ନୂଆଦିଲ୍ଲୀ: ଭାରତର କମ୍ୱଦନ୍ତୀ ଖେଳାଳି ସୁନୀଲ ଗାଭାସ୍କାର ସିଡନୀ ଗ୍ରାଉଣ୍ଡର ପିଚ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଭାରତୀୟ ପିଚ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଆଇନ ଦେଖାଇଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ମୋଟ ୧୫ ୱିକେଟ୍ ପତନ ହୋଇଛି । ଯେଉଁଥି ପାଇଁ ସୁନୀଲ ଗାଭାସ୍କର ଅନେକ ପ୍ରଶ୍ନ ଉଠାଇଛନ୍ତି । ଗାଭାସ୍କର କହିଛନ୍ତି ଯେ ଯଦି ଭାରତୀୟ ପିଚ୍ରେ ଏପରି ହୋଇଥାନ୍ତା ତେବେ ସମସ୍ତେ ସମାଲୋଚନା କରିଥାନ୍ତେ । ତୃୀତୟ ଦିନରେ ମ୍ୟାଚ୍ର ରେଜଲ୍ଟ ଆସିଯିବ ବୋଲି କହିଥାନ୍ତେ ।
ଏବିସି ସ୍ପୋର୍ଟରେ ଗାଭାସ୍କାର କହିଛନ୍ତି, 'ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ପୂର୍ବତନ କ୍ରିକେଟ ସବୁବେଳେ ଭାରତୀୟ ପିଚ ଏବଂ ପରିସ୍ଥିତିକୁ ନେଇ ବୟାନ ଦିଅନ୍ତି । କିନ୍ତୁ ଆମେ କାନ୍ଦିବା ଲୋକ ନୁହଁ । ଆମେ ଅଭିଯୋଗ କରିବା ଲୋକ ନୁହଁ । ଆମେ କେବେ ଅଭିଯୋଗ କରିଥିବା ଦେଖିନଥିବେ । କିନ୍ତୁ ଭାରତରେ ଗୋଟିଏ ଦିନରେ ୧୫ ୱିକେଟ୍ ପଡ଼ିଥିଲେ, ସ୍ଥିତି ନର୍କ ପରି କରିଦେଇଥାନ୍ତେ ।'
ଗାଭାସ୍କାର ଆହୁରି କହିଛନ୍ତି, 'ଗ୍ଲେନ୍ ମ୍ୟାକଗ୍ରା କହିଥିଲେ ଯେ ଏତେ ଅଧିକ ଘାସ ପୂର୍ବେ କେବେ ଦେଖିନାହାନ୍ତି । କେବେ କୌଣସି ପୂର୍ବତନ ଭାରତୀୟ କ୍ରିକେଟର ପିଚ୍ଙ୍କୁ ନେଇ ଏଭଳି କିଛି କହିବା ଶୁଣିଛନ୍ତି କି ? ଆମେ ବାହାରକୁ ଯାଇ କ୍ରିକେଟ୍ ଖେଳିବା ବେଳେ କଠିନ ପରିଶ୍ରମ କରୁ । ବିଦେଶରେ ଘରୋଇ ଟିମକୁ ହରାଇବା କଠିନ କାମ । ଆମେ ଯେତେବେଳେ ଗତକାଲି ପିଚ୍ ଦେଖିଥିଲୁ, ସେଠାରେ ଗାଈ ଚରିବା ପରି ଘାସ ଥିଲା । ଏହା ଟେଷ୍ଟ ମ୍ୟାଚ୍ ପାଇଁ ଉପଯୁକ୍ତ ପିଚ୍ ନୁହେଁ । କାରଣ ମ୍ୟାଚ୍ର ଚତୁର୍ଥ ଏବଂ ପଞ୍ଚମ ଦିନ ଯାଏ ଚାଲୁ ବୋଲି ସମସ୍ତେ ଚାହାନ୍ତି । ଯଦି ବର୍ଷ ନହୁଏ ତେବେ ଏହି ମ୍ୟାଚ୍ ଚତୁର୍ଥ ଦିନ ଦେଖିବା ବି ମୁସ୍କିଲ୍ ।'