ସିଡନୀ ମୈଦାନରେ କେବଳ ଗୋଟିଏ ଟେଷ୍ଟ ଜିତିଛି ଟିମ୍ ଇଣ୍ଡିଆ, ୪୬ ବର୍ଷ ପୂର୍ବେ କରିଥିଲେ ରେକର୍ଡ

Published By : Prameya-News7 Bureau | December 31, 2024 IST

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କାର ଟ୍ରଫିର ଶେଷ ମ୍ୟାଚ୍ ସିଡନୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଟିମ୍ ୧-୨ରେ ସିରିଜରେ ପଛୁଆ ରହିଛି । ସିରିଜ୍ ବରାବାର କରିବାକୁ ହେଲେ ଭାରତୀୟ ଟିମକୁ ଏହି ମ୍ୟାଚ୍ ଯେକୌଣସି ସ୍ଥିତିରେ ଜିତିବାର ଅଛି । ସିଡନୀରେ ବିଜୟ ଡବ୍ଲୁଟିସି ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆର ଆଶାକୁ ମଧ୍ୟ ଉଜ୍ଜୀବିତ କରି ରଖିବ ।

ସିଡନୀ କ୍ରିକେଟ୍ ଡ୍ରାଉଣ୍ଡରେ ଭାରତୀୟ ଟିମ୍ ଏବେ ସୁଦ୍ଧା ମୋଟ ୧୩ଟି ଟେଷ୍ଟ ମୁକାବିଲା ଖେଳିଛି । ଏଥିରୁ କେବଳ ଗୋଟିଏ ମୁକାବିଲା ଜିତିଥିବା ବେଳେ ୫ ମ୍ୟାଚ୍‌ରେ ପରାଜୟ ମିଳିଛି । ଭାରତ ଖେଳିଥିବା ଅନ୍ୟ ୭ଟି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ୨୦୧୯ ଏବଂ ୨୦୨୧ରେ ସିଡନୀରେ ଭାରତ ଖେଳିଥିବା ଦୁଇ ଟେଷ୍ଟ ମ୍ୟାଚ୍ ଡ୍ର’ ରହିଥିଲା ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ଟିମ୍ ଯେଉଁ ଏକମାତ୍ର ଟେଷ୍ଟ ମ୍ୟାଚ୍ ଜିତିଛି, ତାହା ୧୯୭୮ ମସିହାରେ ବିସନ ସିଂହ ବେଦୀଙ୍କ ନେତୃତ୍ୱରେ ଜିତିଥିଲା । ସେତେବେଳେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୨ ରନ୍‌ରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ସ୍ପିନର (ବିସନ ସିଂହ ବେଦୀ, ଭାଗବତ ଚନ୍ଦ୍ରଶେଖର ଏବଂ ଇରାପଲ୍ଲୀ ପ୍ରସନ୍ନା) ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ତିନି ସ୍ପିନର୍ସ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟର ପିଚ୍‌ରେ ଛିଡ଼ା ହୋଇପାରିଲେ ନାହିଁ । ତିନି ସ୍ପିନର ମୋଟ ୧୬ ୱିକେଟ୍ ନେଇଥିଲେ । ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରି ମୋଟ ୧୩୧ ରନ୍ କରିଥିଲା । ଏହାପରେ ଭାରତୀୟ ଟିମ୍ ୩୯୬ ରନ୍‌ର ବିଶାଳ ସ୍କୋର ଠିଆ କରିଥିଲେ । ଭାରତ ପାଇଁ ଗୁଣ୍ଡପ୍ପା ବିଶ୍ୱନାଥ (୭୯) ଏବଂ କର୍ସନ ଧାରଭୀ (୬୪) । ତାଙ୍କ ସହ ସୈୟଦ କିରମାନୀ, ଚେତନ ଚୌହାନ ଏବଂ ସୁନୀଲ ଗାଭାସ୍କର ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ଅନ୍ୟପଟେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ କେବଳ ୨୬୩ ରନ୍ କରିବାରେ ସଫଳ ହୋଇଥିଲା ।

ସିଡନୀରେ ଟିମ୍ ଇଣ୍ଡିଆ ବିଜୟୀ ହେଲେ ସିରିଜକୁ ବରାବର କରିବା ସହ ୱାର୍ଲଡ ଟେଷ୍ଟ ଚାମ୍ପିଅନଶିପରେ ଫାଇନାଲରେ ଏଣ୍ଟ୍ରି କରିବାର ରାସ୍ତା ଖୋଲା ରଖିବ । ଏହାପରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ଟେଷ୍ଟ ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.