କଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ ହୋଇଛନ୍ତି। କେବଳ ସେତିକି ବେଳକୁ ନୁହେଁ ବାରବାଟୀରେ ଚାହିଦା ଥିବା ଏକ ନମ୍ବର,୩ ନମ୍ବର ଓ ପାଞ୍ଚ ନମ୍ବର ଗ୍ୟାଲେରୀ ଟିକେଟ ମିଳୁନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି କ୍ରିକେଟ ଲଭର୍ ମାନେ। ଅନ୍ୟପଟେ ଆସନ୍ତା ୫ ତାରିଖ ଓ ୬ ତାରିଖରେ ଅଫ ଲାଇନ ରେ ଟିକେଟ ବିକ୍ରି କିଭଳି ହେବ ସେ ନେଇ ସ୍ଥିତି ଯାଞ୍ଚ କରିଛନ୍ତି ଡିସିପି। ଚଳିତ ଥର ପ୍ରଥମ କରି ଅଫ ଲାଇନ ରେ ମହିଳା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର କାଉଣ୍ଟର ରହୁଥିବା ବେଳେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ନୂତନ କାଉଣ୍ଟର ରେ ଟିକେଟ ବିକ୍ରି କରାଯିବ ବୋଲି କହିଛନ୍ତି କଟକ ଡିସିପି।
ସମୟ ଅପରାହ୍ନ ଚାରିଟା। ବାରବାଟି ୱାନଡେ ପାଇଁ ଖୋଲିଲା ଓସିଏ ପକ୍ଷରୁ ଦିଆଯାଇଥିବା ଟିକେଟ ବୁକିଂ ଅନଲାଇନ ସାଇଟ୍ ଅନଲାଇନରେ ମାତ୍ର ଚାରି ହଜାର ଟିକେଟ ବିକ୍ରି ପାଇଁ ଥିବା ବେଳେ ଅନାଉ ଅନାଉ ସରିଗଲା ଟିକେଟ। ବହୁ କ୍ରୀଡ଼ା ପ୍ରେମୀ ଅନଲାଇନରେ ଟିକେଟ କିଣିବା ପାଇଁ ଦିଆ ଯାଇଥିବା ସାଇଟ୍ ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ ସାଇଟ୍ରେ କାହାର ନମ୍ବର ୧୨ ହଜାର ତ କାହାର ୧୫ ହଜାର କାହାର ୬୦ ହଜାର କ୍ୟୁରେ ଥିଲା । ହଜାର ହଜାର କ୍ରିକେଟ ଫ୍ୟାନ ଏକାଥରେ ସାଇଟ୍ ଖୋଲିଥିବାରୁ ସର୍ଭର୍ ଡାଉନ୍ ରହିଲା । ଫଳରେ ଅନଲାଇନ୍ ଟିକେଟ କିଣିବାରୁ ବଞ୍ଚିତ ହେଲେ କ୍ରିକେଟ୍ ପ୍ରେମୀ । କେବଳ ସେତିକି ନୁହେଁ ବାରବାଟି ଷ୍ଟାଡିୟମ୍ ରେ କମ ଟଙ୍କା ରେ ଚାହିଦା ଥିବା ଏକ ନମ୍ବର, ତିନି ନମ୍ବର ଓ ପାଞ୍ଚ ନମ୍ବର ଗ୍ୟାଲେରୀ ର ଟିକେଟ ମିଳୁନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି କ୍ରିକେଟ ପ୍ରେମୀ । ଗୋଟେ ପଟେ ସାଇଡ ଖୋଲୁ ନଥିବା ବେଳେ ଅନ୍ୟପଟେ ଚାହିଦା ତଥା ମନ ପସନ୍ଦ ର ଟିକେଟ କିଣି ନପାରିବାରୁ ନିରାଶ ହୋଇଛନ୍ତି କ୍ରୀଡ଼ାପ୍ରେମୀ।
Also read: କନକ୍ସନ ବିବାଦରେ ଅଶ୍ଵିନଙ୍କ ଏଣ୍ଟ୍ରି, ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ, କହିଲେ- କଣ ଆମେ...
ଆସନ୍ତା ୫ ଓ ୬ ତାରିଖରେ କାଉଣ୍ଟରରେ ବିକ୍ରି ହେବ ଟିକେଟ। ଏଥର ମହିଳାଙ୍କ ପାଇଁ ହେଉଛି ସ୍ବତନ୍ତ୍ର କାଉଣ୍ଟର। ଟିକେଟ ବିକ୍ରି ନିମନ୍ତେ ହେବ ମୋଟ୍ ୪ ଟି କାଉଣ୍ଟର। ଦୁଇଟି ପୁରୁଷ ଓ ଗୋଟିଏ ମହିଳା କାଉଣ୍ଟରରେ ମିଳିବ ଗ୍ୟାଲେରୀ ଟିକେଟ। ଅନ୍ୟ ଏକ କାଉଣ୍ଟରରେ ରହିବ ଦାମୀ ଓ ଭିଭିଆଇପିଙ୍କ ପାଇଁ ଟିକେଟ। ଚଳିତ ବର୍ଷ ପ୍ରଥମ ଥର କରି ଶିଳ୍ପ ନିର୍ଦ୍ଦେଶାଳୟ ରାସ୍ତାରେ ପୁରୁଷଙ୍କ ପାଇଁ ଏହି ୨ଟି ଟିକେଟ୍ କାଉଣ୍ଟର ହେଉଥିବା ବେଳେ ମହିଳା ଓ ଭି ଆଇ ପି ଟିକେଟ ପାଇଁ କମିଶନରେଟ୍ ପୋଲିସ ମାଜିଷ୍ଟ୍ରେଟ ରାସ୍ତାରେ ଦୁଇଟି କାଉଣ୍ଟର କରିଛି। ଟିକେଟ ବିକ୍ରି ପାଇଁ ମୁତୟନ ହେବେ ବରିଷ୍ଠ ଅଧିକାରୀଙ୍କ ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ । କାଉଣ୍ଟରରେ ଟିକେଟ ବିକ୍ରି କିଭଳି କରାଯିବ ସେ ନେଇ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି କଟକ ଡିସିପି ଙ୍କ ସହ ଓସିଏ ର ବରିଷ୍ଠ ଅଧିକାରୀ। ଟିକେଟ ବିକ୍ରି ସମୟରେ ଚଣ୍ଡୀ ଛକରୁ ଷ୍ଟାଡିୟମ୍ ଆଡ଼କୁ ଯାଉଥିବା ଯାନ ବାହାନ ଗୁଡ଼ିକ ପି ଏଚ୍ ଡି ଅଫିସ ନିକଟ ପର୍ଯ୍ୟନ୍ତ ଯାଇ ପାରିବେ।
ସେହିଭଳି ମଧୁସୂଦନ ଷ୍ଟାଚ୍ୟୁ ନିକଟରୁ ଷ୍ଟାଡିୟମ୍ ଆଡ଼କୁ ଆସୁଥିବା ଯାନବାହନ ଗୁଡିକ ସିବି-୧ କୱେଟର ପର୍ଯ୍ୟନ୍ତ ଯାଇ ପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । କାଉଣ୍ଟର ଟିକେଟ ବିକ୍ରି ବେଳେ ପୋଲିସ ସହ ଲୋକମାନଙ୍କ ଉପରେ ନଜର ରଖିବ ସିସିଟିଭି କ୍ୟାମେରା। ସେଥିପାଇଁ ବିଭିନ୍ନ ସ୍ଥାନରେ ଏହି କ୍ୟାମେରା ଲଗାଯାଇଥିବା କହିଛନ୍ତି ଡିସିପି। ଅନ ଲାଇନରେ ଟିକେଟ ବୁକ୍ କରିଥିବା ବ୍ୟକ୍ତି ଆସନ୍ତା ସାତ, ଆଠ, ୯ ତାରିଖରେ କଟକ କେମ୍ବ୍ରିଜ ସ୍କୁଲ ଓ ଭୁବନେଶ୍ବର କିଟ ଅଥଲେଟିକ୍ ଏକାଡେମି ରୁ ଟିକେଟ ସଂଗ୍ରହ କରି ପାରିବେ।