ଏମାନେ ବି ମିଡ୍-ସିରିଜ୍ରୁ ହୋଇଛନ୍ତି ବିଦା, ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ କିଏ ?

Published By : Prameya-News7 Bureau | January 05, 2025 IST

ନୂଆଦିଲ୍ଲୀ ୦୫।୦୧: ବର୍ଡର-ଗାଭାସ୍କର ସିରିଜ୍ । ଏବେ ଫୁଲ୍ ଅନ୍ ଡ୍ରାମା । କେତେବେଳେ ପିଚ୍ ମଝିରେ ଦୁଇ ଖେଳାଳିଙ୍କ ବାକ୍ ଯୁଦ୍ଧ ଚାଲୁଛି… ତ ଆଉ କେତେବେଳେ ଅଫ୍ ଦ ଫିଲ୍ଡ ବି ହେଉଛି ଟାର୍ଗେଟ । ତେବେ ଏସବୁ କଥାକୁ ଟିକିଏ ପଛରେ ରଖିବା… ଆଜିକା ସମୟରେ ଯଦି ଏହି ସିରିଜର କେଉଁ କଥାକୁ ନେଇ ଅଧିକ ଚର୍ଚ୍ଚା ହେଉଛି.. ତାହାଲେ ସେଇଟା ହେଉଛି ରୋହିତ ଶର୍ମାଙ୍କ ଡ୍ରପ୍ । ଅଧିନାୟକ ଥାଇ ବି ତାଙ୍କୁ ମିଡ୍ ସିରିଜ୍ରୁ ଡ୍ରପ୍‌ କରାଯାଇଛି । କିନ୍ତୁ  ଏକଥା କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ମଧ୍ୟ ଅନେକ ଅଧିନାୟକ ମ୍ୟାଚ ମଝିରୁ ହୋଇଛନ୍ତି ବିଦା ।  ଆସନ୍ତୁ ଜାଣିବା... 

ଲିଷ୍ଟର ପ୍ରଥମରେ ଅଛନ୍ତି ପଲି ଉମରିଗର । ବର୍ତ୍ତମାନ ଯାହା ଟିମ୍‌ ଇଣ୍ଡିଆରେ ହେଉଛି ଏପରି କିଛି ୧୯୫୮ରେ ହୋଇଥିଲା । ସେତେବେଳେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ଥିଲେ ପଲି ଉମରିଗର । ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିଲା । ଠିକ୍‌ ଏହାର କିଛି ସମୟ ପୂର୍ବରୁ କ୍ୟାପଟେନ୍‌ସିପ୍‌ ଛାଡି ଦେଇଥିଲେ ପଲି ଉମରିଗର । ସେ ଏଥିପାଇଁ ଖପ୍ପା ହୋଇଥିଲେ କି ବିସିସିଆଇ ପ୍ରେସିଡେଣ୍ଟ ରତିଭାଇ ପଟେଲ ଗୁଜୁରାଟର ଜସୁ ପଟେଲଙ୍କୁ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ସାମିଲ କରିବାକୁ ବାଧ୍ୟ କରିଥିଲେ । 

ଏହାପରେ ଅଛନ୍ତି ମାଇକ୍ ଡେନିସ । ୧୯୭୪ରେ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଏଶେଜ୍‌ ସିରିଜ୍‌ ଖେଳୁଥିଲା । ସେତେବେଳେ କ୍ୟାପଟେନ୍‌ ଥିଲେ ମାଇକ୍ ଡେନିସ । ତାଙ୍କ ଅଧିନାୟିକତ୍ବରେ ପ୍ରଥମ ୨ଟି ମ୍ୟାଚ୍‌ ହାରିଥିଲା ଇଂଲଣ୍ଡ । ତୃତୀୟ ମ୍ୟାଚ୍‌ ହୋଇଯାଇଥିଲା ଡ୍ର । ଏହି କାରଣରୁ ସିରିଜର ଚତୁର୍ଥ ଟେଷ୍ଟରୁ ମାଇକ୍ ଡେନିସ୍ ନିଜକୁ ଡ୍ରପ୍‌ କରିଥିଲେ । ଏହାପରେ ଟୋନି ଗ୍ରେଗ୍‌ ସମ୍ଭାଳିଥିଲେ କମାଣ । କିନ୍ତୁ ଏହି ମ୍ୟାଚ୍‌ ବି ହାରି ଯାଇଥିଲା ଇଂଲଣ୍ଡ । ପଞ୍ଚମ ଟେଷ୍ଟରେ ଆଡିଲେଡ୍‌ରେ କମ୍‌ବ୍ୟାକ୍‌ କରିଥିଲେ ମାଇକ୍ ଡେନିସ । କିନ୍ତୁ ଖେଳାଳୀ ଭାବେ କରିଥିଲେ ରିଟର୍ଣ୍ଣ । ସେ ପ୍ରଥମ ପାଳିରେ ଲଗାଇଥିଲେ ଅର୍ଦ୍ଧଶତକ । ଏହି ମ୍ୟାଚ୍‌କୁ ଇଂଲଣ୍ଡ ଜିତିଥିଲା ସତ, କିନ୍ତୁ ପୂର୍ବରୁ ହିଁ ସିରିଜ୍‌ ହାରି ସାରିଥିଲା ।  

ଏବେ ଆସିବା ବ୍ରାଣ୍ଡନ୍‌ ମ୍ୟାକୁଲମ୍‌ଙ୍କ ପାଖକୁ । ୨୦୧୬ରେ ଅଷ୍ଟ୍ରେଲିଆ ଟିମ୍‌ ଟେଷ୍ଟ ସିରିଜ୍‌ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଥିଲା । ଏହି ସମୟରେ କ୍ୟାପଟେନ୍‌ ଥିଲେ ବ୍ରାଣ୍ଡନ୍‌ ମ୍ୟାକୁଲମ୍‌ । ପ୍ରଥମ ମ୍ୟାଚ ହାରିଥିଲା ନ୍ୟୁଜିଲ୍ୟାଣ୍ଡ । ସେତେବେଳେ ମ୍ୟାକଲୁମ୍‌ ଖରାପ ଫର୍ମରେ ରହିଥିଲେ । ସେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ହିଁ କହିଥିଲେ କି ଏହା ତାଙ୍କ ଶେଷ ମ୍ୟାଚ୍‌ ହେବ । ସେ ସେହି ମ୍ୟାଚ୍‌ରେ ୧୪୫ ରନ୍‌ କରିଥିଲେ ମଧ୍ୟ ଟିମ୍‌ ହାରିଯାଇଥିଲା ।  

ସେହିପରି ୨୦୧୪ରେ ଅନେକ କ୍ୟାପଟେନ୍‌ ସିରିଜ୍‌ ମଝିରୁ ହିଁ ହୋଇଥିଲେ ଆଉଟ୍‌ । ପ୍ରଥମେ ଜାଣିବା ଦିନେଶ ଚାଣ୍ଡିମଲ୍‌ଙ୍କ ବିଷୟରେ...୨୦୧୪ରେ ଟି-୨୦ ଓ୍ବାର୍ଲକପ୍‌ରେ ଦିନେଶ ଚାଣ୍ଡିମେଲ୍‌ କ୍ୟାପଟେନ୍‌ ହୋଇଥିଲେ । କିନ୍ତୁ ସେ ଏହି ଫର୍ମାଟରେ ଆଉଟ୍‌ ଅଫ୍‌ ଫର୍ମରେ ରହିଥିଲେ । ସ୍ଲୋ ଓଭର ରେଟ୍‌ କାରଣରୁ ଚାଣ୍ଡିମଲଙ୍କ ଉପରେ ବ୍ୟାନ୍‌ ମଧ୍ୟ ଲାଗିଥିଲା । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିପାରିନଥିଲେ । ଏହାପରେ କ୍ୟାପଟେନ ହୋଇଥିଲେ ଲାସିଥ ମାଲିଙ୍ଗା। ତାଙ୍କ କ୍ୟାପଟେନ୍‌ସିପ୍‌ରେ ଟିମ୍‌ ମୋଟ ୧୧୯ ରନ୍‌ ହିଁ କରିପାରିଥିଲା । କିନ୍ତୁ ବୋଲିଂ ଏତେ ଜବରଦସ୍ତ ରହିଥିଲା କି ନ୍ୟୁଜିଲ୍ୟାଣ୍ଡ ମାତ୍ର ୫୯ରନ୍‌ରେ ହୋଇଥିଲା ଅଲ୍‌ଆଉଟ୍‌ । ଆଉ ମ୍ୟାଚ୍‌ ହାତେଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା ଶ୍ରୀଲଙ୍କା ଟିମ୍‌ । ନିୟମ ଅନୁଯାୟୀ ମ୍ୟାଚ୍‌ରୁ ବ୍ୟାନ୍‌ ହଟିବା ପରେ ଚାଣ୍ଡିମଲ୍‌ଙ୍କୁ ହିଁ କ୍ୟାପଟେନସିପ୍ ମିଳିବା କଥା । କିନ୍ତୁ ଚାଣ୍ଡିମଲ୍‌ ସେମିଫାଇନାଲ୍‌ ପୂର୍ବରୁ ହିଁ ନିଜକୁ ଡ୍ରପ୍‌ କରିଦେଇଥିଲେ । ଏହାପରେ ମାଲିଙ୍ଗାଙ୍କ କ୍ୟାପଟେନସିପ୍‌ରେ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଜିତିଥିଲା ଶ୍ରୀଲଙ୍କା ଟିମ୍‌ । 

ଏବେ ଆସିବା ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ପାଖକୁ । ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତରେ ରହିଥିଲା ଟିମ୍‌ ଇଣ୍ଡିଆ । ୪ଟି ଟେଷ୍ଟ ଖେଳାଯିବାକୁ ଥିଲା । ସେତେବେଳେ ମହେନ୍ଦ୍ର ସିଂ ଧୋନୀ କ୍ୟାପଟେନ୍‌ ରହିଥିଲେ । ପ୍ରଥମ ଏବଂ ୨ୟ ମ୍ୟାଚ୍‌ ହାରିଥିଲା ଟିମ୍‌ ଇଣ୍ଡିଆ । ଆଉ ତୃତୀୟ ମ୍ୟାଚ୍‌ ଡ୍ର ହୋଇଥିଲା । କିନ୍ତୁ ଏତେବେଳକୁ କାହାକୁ ବି ଅନ୍ଧାଜା ମଧ୍ୟ ନଥିଲା କି ମାହି ଏହି ଟେଷ୍ଟ ମ୍ୟାଚ୍ ପରେ ଟେଷ୍ଟ ଫର୍ମାଟକୁ ହିଁ ଅଲ୍‌ବିଦା କହିଦେବେ । ୬ ଜାନୁଆରୀ ୨୦୧୫ରେ ୪ର୍ଥ ଟେଷ୍ଟ ଖେଳାଯିବାକୁ ରହିଥିଲା । ଏହି ସମୟରେ କମାଣ ସମ୍ବାଳିଥିଲେ ବିରାଟ କୋହଲି । ଏହି ମ୍ୟାଚ୍‌ ମଧ୍ୟ ଡ୍ର ରହିଥିଲା ।

୨୦୧୪ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୟୁଏଇରେ ଖେଳାଯାଉଥିଲା ସିରିଜ୍‌ । ସେତେବେଳେ ପାକିସ୍ତାନର କ୍ୟାପଟେନ୍‌ ଥିଲେ ମିସବାହା-ଉଲ-ହକ୍‌ । କିନ୍ତୁ ସେ ଖରାପ ଫର୍ମରେ ରହିଥିଲେ । ଯେଉଁ କାରଣରୁ ସେ ତୃତୀୟ ଓ୍ବାନଡେରୁ ନିଜେ ଡ୍ରପ୍‌ ହୋଇଯାଇଥିଲେ । ପାକିସ୍ତାନ ଇତିହାସରେ ଏପରି ପ୍ରଥମ ହୋଇଥିଲା । ରୋହିତ ଶର୍ମାଙ୍କ ବ୍ୟତୀତ ଏପରି କିଛି ପ୍ଲେୟର ରହିଛନ୍ତି ଯିଏକି ପରିସ୍ଥିତିରେ ପଡି କ୍ୟାପଟେନ୍‌ସିପ୍‌ ଛାଡିଛନ୍ତି ତ ଆଉ ଏଥିରେ କିଛି ବିବାଦ ମଧ୍ୟ ସାମିଲ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.