IND vs NZ 1st Test : ୪୬ ରନ୍‌ରେ ଅଲ୍‌ଆଉଟ୍ ଟିମ୍‌ ଇଣ୍ଡିଆ, ୫ ବ୍ୟାଟର ଖୋଲିପାରିଲେନି ଖାତା

Published By : Prameya-News7 Bureau | October 17, 2024 IST

ବେଙ୍ଗାଲୁରୁ ୧୭।୧୦ : ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ । ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୪୬ ରନରେ ଅଲଆଉଟ୍ । ଏହା ଭାରତର ସର୍ବକାଳୀନ ତୃତୀୟ ସର୍ବନିମ୍ନ ସ୍କୋର । ଦଳ ପକ୍ଷରୁ ରିଷଭ ପନ୍ଥ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ ହେନେରୀ ୫ଟି ଓ୍ୱିକେଟ୍‌ ନେଇଛନ୍ତି । 

ବୁଧବାରଠୁ ଆରମ୍ଭ ହେବାର ଥିଲା ପ୍ରଥମ ଟେଷ୍ଟ ମ୍ୟାଚ୍‌ । ହେଲେ ବର୍ଷା ଯୋଗୁ ପ୍ରଥମ ଦିନରେ ଖେଳା ଯାଇନଥିଲା । ଗୁରୁବାର ଦିନ ଦ୍ବିତୀୟ ଦିନରେ ଆରମ୍ଭ ହୋଇଥିଲା ଖେଳ । ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ହେଲେ ଏହି ନିଷ୍ପତ୍ତି ଟିମ୍‌ ପାଇଁ ଭାରି ପଡିଥିଲା । ନ୍ୟୁଜିଲାଣ୍ଡର ବୋଲିଂକୁ ଠିକଣା ଭାବେ ମୁକାବିଲା କରିପାରିନଥିଲେ ଭାରତୀୟ ବ୍ୟାଟର । ଶେଷରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି ରୋହିତ ବାହିନୀ । ପ୍ରଥମ ଇନିଂସରେ ଏପରି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା ଯେ, ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟର୍ ଶୂନ ରନରେ ଆଉଟ୍ ହୋଇ ଯାଇଛନ୍ତି । ବିରାଟ କୋହଲୀ, ସର୍ଫରାଜ୍ ଖାନ୍‍ , କେ.ଏଲ୍ ରାହୁଲ୍‍ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନୀ ଖାତା ଖୋଲି ପାରିନଥିଲେ । ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୨୦ ରନ୍ କରିଛନ୍ତି । ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ମାତ୍ର ୩୧ ଓଭର ୨ଟି ବଲରେ ଅଲଆଉଟ ହୋଇଯାଇଛି ।

ସେପଟେ ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୫ଟି ୱିକେଟ୍ ଏବଂ ୱିଲିୟମ୍ ଓରେର୍କେ ୪ଟି ୱିକେଟ୍ ନେଇ ଭାରତୀୟ ଦଳର ବିପର୍ଯ୍ୟୟ ଘଟାଇଛନ୍ତି । ଆଉ ଦଳ ଅଭିଜ୍ଞ ଟିମ୍‌ ସାଉଦିଙ୍କ ଖାତାକୁ ଯାଇଛି ଗୋଟିଏ ଓ୍ୱିକେଟ୍‌ । 

୫୫ ବର୍ଷ ପରେ…

୧୯୬୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳାଯାଉଥିଲା ତୃତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ୍‌ର ପ୍ରଥମ ପାରିରେ ନ୍ୟୁଜିଲାଣ୍ଡ ବୋଲରମାନଙ୍କ ଘାତକ ବୋଲି ବଳରେ ଭାରତ ମାତ୍ର ୨୭ ରନ୍‌ରେ ୬ଟି ଓ୍ୱିକେଟ୍‌ ହରାଇଥିଲା । ଯେଉଁଥିରେ ତିନି ଜଣ ବ୍ୟାଟର ଖାଲା ଖୋଲିପାରିନଥିଲେ , ବାକି ତିନି ବ୍ୟାଟର ୧୦ରନ୍‌ରୁ ଅଧିକ ସ୍କୋର କରିପାରିନଥିଲେ । ଏହି ମ୍ୟାଚ୍‌ ଡ୍ର ମଧ୍ୟ ହୋଇଥିଲା । ଆଉ ଏବେ ମଧ୍ୟ ଭାରତ ସେହିପରି ଭାବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ମାତ୍ର ୩୫ ରନ୍‌ରେ ଟିମ୍‌ ଇଣ୍ଡିଆ ୬ଟି ଓ୍ୱିକେଟ୍‌ ହରାଇଛି । 

ସେହିପରି ୨୦୨୦ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ଏହିପରି ଲୋ ସ୍କୋର କରିଥିଲା । ମାତ୍ର ୧୯ ରନ୍‌ କରି ୬ଜଣ ବ୍ୟାଟର ଫେରିଥିଲେ ପାଭିଲିୟନ । ଶେଷରେ ୨୧.୧ ଓଭରରେ ମାତ୍ର ୨୨ ରନ୍‌ କରି ପୁରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.