହିଛନ୍ତି, "ଆମେ ୨୦୨୧ ମସିହାରେ ବାଂଲାଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଯୋଶେଶ୍ୱରୀ କାଳୀ ମନ୍ଦିରକୁ ଦିଆଯାଇଥିବା ମୁକୁଟ ଚୋରିର ଖବର ଆମେ ଧ୍ୟାନ ଦେଇଛୁ। ତଦନ୍ତ, ମୁକୁଟ ପୁନରୁଦ୍ଧାର ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।