ଭୁବନେଶ୍ଵର: ୨୦୨୪ରେ ଓଡ଼ିଶା ରାଜନୀତିର ବଡ଼ ଘଟଣା ଥିଲା ୨୪ ବର୍ଷର ସରକାର କଡ଼ ଲେଉଟାଇଥିଲା ଏବଂ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି ବିଜେପି। ମୋହନ ମାଝୀଙ୍କ ସରକାର ଆସିବା ପର ଠାରୁ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଜାରି ରଖିଛନ୍ତି ପ୍ରୟାସ। କିଛି ଆଶା ପୂରଣ କରିଛନ୍ତି ଆଉ ସମୟ ସହିତ ୨୫କୁ କିଛି ଗଡ଼ିଛି। ଆସନ୍ତୁ ନଜର ପକାଇବା ରାଜ୍ୟ ସରକାରଙ୍କ ପାଇଁ ୨୦୨୫ କି କି ଆଶା ଓ ସମ୍ଭାବନା ନେଇ ଆସୁଛି। ଆଉ ଏଥିପାଇଁ ରାଜ୍ୟ ସରକାର କଣ ରହିଛି ପ୍ଲାନ ।
ନୂଆ ସରକାରଙ୍କ ପାଇଁ କେମିତି ରହିବ ବର୍ଷ ୨୦୨୫ । ଲୋକଙ୍କ ଆଶା ଆକାଂକ୍ଷା ପୂରଣରେ କେତେ ସଫଳ ହେବେ ବିଜେପି ସରକାର । ନୂଆ ସରକାରଙ୍କୁ ୬ ମାସ ପୁରିଯାଇଛି । ୨୦୨୫ରେ ଲୋକେ ଅନେକ ଆଶା ଓ ଭରସା ବି ରଖିଛନ୍ତି ବିଜେପି ସରକାର ଠାରୁ । ଯେଉଁ ନିର୍ବାଚନ ପ୍ରତିଶୃତି ଦେଇ ବିଜେପି ସରକାରକୁ ଆସିଲା ସେ ଦିଗରେ କିଛି ବାଟ ଆଗକୁ ବଢିଛି ଆହୁରି ଅନେକ ବାକି ଅଛି। ସୁଭଦ୍ରା ଯୋଜନାରେ ୮୦ ଲକ୍ଷରୁ ଅଧିକ ମହିଳା ଟଙ୍କା ପାଇଛନ୍ତି । ୨୦୨୫ ଆରମ୍ଭରୁ ଆଉ ୨୦ ଲକ୍ଷ ମହିଳା ଏହି ସୁବିଧା ପାଇବେ । ମାର୍ଚ୍ଚ ଓ ଅଗଷ୍ଟରେ କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା ।
Also read: ନୂଆ ବର୍ଷରେ ନୂଆ ଆହ୍ଵାନ, ୨୦୨୫ରେ ବିଜେପି-ବିଜେଡି-କଂଗ୍ରେସର ଲକ୍ଷ୍ୟ କ'ଣ ?
ସେହିଭଳି ଧାନର ସହାୟକ ମୂଲ୍ୟ ସହ ବୋନସ ୮୦୦ ଟଙ୍କା ଦେଇ ସରକାର ୩୧୦୦ ଟଙ୍କାରେ ଧାନ କିଣିବା ଆରମ୍ଭ କରିଛନ୍ତି । ଯେଉଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନି ନୂଆ ବର୍ଷରେ ଆସିବ। ସେହିଭଳି ସରକାରକୁ ଆସିବା ପରେ ଶ୍ରୀ ମନ୍ଦିରର ୪ ଦ୍ବାର ଖୋଲିବା, ରତ୍ନଭଣ୍ଡାର ଗଣତି ମଣତି ପ୍ରତିଶୃତି ରକ୍ଷା କରି ସରକାର ବାଃ ବାଃ ବି ସାଉଣ୍ଟିଛନ୍ତି । ତେଣୁ ୨୦୨୫ରେ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବାର ବର୍ଷ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସାଧାରଣ ଲୋକଙ୍କ ମନରେ ଥିବା ଭାବନା ପୂରା ହେଲା ଭଳି ସମ୍ଭାବନା ତିଆରି ହୋଇଛି। ୨୦୨୫ରେ ସେଇ ସମ୍ଭାବନାର ପୂର୍ତ୍ତି ବର୍ଷ ହେବ ।
୨୦୨୪ରେ ଓଡିଶା ରାଜନୀତି ବଡ କଡ ଲେଉଟାଇଥିଲା । ଓଡିଆ ଅସ୍ମିତା ସମସ୍ତଙ୍କ ଉପରେ ଭାରି ପଡିଲା । ୨୦୨୫ରେ ଦରଦାମ ବୃଦ୍ଧି ରୋକିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ। ଏହା ସହ କିଛି ମନ୍ତ୍ରୀଙ୍କ ମୋଟର ମାଉଥ୍ ପାଇଁ ବାରମ୍ବାର ବିବାଦ ସୃଷ୍ଟି ହୋଇଛି। ଯେଭଳି ସେମିତି ନହୁଏ ସେଥିପ୍ରତି ଧ୍ୟାନ ଦେବେ ମୋହନ ସରକାର। ୨୦୨୫ ଆରମ୍ଭରୁ ଅଦିନିଆ ବର୍ଷା ବି ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଛି । ଯେଭଳି ଭାବେ କୃଷକ ଆତ୍ମହତ୍ୟା ସାମ୍ନାକୁ ଆସୁଛି ତାକୁ ନଜରରେ ରଖି ସରକାର ଚାଷୀଙ୍କୁ କ୍ଷତିପୂରଣ ଦେଇ ସେମାନଙ୍କ ଭରସା ଜିତିବା ଉପରେ ଧ୍ୟାନ ଦେବେ। ମଦମୃତ୍ୟୁ ଓ ଆମ୍ବଟାକୁଆ ଜନିତ ମୃତ୍ୟୁ ଭଳି ଘଟଣା ବହୁ ଆଗରୁ ଓଡିଶାଙ୍କୁ ନିନ୍ଦିତ କରିଛି । ନୂଆ ସରକାର ବି ଏଥିରେ ଝୁଣ଼୍ଟିଛନ୍ତି । ତେଣୁ ସେସବୁ ପ୍ରସଙ୍ଗ ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ସରକାର ଧ୍ୟାନ ଦେବେ।
Also read: ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ, ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ୨୦୨୪ରେ ଅନେକ ପ୍ରତିଶୃତି ପାଳନ କରିଥିଲେ । ୨୦୨୫ରେ ବାକି ପ୍ରତିଶୃତି ପାଳନ ଦିଗରେ ଧ୍ୟାନ ଦେବେ । ପ୍ରଥମ ମାସରେ ରାଜ୍ୟ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବେ। କିଛି ଦିନ ପରେ ଉତ୍କର୍ଷ ଓଡ଼ିଶାର କନକ୍ଲେଭ ଆୟୋଜନ କରିବେ । ତେଣୁ ଅନେକ ସମ୍ଭାବନା ରହିଛି ଆଗରେ। ରତ୍ନ ଭଣ୍ଡାରର ଗଣତି ହେବ। ରତ୍ନ ଭଣ୍ଡାରର ମରାମତି ସରିବ।
ଇଂରାଜୀ ନବବର୍ଷ ୨୦୨୫ ଆରମ୍ଭରୁ ସରକାରଙ୍କ ବିଭିନ୍ନ କାମ ଓ ନିଷ୍ପତ୍ତି ଉପରେ ରାଜ୍ୟବାସୀଙ୍କ ନଜର ତ ରହିବ । କିନ୍ତୁ କେତେ ନିଷ୍ଠାର ସହ ସରକାର ଆଗକୁ ବଢୁଛନ୍ତି, ଏବଂ ଲୋକଙ୍କ ଆଶା ଆଂକାକ୍ଷା ପୂରଣ ଦିଗରେ ସଫଳ ହେଉଛନ୍ତି ତା ଉପରେ ନିର୍ଭର କରିବ ୨୫ର ସ୍ବାକ୍ଷର। ।