ଟେଷ୍ଟ ସିରିଜ୍ ମଧ୍ୟରେ ବଡ଼ ଖବର, ସନ୍ନ୍ୟାସ ଘୋଷଣା କଲେ ଏହି ଭାରତୀୟ କ୍ରିକେଟର

Published By : Prameya-News7 Bureau | January 03, 2025 IST

ନୂଆଦିଲ୍ଲୀ: ସିଡନୀରେ ଜାରି ରହିଛି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ର ୫ମ ଏବଂ ଫାଇନାଲ ମୁକାବିଲା। ଆଉ ଏହି ହାଇ ପ୍ରୋଫାଇଲ ମ୍ୟାଚ ମଧ୍ୟରେ ଭାରତର ଦମଦାର ବ୍ୟାଟର ଶେଲଡନ ଜ୍ୟାକସନ ଘୋଷଣା କରିଛନ୍ତି ନିଜର ଅବସର। ଏଣିକି ସେ ଆଉ ହ୍ବାଇଟ ବଲ୍‌ ତଥା ଟି୨୦ କିମ୍ବା ଓ୍ବାନଡେ ଫର୍ମାଟରେ ମ୍ୟାଚ ଖେଳିବେନି। ଘରୋଇ ସୌରାଷ୍ଟ୍ର ଦଳ ପାଇଁ ଖେଳୁଥିବା ଏହି ୩୮ ବର୍ଷୀୟ ଷ୍ଟାର୍ ଓ୍ବିକେଟ କିପର ତଥା ବ୍ୟାଟର ଅନେକ ମ୍ୟାଚରେ ନିଜର କମାଲ ଦେଖାଇଥିବାବେଳେ, ହଠାତ୍ ତାଙ୍କର ଅବସର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ତେବେ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେବି ଜ୍ୟାକସନ ଟେଷ୍ଟ୍ କ୍ରିକେଟ ଖେଳିବା ଜାରି ରଖିବେ। ଆଗକୁ ରଣଜୀ ଟ୍ରଫି ମଧ୍ୟ ସେ ଖେଳିବେ। ଜ୍ୟାକସନ ନିଜ କ୍ୟାରିୟରରେ ଲିଷ୍ଟ ଏରେ ୮୬ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରୁ ସେ ୨୭୯୨ ରନ୍ କରିଛନ୍ତି। ଶେଲଡନ ଏହି ଫର୍ମାଟରେ ୯ ଶତକ ଏବଂ ୧୪ ଅର୍ଦ୍ଧଶତକ ଲଗାଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ହେଉଛି ଅପରାଜିତ ୧୫୦ ରନ୍‌। 

ଲିଷ୍ଟ ଏ ବ୍ୟତୀତ ଜ୍ୟାକସନ ଟି୨୦ ଫର୍ମାଟରେ ମଧ୍ୟ ଖୁବ୍‌ ଦକ୍ଷତା ଦେଖାଇଛନ୍ତି। ଏହି ଫର୍ମାଟରେ ସେ ୮୪ ମ୍ୟାଚ ଖେଳି ୧୮୧୨ ରନ୍ ସଂଗ୍ରହ କରିଛନ୍ତି। ଏଥରୁ ଇଣ୍ଡିଆନ ପ୍ରମିୟର ଲିଗରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ସେ ୯ଟି ମ୍ୟାଚ ଖେଳିଛନ୍ତି। ଟି୨୦ ଫର୍ମାଟରେ ସେ ଗୋଟିଏ ଶତକ ଏବଂ ୧୧ ଅର୍ଦ୍ଧଶତକ କରିଛନ୍ତି। ଶେଲଡନ ଟି-୨୦ରେ ଅପରାଜିତ ୧୦୬ ରନ୍ ସର୍ବଶ୍ରେଷ୍ଠ ସ୍କୋର କରିଛନ୍ତି। ଫାର୍ଷ୍ଟ କ୍ଲାସରେ ୧୦୩ ମ୍ୟାଚ ଖେଳି ୨୧ ଶତକ ଏବଂ ୩୯ ଅର୍ଦ୍ଧଶତକ ସହ ୭୧୮୭ ରନ୍‌ ସଂଗ୍ରହ କରିଛନ୍ତି। 

କେବଳ ଆଇପିଏଲ କ୍ୟାରିୟର କଥା କହିଲେ ଶେଲଡନ ଜ୍ୟାକସନ ଆଇପିଏଲରେ ଆରସିବି ଏବଂ କେକେଆର ଅଂଶ ରହିସାରିଛନ୍ତି। ୨୦୧୭ରେ ଆଇପିଏଲ ଡେବ୍ୟୁ କରି, ଏହି ସିଜିନରେ ୪ ମ୍ୟାଚ ଖେଳିଥିଲେ। ଏହା ପରେ ୨୦୨୨ରେ ଖେଳିବାକୁ ସୁଯୋଗ ପାଇଥିଲେ। ଏହି ସିଜିନରେ କେବଳ ୫ ମ୍ୟାଚହିଁ ଖେଳିଛନ୍ତି। ଏହିଭଳି ଭାବରେ ଜ୍ୟାକସନ ସମୁଦାୟ ୯ ଆଇପିଏଲ ମ୍ୟାଚ ଖେଳିଛନ୍ତି। ଏଥିରେ ୬୧ ରନ୍ ସମୁଦାୟ ସ୍କୋର ରହିଛି। ଆଉ ଏହି ସ୍କୋର କେବଳ କେକେଆର ସହ ଖେଳି କରିଛନ୍ତି। କାରଣ ଆରସିବି ସହ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା।

ଜ୍ୟାକସନ ଶେଷ ଥର ଲିମିଟେଡ ଓଭର ମ୍ୟାଚ ବିଜୟ ହଜାରେ ଟ୍ରଫିରେ ଭାଗ ନେଇଥିଲେ, ଏଥିରେ ସେ ସୌରାଷ୍ଟ୍ର ପକ୍ଷରୁ ପଞ୍ଜାବ ବିରୋଧରେ ଖେଳି ୧୦ ବଲ୍‌ରେ ୧୩ ରନ୍ ସଂଗ୍ରହ କରିଥିଲେ। ସେହିଭଳି ମହାରାଷ୍ଟ୍ର ବିପକ୍ଷରେ ୨୦୨୨ ବିଜୟ ହଜାରେ ଟ୍ରଫିର ଫାଇନାଲରେ ଜ୍ୟାକସନ ୧୩୬ ବଲ୍‌ରେ ଅପରାଜିତ ୧୩୩ ରନ୍‌ ସଂଗ୍ରହ କରିଥିଲେ, ଯାହା ସୌରାଷ୍ଟ୍ରକୁ ବିଜୟୀ କରିଥିଲା। ଏହି ମ୍ୟାଚ ତାଙ୍କ କ୍ୟାରିୟରର ଏକ ଉତ୍କୃଷ୍ଟ ପ୍ରଦର୍ଶନ ଥିଲା। 

ଭାରତୀୟ ଘରୋଇ କ୍ରିକେଟରେ ସୌରାଷ୍ଟ୍ର ପାଇଁ ଖେଳିଥିବା ଶେଲଡନ ଜ୍ୟାକସନ ଟେଷ୍ଟ ଫର୍ମାଟରେ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି। ନିକଟରେ ସେ ତାଙ୍କର ୧୦୦ ତମ ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳି ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.