ପୁନେ: ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟି-୨୦ । ଶୁକ୍ରବାର ସଂଧ୍ୟାରେ ମୁହାଁମୁହିଁ ହେବେ ଦୁଇ ଦଳ । ପୁନେ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଚଳିତ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତି ଭାରତୀୟ ଦଳ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି । ପୁନେ ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ କାରଣ ତୃତୀୟ ଟି-୨୦କୁ ବ୍ରିଟିଶ୍ ବାହିନୀ ଜିତି ନେଇଛି । ଭ୍ରମଣକାରୀ ଦଳ ମନୋବଳ ଦୃଢ଼ ରହିଥିବା ବେଳେ ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ ବଟଲର୍ ସେନା ।
ଏପଟେ ପୁନେରେ ଇଂଲିଶ୍ ଦଳ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ସୂର୍ଯ୍ୟ ସେନା । ତେଣୁ ସଂଧ୍ୟାରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜକୋଟରେ ଟସ୍ ଜିତି ଫିଲ୍ଡିଂ ନେବା ସତ୍ତ୍ବେ ଭାରତ ପରାଜିତ ହୋଇଥିଲା । ବ୍ୟାଟିଂ ବିଫଳତା ଯୋଗୁଁ ଏକ ବିଜୟ ହାତଛଡ଼ା ହୋଇଥିଲା । କେବଳ ସେତିକି ନୁହେଁ, ବ୍ୟାଟିଂ କ୍ରମରେ ମଧ୍ୟ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା । ୩ନଂ ସ୍ଥାନରେ ଚମତ୍କାର ପ୍ରଦର୍ଶନ କରୁଥିବା ତିଳକ ବର୍ମାଙ୍କୁ ଟିମ୍ ମ୍ୟାନେଜମେଣ୍ଟ ୪ନଂ ସ୍ଥାନରେ ବ୍ୟାଟିଂ ପଠାଇଥିଲା । ସେହିପରି ୱାସିଂଟନ ସୁନ୍ଦର ୬, ଅକ୍ଷର ପଟେଲ ୭ ଓ ଧ୍ରୁବ ଜୁରେଲ ୮ନଂ ସ୍ଥାନରେ ବ୍ୟାଟିଂ କରିଥିଲେ । ଜୁରେଲ ୱିକେଟ୍ କିପିଂ କରୁନଥିବାରୁ କେବଳ ବ୍ୟାଟର ଭାବେ ଉକ୍ତ ମ୍ୟାଚ୍ ଖେଳୁଥିଲେ ହେଁ ତାଙ୍କୁ ୮ନଂ ସ୍ଥାନରେ ବ୍ୟାଟିଂ ପଠାଯିବାର କାରଣ ବୁଝା ପଡ଼ି ନଥିଲା ।
ଆଜିର ମ୍ୟାଚ୍ ଜିତିବାକୁ ହେଲେ ଏସବୁ ତ୍ରୁଟିକୁ ସୁଧାରିବାକୁ ହେବ । ଇଂଲଣ୍ଡ ବିଜୟକୁ ଫେରିଥିଲେ ହେଁ ବ୍ୟାଟିଂ ବିଭାଗର ତ୍ରୁଟି ଦୂର ହୋଇନାହିଁ । ଫିଲ ସଲ୍ଟ ରନ୍ ପାଇଁ ସଂଘର୍ଷ କରୁଛନ୍ତି । ସେହିପରି ହ୍ୟାରୀ ବ୍ରୁକ୍, ଜାକବ ବେଥେଲ, ଜାମି ସ୍ମିଥ୍ ପ୍ରମୁଖ ଯୁବ ବ୍ୟାଟରମାନେ ଭାରତୀୟ ସ୍ପିନରଙ୍କୁ ପରଖିବାରେ ବିଫଳ ହୋଇଛନ୍ତି । ପୁନେରେ ମଧ୍ୟ ଭାରତୀୟ ସ୍ପିନରଙ୍କ ଆଧିପତ୍ୟ ଜାରି ରହିବା ଏକ ପ୍ରକାର ନିଶ୍ଚିତ । ବିଶେଷ କରି ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଦଳ ଚିନ୍ତାରେ ରହିବା ସ୍ୱାଭାବିକ୍ । ପ୍ରଥମ ୩ଟି ମ୍ୟାଚ୍ରେ ସେ ୧୦ଟି ୱିକେଟ୍ ନେଇ ସାରିଛନ୍ତି । ରାଜକୋଟରେ ସେ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ । ତେଣୁ ଆଜିର ମ୍ୟାଚରେ ସେ ଇଂଲଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ମହମ୍ମଦ ସାମିଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଦଳ ଚିନ୍ତାରେ ରହିଛି । ତୃତୀୟ ମ୍ୟାଚ୍ରେ ସେ ନିରାଶ କରିଥିଲେ । ୧୫ମାସ ପରେ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି । ଫଳରେ ଲୟକୁ ଫେରିବା ପାଇଁ ତାଙ୍କୁ ସମୟ ଲାଗିବ । ଆସନ୍ତାକାଲି ସେ ପୂର୍ବ ଚମକ ଦେଖାଇବେ ବୋଲି ଆଶା କରାଯାଇପାରେ ।