ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ୪୫୦୦ କୋଟି ଟଙ୍କା ଭେଟି ଦେଇଛନ୍ତି । ଏହି ଅବସରରେ ସେ କେନ୍ଦ୍ରଶାସିତ ପ୍ରଦେଶରେ କ୍ଷମତାରେ ଥିବା ଆମ୍ ଆଦାମୀ ପାର୍ଟି ଉପରେ ଜୋରଦାର ହମଲା କରିଛନ୍ତି । ପିଏମ୍ ମୋଦୀ ଆମ୍ ଆଦମୀ ପାର୍ଟିକୁ 'ଆପ୍-ଦା' (ସଂକଟ) ବୋଲି କହିଛନ୍ତି । ଏହାସହ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ କଟ୍ଟର ବେଇମାନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ମଦ ଦୋକାନରୁ ଆରମ୍ଭ କରି ବରିଷ୍ଠଙ୍କ ଚିକିତ୍ସା ଯାଏ ସବୁଥିରେ ଘୋଟାଲା କରିଛନ୍ତି । ଏପରିକି ପିଲାଙ୍କ ଶିକ୍ଷା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଯେଉଁ ଟଙ୍କା ମିଳିଛି, ସେଥିରୁ ଅଧା ବି ଶିକ୍ଷାରେ ଖର୍ଚ୍ଚ କରିନାହାନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୧୦ ବର୍ଷ ହେଲା ଦିଲ୍ଲୀ, ଏକ ବଡ଼ 'ଆପ୍-ଦା'ରେ ଘେରି ହୋଇ ରହିଛି । ଆନ୍ନା ହଜାରଙ୍କୁ ଆଗରେ ରଖି କିଛି କଟ୍ଟର ବେଇମାନ ଲୋକ ଦିଲ୍ଲୀକୁ 'ଆପ-ଦା'କୁ ଠେଲି ଦେଇଛନ୍ତି । ଦିଲ୍ଲୀରେ ମଦ ଦୁର୍ନୀତି, ପିଲାଙ୍କ ସ୍କୁଲରେ ଦୁର୍ନୀତି, ଗରିବଙ୍କ ଚିକିତ୍ସାରେ ଦୁର୍ନୀତି, ପ୍ରଦୂଷଣ ସହ ଲଢିବା ନାଁରେ ଦୁର୍ନୀତି, ନିଯୁକ୍ତିରେ ଦୁର୍ନୀତି କରିଛି । ଏମାନେ ଦିଲ୍ଲୀର ବିକାଶ କଥା କହୁଥିଲେ, କିନ୍ତୁ ଏମାନେ 'ଆପ୍-ଦା' ହୋଇ ଦିଲ୍ଲୀକୁ କଷ୍ଟ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଏମାନେ ଖୋଲାଖାଲି ଦୁର୍ନୀତି କରୁଛନ୍ତି ଏବଂ ପରେ ଏହାର ମହିମାମଣ୍ଡନ ବି କରୁଛନ୍ତି । ଚୋରି ଉପରେ ସିନାଜୋରି । ଦିଲ୍ଲୀବାସୀ ଏବେ ଏହି ଆପ୍-ଦା ବିରୋଧରେ ଲଢେଇ କରିବା ଆରମ୍ଭ କରିଛନ୍ତି । ଦିଲ୍ଲୀର ଭୋଟର, ଦିଲ୍ଲୀକୁ ଆପ୍-ଦା ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି ।'
ଏହି ଅବସରରେ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଦେଶର ଭଲ ଭାବରା ଜାଣିଛି ଯେ ମୋଦୀ କେବେ ବି ନିଜ ପାଇଁ ଘର କରି ନାହିଁ, କିନ୍ତୁ ୧୦ ବର୍ଷରେ ୪ କୋଟିରୁ ଅଧିକ ଲୋକଙ୍କ ସ୍ୱପ୍ନ ପୂରଣ କରିଛି । ମୁଁ ବି ଅନେକ ମହଲ କରିପାରିଥାନ୍ତି, କିନ୍ତୁ ମୋ ଦେଶବାସୀଙ୍କୁ ପକ୍କା ଘର ମିଳୁ ଏହା ହିଁ ମୋର ସ୍ୱପ୍ନ ।'