ନିର୍ଣ୍ଣାୟକ ଟି-୨୦ରେ ରେକର୍ଡ ବର୍ଷା; ସଞ୍ଜୁ-ତିଲକ୍‌ଙ୍କ ବ୍ୟାଟିଂ ବିସ୍ଫୋରଣ, ୩-୧ରେ ସିରିଜ୍ କବଜା

Published By : Prameya-News7 Bureau | November 16, 2024 IST

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ଓ ଭାରତ ନିର୍ଣ୍ଣାୟକ ମ୍ୟାଚରେ ରେକର୍ଡ । ଜୋହାନ୍ସବର୍ଗରେ   ଘରୋଇ ଦଳକୁ ମାତ୍ ଦେଇ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ । ଚତୁର୍ଥ ଟି-୨୦ ମୁକାବିଲାରେ ୧୩୫ ରନ୍‌ରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ୩-୧ରେ ଶୃଙ୍ଖଳା ବିଜୟୀ ହୋଇଛି ଭାରତ । ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ଫ୍ଲେୟାର ଅଫ୍ ଦି ସିରିଜ୍ ତିଲକ୍ ବର୍ମା ହୋଇଛନ୍ତି ।  

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଏକ ୱିକେଟ୍ ହରାଇ ୨୮୩ ରନ୍‌ ସଂଗ୍ରହ କରିଥିଲା । ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା ଦଳ । ମାତ୍ର ପ୍ରାରମ୍ଭରୁ ବ୍ୟାଟର ମାନେ ଚାପଗ୍ରସ୍ତ ହୋଇ ଖେଳିଥିଲେ । ପ୍ରଥମ ଓଭରରେ ଭାରତର ସଫଳ ବୋଲର ଅର୍ଶଦୀପ ସିଂହ ରିଜା ହେଣ୍ଡ୍ରିକଙ୍କ ଓ୍ବିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ପରେ ଦ୍ବିତୀୟ ଓଭରରେ ହାର୍ଦ୍ଦିକ୍ ପାଣ୍ଡ୍ୟା ରିଅନ୍ ରିକେଲଟନଙ୍କୁ ଆଉଟ୍ କରିଥିଲେ । ତୃତୀୟ ଓଭରରେ ପୁଣ ଥରେ ଅର୍ଶଦୀପ୍ ସିଂହ ଚମତ୍କାର ବୋଲିଂ କରିଥିଲେ । ସେ ବ୍ୟାକ୍ ଟୁ ବ୍ୟାକ୍  ଅଧିନାୟକ ଆଡେନ୍ ମାକ୍ରରମ୍ ଏବଂ ହେନେରିଚ୍ କ୍ଲାସେନଙ୍କୁ ଆଉଟ୍ କରିଥିଲେ । ଫଳରେ ଘରୋଅ ଦଳ ଧରାଶାୟୀ ହୋଇଯାଇଥିଲା । ମାତ୍ର ୧୮.୨ ଓଭରରେ ୧୪୮ ରନ କରି ଅଲଆଉଟ୍ ହୋଇଥିଲା ଦଳ । ଫଳରେ ନିର୍ଣ୍ଣାୟକ ଟି-୨୦ରେ ଟିମ୍ ଇଣ୍ଡିଆ ବିଶାଳ ବିଜୟ ସହ ଶୃଙ୍ଖଳା କବଜା କରିଛି । 

ଚତୁର୍ଥ ଟି-୨୦ରେ ରେକର୍ଡ ବର୍ଷା ହୋଇଛି । ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସରେ ଭାଙ୍ଗିଲା ରେକର୍ଡ ସ୍ଥାପନ ହେଲା ନୂଆ ରେକର୍ଡ । ଦ୍ୱିତୀୟ ସର୍ବାଧିକ ରନ୍‌ ଠାରୁ ଆରମ୍ଭ କରି ସର୍ବବୃହତ୍‌  ଭାଗିଦାରୀ ଭଳି ଅନେକ ରେକର୍ଡ ତାଲିକାରେ ଲିପିବଦ୍ଧ ହୋଇଛି । ସଞ୍ଜୁ  ସାମସନ ଓ ତିଳକ ବର୍ମା ଶତକୀୟ ଇନିଂସ ଖେଳି ଦ୍ୱିତୀୟ ୱିକେଟ୍‌ରେ ୨୧୦ ରନ୍‌ର ବିଶାଳ ଭାଗିଦାରୀ ଗଠନ କରିଥିଲେ । ଭାରତ ପକ୍ଷରୁ ଏହା ସର୍ବବୃହତ୍‌ ଭାଗିଦରୀ  ରେକର୍ଡ । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମା ଓ ରିଙ୍କୁ  ସିଂହଙ୍କ ନାମରେ ରହିଥିଲା । ଗତ ଜାନୁଆରୀ ୧୭ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉଭୟ  ପଞ୍ଚମ ୱିକେଟ୍‌ରେ ୧୯୦ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ୨ଟି ଲେଖାଏଁ ଶତକ ଅର୍ଜନ କରିବାରେ ସଫଳ ହୋଇଛନ୍ତି ।  ସାମସନ ଡର୍ବାନରେ ଦମଦାର ପାଳି ଖେଳି ସେଞ୍ଚୁରୀ ଅକ୍ଜନ କରିଥିଲେ । ସେହିପରି ତିଳକ୍ ବର୍ମା ସେଞ୍ଚୁରୀୟନ୍‌ରେ ମୁକାବିଲାରେ ଶତକୀୟ ଇନିଂସ ଖେଳିଥିଲେ । ସେ ମଧ୍ୟ ସାମସନଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ରେ ୨ଟି ଶତକ ଅର୍ଜନ କରିଛନ୍ତି ।  

ଗୋଟିଏ ସିରିଜ୍ ଟିମ୍ ଇଣ୍ଡିଆର ଦୁଇ ପ୍ଲେୟାର ଦୁଇଟି ଲେଖାଏଁ ସେଞ୍ଚୁରୀ ମାରିବାରେ ସଫଳ ହୋଇଛନ୍ତି । ଏହି ଶତକୀୟ ଇନିଂସ ସହିତ ସଞ୍ଜୁଙ୍କ ଶତକ ସଂଖ୍ୟା ୩ ହୋଇଥିବା ବେଳେ ତିଳକଙ୍କର ୨ରେ ପହଞ୍ଚି ଯାଇଛି । ଟି-ଟ୍ୱେଣ୍ଟି ଇତିହାସରେ ଭାରତ ପକ୍ଷରୁ ସର୍ବାଧିକ ୨୩ଟି ଶତକ ଅର୍ଜନ ହୋଇସାରିଛି । ୧୨ଟି ଶତକ ସହ ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୧୧ ଶତକ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି ।  ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟରେ ରୋହିତ ଶର୍ମା ସର୍ବାଧିକ  ୫ଟି ଶତକ ଅର୍ଜନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ୪ଟି ସେଞ୍ଚୁରୀ ରହିଛି । ୩ଟି ଶତକ ସହ ସଞ୍ଜୁ ସାମସନ୍ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହି ମ୍ୟାଚ୍‌ରେ ଭାରତର ୩ ବ୍ୟାଟର ମୋଟ୍‌ ୨୩ଟି ଛକା ମାରିଥିଲେ । ତିଳକ ୧୦ଟି, ସମାସନ ୯ଟି ଓ ଅଭିଷେକ ଶର୍ମା ୪ଟି ଛକା ମାରିଥିଲେ । ଗୋଟିଏ ମ୍ୟାଚରେ ଭାରତ ପକ୍ଷରୁ ସର୍ବାଧିକ ୨୨ଟି ଛକାର ରେକର୍ଡ ଭାଙ୍ଗିଛି । ସାମସନ ବିଶ୍ୱର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ   ୩ଟି ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିବାରେ ସଫଳ ହୋଇଛନ୍ତି । ସେ ଗତ ଅକ୍ଟୋବର ୧୨ରେ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟିରେ ଶତକୀୟ ପାଳି ଖେଳିଥିଲେ ।  ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟରେ ଏହା ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋର ରହିଥିଲା । ଗତ ବାଂଲାଦେଶ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଭାରତ ୬ୱିକେଟ୍‌ ବିନିମୟରେ ୨୯୭ ରନ୍‌ ସଂଗ୍ରହ କରିଥିଲା । ସଞ୍ଜୁ ଉକ୍ତ ମ୍ୟାଚ୍‌ରେ  କ୍ୟାରିୟର୍‌ର ପ୍ରଥମ ଶତକ ଅର୍ଜନ କରିଥିଲେ ।  ଆଇସିସିର ସ୍ଥାୟୀ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପ୍ରଥମ  ଦଳ ଭାବେ ଭାରତର ୨ଜଣ ବ୍ୟାଟର ଏକ ସଙ୍ଗେ ଶତକ  ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ଭାରତ ପ୍ରଥମ ଦଳ ଭାବେ ଗୋଟିଏ ସିରିଜରେ ୪ଟି ଶତକ ଅର୍ଜନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.