ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆକୁ ଝଟକା; ଡ୍ରେସିଂ ରୁମ୍ ଫେରିଗଲେ ଏହି ଖେଳାଳି

Published By : Prameya-News7 Bureau | October 18, 2024 IST

ବେଙ୍ଗାଲୁରୁ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଚିନସ୍ବାମୀ ଷ୍ଟାଡିୟମ ବେଙ୍ଗାଲୁରୁରେ ଏହି ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୪୬ ରନରେ ପୁରା ଟିମ୍ ଅଲଆଉଟ୍ ହୋଇଯାଇଛି । ସେପଟେ ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ପାଳିରେ ଚମତ୍କାର ବ୍ୟାଟିଂ କରିଛି । କ୍ବିଓ୍ବି ଟିମର ବ୍ୟାଟିଂ ବେଳେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା । ଓ୍ବିକେଟ୍ କିପର ବ୍ୟାଟର ରିଷଭ୍ ପନ୍ତଙ୍କ ଗୋଡ଼ରେ ଆଘାତ ଲାଗିଛି । କାର୍ ଦୁର୍ଘଟଣା ସମୟରେ ରିଷଭଙ୍କ ଯେଉଁ ଗୋଡ଼ରେ ସର୍ଜରୀ ହୋଇଥିଲା ଓ୍ବିକେଟ୍ କିପିଂ ବେଳେ ସମାନ ଗୋଡ଼ରେ ପୁଣି ଥରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ୍ ଶର୍ମା । 

ନ୍ୟୁଜିଲାଣ୍ଡ ଟିମ୍ ବ୍ୟାଟିଂ କରୁଥିବା ବେଳେ ୩୭ତମ ଓଭରରେ ରିଷଭ୍ ପନ୍ତଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ରବିନ୍ଦ୍ର ଜାଡେଜାଙ୍କ ବଲ୍ ବୁଝିବାକୁ ଅକ୍ଷମ ହୋଇଥିଲେ ଡେଭିଡ୍ କନଭେ ଏବଂ ବଲ୍ ତାଙ୍କୁ ବିଟ୍ କରି ରିଷଭଙ୍କ ଆଣ୍ଠୁରେ ଲାଗିଥିଲା । ଫଳରେ ସେ ଆହତ ହୋଇ ପାଭେଲିୟନଙ୍କୁ ଫେରିଯାଇଥିଲା । ରିଜର୍ଭରେ ଥିବା ଓ୍ବିକେଟ୍ କିପର ଧ୍ରୁବ୍ ଜୁରେଲ୍ ଓ୍ବିକେଟ୍ କିପିଂ କରିଥିଲେ । ଅଧିନାୟକ ରୋହିତ୍ ଶର୍ମା କହିଛନ୍ତି, ଦୁର୍ଭାଗ୍ୟବସତଃ ବଲ୍ ରିଷଭଙ୍କ ସର୍ଜରୀ ହୋଇଥିବା ଗୋଡ଼ରେ ଲାଗିଥିଲା । ତେଣୁ ସେ ଡ୍ରେସିଂ ରୁମକୁ ଫେରିଯାଇଥିଲେ । ଶୁକ୍ରବାର ସୁଦ୍ଧା ତାଙ୍କ ଆଘାତ ଠିକ୍ ହୋଇଯିବା ବୋଲି ରୋହିତ ଶର୍ମା ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.