ବକ୍ସିଂ ଡେ' ଟେଷ୍ଟରେ ଇତିହାସ ରଚିଲେ ବୁମରା: ଦ୍ରୁତତମ ୨୦୦ ଓ୍ବିକେଟ୍ କ୍ଲବରେ ସାମିଲ୍

Published By : Prameya-News7 Bureau | December 29, 2024 IST

ନୂଆଦିଲ୍ଲୀ: ବକ୍ସିଂ ଡେ’ର ଚତୁର୍ଥ ଦିନ ମ୍ୟାଚ୍ ଜାରି ରହିଛି । ମେଲବର୍ଣ୍ଣରେ ଘରୋଇ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଉଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଇନିଂସରେ ଯଶପ୍ରୀତ୍ ବୁମରା ରେକର୍ଡ ବ୍ରେକିଂ ପ୍ରଦର୍ଶନ । ବର୍ତ୍ତମାନ ସୁଦ୍ଧା ୩୨ରନ ଦେଇ ୪ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ବୁମରା । ଏହାକୁ ମିଶାଇ ଯଶପ୍ରୀତ୍ ଟେଷ୍ଟ କ୍ରିକେଟରେ ୨୦୦ ଓ୍ବିକେଟ୍ କ୍ଲବରେ ନିଜ ନାଁକୁ ଯୋଡ଼ିଛନ୍ତି । ବଲ୍ ହିସାବରେ ବୁମରା ଦ୍ରୁତତମ ୨୦୦ ଓ୍ବିକେଟ୍ ଅକ୍ତିଆର କରି ରେକର୍ଡ କରିଛନ୍ତି । ମ୍ୟାଚ୍ ହିସାବରେ  ଦେଖିଲେ ଯଶପ୍ରୀତ ତୃତୀୟ ବୋଲର ହୋଇଛନ୍ତି । ୮୪୮୪ ବଲରେ ସେ ୨୦୦ ଓ୍ବିକେଟ୍ ହାସଲ କରିଛନ୍ତି । ପୂର୍ବରୁ ପାକିସ୍ତାନର ଓ୍ବାକର ୟୁନିସ୍, ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ଏବଂ କାଗିସୋ ରବାଡ଼ା ଏଭଳି ସଫଳତା ପାଇଛନ୍ତି ।     

ପାକିସ୍ତାନର ଷ୍ଟାର ବୋଲର ଓ୍ବାକାର ୟୁନିସ୍ ଏହି ରେକର୍ଡଡରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୭, ୭୨୫ ବଲ୍ ଫିଙ୍ଗି ୨୦୦ ଓ୍ବିକେଟ ହାସଲ କରିଛନ୍ତି । ତାଙ୍କ ପରେ ଦକ୍ଷିଣ ଆଫ୍ରିକର ପେସ୍ ବୋଲର ଡେଲ୍ ଷ୍ଟେନ୍ ୭,୮୪୮ଟି ବଲ୍ ଫିଙ୍ଗି ଦ୍ବିଶତକ ଓ୍ବିକେଟ୍ କ୍ଲବରେ ସାମିଲ୍ ହୋଇଛନ୍ତି । ସେହିପରି ୮,୧୫୩ ବଲ୍ ପକାଇ ୨୦୦ ଓ୍ବିକେଟ୍ ନେବାରେ ସଫଳତା ପାଇଛନ୍ତି । ଏବେ ଭାରତୀୟ ବୋଲର ଯଶପ୍ରୀତ୍ ବୁମରା ଏହି କ୍ଲବରେ ସାମିଲ୍ ହୋଇଛନ୍ତି । ଭାରତୀୟ ଭାବେ ଦ୍ରୁତଗତ ୨୦୦ ଓ୍ବିକେଟ୍ ହାସଲ କରିଥିବା ବୋଲର ମଧ୍ୟରେ ଯଶପ୍ରୀତ ବୁମରା ସଂଯୁକ୍ତ ଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୪୪ଟି ମ୍ୟାଚ୍ ଖେଳି ରବୀନ୍ଦ୍ର ଜାଡେଜା ମଧ୍ୟ ୨୦୦ ଓ୍ବିକେଟ୍ ନେଇଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ରବୀଚନ୍ଦ୍ରନ ଅଶ୍ବିନ । ସେ ମାତ୍ର ୩୮ଟି ମ୍ୟାଚ୍ ଖେଳି ଏଭଳି ସଫଳତା ହାସଲ କରିଛନ୍ତି । ହାରାହାରି ଦେଖିଲେ ବୁମରା 44ଟି ମ୍ୟାଚରେ ୧୯.୩୮ ହାରରେ ୨୦୩ଟି ଓ୍ବିକେଟ୍ ହାସଲ କରିଛନ୍ତି ।...  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.