Elite Group A: ଓଡ଼ିଶାକୁ ୧୦ ଓ୍ଵିକେଟ୍‌ରେ ହରାଇ ରଣଜୀରେ ଇତିହାସ ରଚିଲା ସର୍ଭିସେସ୍

Published By : Prameya-News7 Bureau | February 02, 2025 IST

କଟକ: ଘରୋଇ ମାଟିରେ ଓଡ଼ିଶା କ୍ରିକେଟ୍ ଦଳକୁ ନିର୍ଧୁମ ପ୍ରହାର କଲେ ସର୍ଭିସେସ୍‌ର ଦୁଇ ଓପନର ଶୁଭମ ରୋହିଲା ଓ ସୁରଜ ବଶିଷ୍ଠ। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ଏଲିଟ୍ ଗ୍ରୁପ ଏର ଶେଷ ଲିଗ୍ ମ୍ୟାଚ୍‌ରେ ସର୍ଭିସେସ୍ ଓଡ଼ିଶାକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ହରାଇଛି। ଏହି ବିଜୟ ସହ ସର୍ଭିସେସ୍ ଇତିହାସ ରଚିଛି। ଦ୍ଵିତୀୟ ଇନିଂସରେ ୩୭୬ ରନର ଲକ୍ଷ୍ୟ ପୂରା କରିବାରେ ପ୍ରଥମ ଦଳ ହୋଇଛି। ଏହା ପୂର୍ବରୁ ଏମିତି ସଫଳତା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ କୌଣସି ଦଳ କେବେ ହାସଲ କରି ପାରି ନ ଥିଲେ। 

ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଇନିଂସରେ ୧୮୦ ରନ କରିଥିଲା। ରାଜେଶ ମହାନ୍ତି ୬୦ ରନ କରିଥିବା ବେଳେ ଆର୍ଶୀବାଦ ସ୍ଵାଇଁ ୨୮ ରନ କରିଥିଲେ। ଏହି ଇନିଂସରେ ସର୍ଭିସେସ୍ ପକ୍ଷରୁ ପୁନିଆ ୩୩ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଜୟନ୍ତ ଗୋଏତ ୩ଟି ଓ୍ଵିକେଟ୍ ନେଇଥିଲେ। 

Also read: ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବ କପ୍ଦ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ

ଜବାବରେ ସର୍ଭିସେସ୍ ପ୍ରଥମ ଇନିଂସରେ ୧୯୯ ରନ କରି ଓଡ଼ିଶାଠୁ ୧୯ ରନର ଅଗ୍ରଣୀ ହାସଲ କରିଥିଲା। ଏହି ଇନିଂସରେ ସର୍ଭିସେସ୍ ପକ୍ଷରୁ ରବି ଚୌହ୍ଵାନ ୧୨୦ ରନର ଇନିଂସ ଖେଳିବାରୁ ଦଳ ଏହି ସ୍କୋରରେ ପହଞ୍ଚି ପାରିଥିଲା।  ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଘାତକ ବୋଲିଂ କରି ୬୮ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିବା ବଳେ ତାପସ ଦାସ ୩ ଓ ସୁନିଲ ରାଉଲ ୨ ଓ୍ଵିକେଟ୍ ନେଇଥିଲେ।

ଏହା ପରେ ଦ୍ଵିତୀୟ ଇନିଂସରେ ଓଡ଼ିଶା ବ୍ୟାଟର ଭଲ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ଅନିଲ ପରିଡା ୯୯ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଆଶୀର୍ବାଦ ସ୍ଵାଇଁ ୭୭ ରନ, ରାଜେଶ ଧୂପର ୬୬ , ରାଜେଶ ମହାନ୍ତି ୪୦ ଓ ସ୍ଵସ୍ତିକ ସାମଲ ୩୭ ରନ କରିଥିଲେ। ଫଳରେ ଓଡ଼ିଶା ୩୯୪ ରନର ପ୍ରଭାବଶାଳୀ ସ୍କୋର କରି ସର୍ଭିସେସ୍‌କୁ ୩୭୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା।

Also read: କ୍ରିକେଟର ସବୁ ଫର୍ମାଟରୁ ରିଦ୍ଧିମାନ ଶାହଙ୍କ ଅବସର; ଭାରତ ପାଇଁ ଖେଳିଥିଲେ ୪୦ଟି ଟେଷ୍ଟ

କିନ୍ତୁ ବୋଲରଙ୍କ ଅତ୍ୟନ୍ତ ନିମ୍ନମାନ ପ୍ରଦର୍ଶନ କାରଣରୁ ଓଡ଼ିଶା ଶୋଚନୀୟ ପରାଜୟ ଭୋଗିଛି। ୩୭୬ ରନର ବଡ଼ ବିଜୟ ଲକ୍ଷ୍ୟ ଦେଇବି ଓଡ଼ିଶା ସର୍ଭିସେସର ଦ୍ଵିତୀୟ ଇନିଂସରେ ଗୋଟିଏ ବି ଓ୍ଵିକେଟ୍ ହାସଲ ନ କରିବା ପାରିବା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।  ଶୁଭମ ରୋହିଲା ଓ ସୁରଜ ବଶିଷ୍ଠ ଓଡ଼ିଶା ବୋଲରଙ୍କୁ ଧୁଲେଇ କରି ପ୍ରବଳ ପ୍ରହାର କରିଥିଲେ। ଦୁଇ ବ୍ୟାଟର ଅବିଭାଜିତ ଓପନିଂ ଓ୍ଵିକେଟ୍‌ରେ ୩୭୬ ରନ ଯୋଡ଼ି ଦଳକୁ ୧୦ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ଶୁଭମ ରୋହିଲା ଦମଦାର ବ୍ୟାଟିଂ କରି ୨୭୦ ବଲରୁ ୩୦ ଚୌକା ଜରିଆରେ ୨୦୯ ରନର ଦ୍ଵିଶତକୀୟ ଅପରାଜିତ ଇନିଂସ ଖେଳିଛନ୍ତି। ସୁରଜ ବଶିଷ୍ଠ ୨୪୬ ବଲ୍‌ରୁ ୧୫ ଚୌକା ଓ ୧ ଛକା ଜରିଆରେ ୧୫୪ ରନର ଶତକୀୟ ଇନିଂସ ଖେଳିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.